ଭ୍ୟାନ ମଡ଼ାଇ ୧୦ଜଣଙ୍କୁ ହତ୍ୟା କଲା ଉନ୍ମତ୍ତ ଯୁବକ

0

ଟରଣ୍ଟୋ: କାନାଡାର ଟରଣ୍ଟୋଠାରେ ସୋମବାର ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଯୋଗୁ ୧୦ ଜଣ ଲୋକଙ୍କ ମୃତୁ୍ୟ ଘଟିଛି ଏବଂ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅପରାହ୍ଣ ୧ଟା ୩୦ ମିନିଟ୍‌ରେ ଏଠାକାର ପ୍ରମୁଖ ବାଣିଜି୍ୟକ ସ୍ଥଳ ୟଙ୍ଗ୍‌ ଷ୍ଟ୍ରିଟ୍‌ ଏବଂ ଫିଞ୍ଚ ଆଭେନୁ୍ୟ ମଧ୍ୟରେ ଜଳଗହଳି ଲାଗି ରହିଥବା ବେଳେ ଆଲେକ୍‌ ମିନାସିଆନ୍‌ ନାମକ ୨୫ ବର୍ଷ ବୟସ୍କ ଏହି ଯୁବକ ହଠାତ୍‌ ଏକ ଧଳା ଭ୍ୟାନ୍‌କୁ ଦ୍ରୁତ ଗତିରେ ଏଣେତେଣେ ଚଳାଇଥିଲା। ରାସ୍ତାରେ ଯାଉଥିବା ଲୋକମାନଙ୍କ ପ୍ରତି ଦୃଷ୍ଟି ନ ଦେଇ ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଭ୍ୟାନ୍‌ଟିକୁ ମନଇଚ୍ଛା ଦ୍ରୁତ ବେଗରେ ଚଳାଇଥିଲା। ବହୁ ଲୋକଙ୍କୁ ସେ ଧକ୍କା ଦେବା ସହ ଅନେକଙ୍କ ଉପରେ ଭ୍ୟାନ୍‌ ଚଢାଇ ନେଇ ପଳାଇଥିଲା। ଭ୍ୟାନ୍‌ରେ ପିଟି ହୋଇ କିଛି ଲୋକ ଆହତ ହୋଇଥିଲେ ଏବଂ ଅନେକେ ଗାଡି ତଳେ ଚାପି ହୋଇଯାଇଥିଲେ। ଆହତଙ୍କ ମଧ୍ୟରୁ କିଛି ପଦଯାତ୍ରୀ ଛଟପଟ ହୋଇ ରାସ୍ତା ଉପରେ ପ୍ରାଣ ହରାଇଥିଲେ। ଟରଣ୍ଟୋ ପୁଲିସ ୨୦ ମିନିଟ୍‌ ପରେ ଡ୍ରାଇଭରକୁ କାବୁ କରିବାକୁ ସକ୍ଷମ ହୋଇଥିଲା। ବନ୍ଧୁକ ମୁନରେ ପୁଲିସ ତାକୁ ଆଣ୍ଠେଇ ବସେଇ ଦେଇଥିଲା। ଏହି ସମୟରେ ଡ୍ରାଇଭର ଜଣକ ‘ମତେ ଗୁଳିମାରି ଦିଅ’ ବୋଲି କହୁଥିବା ଭିଡିଓ ଦେଖିବାକୁ ମିଳିଛି। କିନ୍ତୁ ପୁଲିସ ତା’ କଥାକୁ ଗୁରୁତ୍ୱ ନ ଦେଇ ତୁରନ୍ତ ତାକୁ ଗିରଫ କରିଛି। ଏଭଳି ନରାକୀୟ କାଣ୍ଡ ଘଟାଇବା ପଛରେ ଯୁବକର ବାସ୍ତବ ଉଦ୍ଦେଶ୍ୟ ଜଣାପଡିନାହିଁ। ଅଭିଯୁକ୍ତ ମିନାସିଆନ୍‌ ଟରଣ୍ଟୋର ସେନେକା କଲେଜର କମ୍ପୁ୍ୟଟର ସଫ୍ଟୱେର ଛାତ୍ର ବୋଲି ଜଣାପଡିଛି। ଭ୍ୟାନ୍‌ଟିକୁ ଭଡ଼ାରେ ଆଣି ସେ ଏଭଳି ଘଟଣା ଘଟାଇଥିବା ପୁଲିସ କହିଛି। ଏହି ଘଟଣାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Leave A Reply