ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ

0

 ପୁଲିସ ମହାନିର୍ଦେଶକ ଓ ବିଏସ୍‌ଏଫ ଅଧିକାରୀଙ୍କ ମାଓ ଉପଦ୍ରୁତ ଅଞ୍ଚଳ ପରିଦର୍ଶନ

ଭୁବନେଶ୍ୱର / ମାଲକାନଗିରି : ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ଓ ସୀମା ସୁରକ୍ଷା ବାହିନୀ(ବିଏସ୍‌ଏଫ) ଅଧିକାରୀ ମାର୍ଚ୍ଚ ପହିଲାରେ ମାଲକାନଗିରି ଜିଲା ସୀମାନ୍ତ ଅଞ୍ଚଳ ଓ ବିଚ୍ଛିନାଞ୍ଚଳସ୍ଥିତ ଯୋଡ଼ାମ୍ବୋ ଏଏନ୍‌ପିପି ଗସ୍ତ କରିଛନ୍ତି। ଅଧିକାରୀମାନେ ଉକ୍ତ ଅଞ୍ଚଳରେ ମାଓ ଦମନ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ସୀମାନ୍ତ ଓ ବିଚ୍ଛିନାଞ୍ଚଳରେ ମୁତୟନ ଫୋର୍ସ ଯେପରି ନିର୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ସହ ରଣ କୌଶଳରେ ପାରଙ୍ଗମ ହୋଇ ପାରିବେ ସେ ସମ୍ବନ୍ଧରେ ଆଲୋଚନାରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିଲା। ମୁତୟନ ହୋଇଥିବା ଫୋର୍ସ ସେମାନଙ୍କର ସମସ୍ୟା ଯଥା ରାସ୍ତା ଓ ଗମନାଗମନ ସମ୍ପର୍କରେ ଉଚ୍ଚଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହି ସମସ୍ୟାର ସମାଧାନ କିପରି କରାଯାଇ ପାରିବ ସେ ସଂକ୍ରାନ୍ତରେ ମଧ୍ୟ ଦୀର୍ଘ ସମୟ ଧରି ବରିଷ୍ଠ ପୁଲିସ ଓ ବିଏସଏଫ ଅଧିକାରୀ ମୁତୟନ ହୋଇଥିବା ସୁରକ୍ଷା ବାହିନୀ ଓ ପୁଲିସ ସହ ଆଲୋଚନା କରିଥିଲେ।
ରାଜ୍ୟ ପୁଲିସ ମହାନିର୍ଦେଶକ ଆର.ପି. ଶର୍ମା,ବିଏସଏଫ ଅତିରିକ୍ତ ଡିଜି (ଅପରେସନ) ଅରୁଣ କୁମାର,ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦେଶକ ସୁନୀଲ ରାୟ, ପୁଲିସ ଆଇଜି (ଅପରେସନ) ଆରପି କୋଚେ,ଓଡ଼ିଶା ସୀମାନ୍ତ ବିଏସଏଫ ଆଇଜି ଏକେ ସିଂହ, କୋରାପୁଟ ଏସ୍‌ଡବ୍ଲ୍ୟୁଆର ଡିଆଇଜି ଏସ.ସାଇନି, ମାଲକାନଗିରି ଏସପି ଜଗମୋହନ ମୀନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Leave A Reply