ମଣିଷ ଗଢ଼ିବା ନିଶାରେ ପଣ୍ଡା ମାଷ୍ଟ୍ରେ

0

ରାୟଗଡ଼ା: ସମାଜ ଗଠନ ଦିଗରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ପାହାଡ ପର୍ବତ ଘେରା ଆଦିବାସୀ ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ଶିକ୍ଷା ବାଣ୍ଟି ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରଶେଖର ପଣ୍ଡା। ମଣିଷ ଗଢିବା ନିଶାରେ ଦେଶ ସ୍ୱାଧୀନତା ପୂର୍ବରୁ ଜନ୍ମ ନେଇଥିବା ଶ୍ରୀ ପଣ୍ଡା ଶିକ୍ଷା ଦାନକୁ ଏକ ନିଶା ଭାବେ ଗ୍ରହଣ କରି ନେଇଛନ୍ତି। ଏବେ ବି ତାଙ୍କ ପୋଷାକ ପରିଚ୍ଛଦରୁ ତାଙ୍କର ବୃତ୍ତି ସମ୍ପର୍କରେ ସୂଚନା ମିଳିଯାଏ। ଧୋତି ପାଇଜାମା ସହ କାନ୍ଦରେ ଗାମୁଛା ହାତରେ ଛତା ହିଁ ପଣ୍ଡା ମାଷ୍ଟ୍ରେଙ୍କ ପରିଚୟ। ଲୋକେ ଶ୍ରଦ୍ଧାରେ ତାଙ୍କୁ ଆମ ଗାଁ ପଣ୍ଡା ଆଜ୍ଞା ବୋଲି କହନ୍ତି। ଶିକ୍ଷାଗତ ଯୋଗ୍ୟତା କହିଲେ ୮ମ ଶ୍ରେଣୀ ପାସ୍‍। ପାହାଡିଆ ଇଲାକାର ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ଗଞ୍ଜାମ ଜିଲାର ସୁନାଖଣ୍ଡି ଶାସନ ଗାଁରୁ ଗୋଡ କାଢ଼ିଥିବା ଏହି ବିନ୍ଧାଣୀ ଆଜି ପର୍ୟ୍ୟନ୍ତ ନିଜ ଗାଁକୁ ଫେରି ନାହାନ୍ତି। ଅନେକ ଶିକ୍ଷାନୁଷ୍ଠାନ ଗଢ଼ିଛନ୍ତି। ନିଜେ ପାଇଥିବା ଶିକ୍ଷାକୁ ବାଣ୍ଟିଛନ୍ତି। ତାଙ୍କ ହାତରୁ ବେତ ମାଡ଼ ଖାଇଥିବା ଛାତ୍ର ଆଜି ଦେଶବିଦେଶକୁ ଯାଇ ପାରିଛନ୍ତି।
ଗଞ୍ଜାମ ଜିଲା ପାତ୍ରପୁଟ ବ୍ଲକ ସୁନାଖଣ୍ଡି ଶାସନ ଗାଁରେ ୧୯୪୨ଜୁଲାଇ ୧୨ରେ ତାଙ୍କ ଜନ୍ମ। ପିଲାଟି ଦିନରୁ ବାପା ଭାଗିରଥୀ ପଣ୍ଡାଙ୍କ ସେ ହରାଇଥିବା ବେଳେ ଓ ମା ବିଷ୍ଣୁପ୍ରିୟାଙ୍କ ଲାଳନପାଳନରେ ବଡ ହୋଇଥିଲେ। ପୂର୍ବ ପୁରୁଷ ଛାଡି ଯାଇଥିବା ଜମି ଖଣ୍ଡିଏ ଭରସା ହୋଇଥିବାବେଳେ
ମା’ କହୁ କଷ୍ଟରେ ତାଙ୍କୁ ଗାଁର ସଂସ୍କୃତ ଅଭିଧାନ ସ୍କୁଲରେ ଦାଖଲ କରିଥିଲେ। ସେତେବେଳେ ଗାଁରେ ଛୁଆଁ ଅଛୁଆଁ ଭେଦଭାବ ଖୁନ୍ଦି ହୋଇ ରହିଥିଲା। ସ୍କୁଲରେ ଦଳିତ ଓ ଆଦିବାସୀ ପିଲାମାନେ ଅଲଗା ବସୁଥିଲେ। ଏଭଳି ଘଟଣା ତାଙ୍କୁ ଖୁବ କଷ୍ଟ ଦେଉଥିଲା। ବହୁ ସମସ୍ୟା ଭିତରେ ଛନ୍ଦି ହୋଇ ଗାଁ ସ୍କୁଲରେ ୩ୟ ଶ୍ରେଣୀ ପର୍ୟ୍ୟନ୍ତ ପଢ଼ିବା ପରେ ୩ କୋଶ ବାଟ ପ୍ରତିଦିନ ଚାଲି ଚାଲି ଯାଇ ଜରଡାଗଡ ସ୍କୁଲରେ ୮ଶ୍ରେଣୀ ପର୍ୟ୍ୟନ୍ତ ପଢ଼ି ପାରିଥିଲେ। ଆଗକୁ ପଢ଼ିବାକୁ ସମ୍ବଳ ଅଭାବରୁ ସେ ପାଠ ପଢା ଛାଡି ଦେଇଥିଲେ। ପାଠ ଛାଡି ସେତେବେଳର ଅବିଭକ୍ତ କୋରାପୁଟ ଜିଲାରେ ଶିକ୍ଷକ ପଦ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସି ସ୍ୱୀକୃତି ପାଇଥିଲେ। ପ୍ରଥମେ ସେ ନନ୍ଦପୁର ବ୍ଲକ କଦମଗୁଡା ସ୍କୁଲରେ ରହି ପିଲାଙ୍କୁ ପାଠ ପଢ଼ାଇବା ସହ ଗୋଟିଏ ଲାଇବ୍ରେରୀ ଗଠନ କରିଥିଲେ। ଏହି ପୁରୁଣା କଥା ତାଙ୍କର ମନେ ରଖିଥିବା କହିଛନ୍ତି।
ମାଛକୁଣ୍ଡର ଜଲାପୁଟକୁ ବଦଳି ହେବା ପରେ ସେଠାରେ ପ୍ରାଥମିକ ସ୍କୁଲ ସହ ଲୋକଙ୍କ ସହାୟତାରେ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇ ପାରିଥିବା ସେ କହିଛନ୍ତି। ତାଲିମ ନେବା ପରେ ଆଜିର ରାୟଗଡା ଜିଲାର ପଦ୍ମପୁର ବ୍ଲକରେ ମାତ୍ର ୮ମାସ କାମ କରିବା ପରେ ତାଙ୍କ ଦକ୍ଷତାକୁ ଜାଣି ପାରି କୋଲନରା ବ୍ଲକରେ ଶିକ୍ଷାନୁଷ୍ଠାନ ଗଢ଼ିବା ପାଇଁ ବଦଳି କରାଯାଇଥିଲା। ଗାଁରେ ସ୍କୁଲ ଘରଟିଏ ନଥିଲା। ମଠ ପିଣ୍ଡାରେ ପିଲାଙ୍କୁ ପଢ଼ାଇବା ସେ ଆରମ୍ଭ କଲେ। ସକାଳୁ କଳାପଟାଠାରୁ ଚୌକି ପର୍ୟ୍ୟନ୍ତ ପିଲାମାନେ ମୁଣ୍ଡରେ ବୋହି ଆଣି ପାଠ ପଢା ପରେ ଅପରାହ୍ଣରେ ଛୁଟି ପରେ ଶିକ୍ଷକଙ୍କ ଘରେ ନେଇ ସେ ସବୁକୁ ରଖିବା ସେତେବେଳର ନିତିଦିନିଆ ଘଟଣା ଥିଲା ବୋଲି ଏହି ଶିକ୍ଷକ କହନ୍ତି। ପରେ ଗାଁ ଲୋକଙ୍କ ସହଯୋଗ ଓ ସରକାରଙ୍କ ଅନୁଦାନରେ ଝାଟିମାଟି ଛପର ଘରଟିଏ ନିର୍ମାଣ କରାଯାଇଥିଲା। ସେଠାରେ ନିଜର ୯ବର୍ଷର୍ କାର୍ୟ୍ୟକାଳ ମଧ୍ୟରେ ସ୍କୁଲଘର ନିର୍ମାଣ କରି ଥେରୁବାଲିକୁ ଯାଇ ସେଠାରେ ନିଜର ୨୨ବର୍ଷ ଚାକିରି ଜୀବନ କାଟି ଅବସର ନେଇଥିଲେ।
ଛାତ୍ରମାନଙ୍କ ସହ ଅଭିଭାବକଙ୍କୁ ସାଥିରେ ନେଇ ଚାଲିଲେ ଶିକ୍ଷାରେ ସଂସ୍କାର ଆସି ପାରିବ ବୋଲି ସେ କହନ୍ତି। ପରିବାରର ମହିଳାଙ୍କ ଉପରେ ନିଜ ସନ୍ତାନର ଶିକ୍ଷା ଦାୟିତ୍ୱ ଦିଆଗଲେ ସମାଜରୁ ଭେଦଭାବ, କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର ହୋଇ ପାରିବ ବୋଲି ସେ ମତ ପୋଷଣ କରନ୍ତି। ଶିକ୍ଷକମାନେ ଅନୁଶାସନରେ ରହିଲେ ପିଲାମାନେ ଏଥିରେ ପ୍ରଭାବିତ ହେବେ ବୋଲି ମଧ୍ୟ କହନ୍ତି। ଶିକ୍ଷକ ସମୟାନୁବର୍ତ୍ତିୀ ହେଲେ ଛାତ୍ରଛାତ୍ରୀ ଶିକ୍ଷା ଦିଗକୁ ମୁହାଁଇ ପାରିବେ ବୋଲି କହନ୍ତି। ଶ୍ରୀ ପଣ୍ଡା ଶିକ୍ଷାର ବିକାଶ ଦିଗରେ ଅହରହ ଚିନ୍ତାକରି ବିଭିନ୍ନ ପତ୍ରପତ୍ରିକାରେ ଲୋଖାଲେଖି ଜାରି ରଖିଥିଲେ। ଶ୍ରୀ ପଣ୍ଡା ଏବେ ବୟସର ସୟାହ୍ନରେ ପହଞ୍ଚିଥିବା ବେଳେ ପୁରୁଣା କଥା ସବୁ ଅଳ୍ପ ଅଳ୍ପ ଭୁଲି ଗଲେଣି ବୋଲି କହନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ବାଧକ ହୋଇ ଠିଆ ହୋଇଥିବା ସେ ଜଣାଇଛନ୍ତି। ନିଜ ପତ୍ନୀଙ୍କ ସହ କୋଲନରା ବ୍ଲକ ଥେରୁବାଲି ଗ୍ରାମ ପଞ୍ଚାୟତର ସିଲିପୁଟଠାରେ ନିଜର ବାକି ଜୀବନ କାଟିବାକୁ ସ୍ଥିର କରିଛନ୍ତି।

Leave A Reply