ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‍ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

0

ସୁନ୍ଦରଗଡ଼: ସୁନ୍ଦରଗଡ଼ସ୍ଥିତ ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ଜଜ୍‍ ରାଜ କୁମାର ସାହୁ ୨୦୦୧-୦୨ରେ ରାଉରକେଲା ପୌରାଞ୍ଚଳରେ ନିର୍ମାଣ ହୋଇଥିବା ଏକ ରାସ୍ତା କାମରେ ଦୁର୍ନିତୀ ଅଭିଯୋଗର ବିଚାର କରି ତତ୍‍କାଳୀନ କନିଷ୍ଠ ଯନ୍ତ୍ରୀଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୫ହଜାର ଟଙ୍କା ଜୋରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରମାଣ ଅଭାବରୁ ସହକାରୀ ଯନ୍ତ୍ରୀ ଓ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କୁ ଖଲାସ କରିଦେଇଛନ୍ତି।
ମୋକଦ୍ଦମାର ବିବରଣୀରୁ ପ୍ରକାଶ, ୨୦୦୧-୦୨ ମସିହା ରାଉରକେଲା ପୌରାଞ୍ଚଳର ବାସନ୍ତୀ କଲୋନୀସ୍ଥିତ ବାସନ୍ତୀ ରେଳୱେ କ୍ରସିଂ-ଦୁର୍ଗାପୁର ହିଲ ଏବଂ ଏମ.ବ୍ଲକରେ ଥିବା ଶିବ ମନ୍ଦିରରୁ ଗ୍ୱାଲା ଖଟାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ମରାମତି ପାଇଁ ଯଥା କ୍ରମେ ୧୧,୬୬,୫୦୦ ଓ ୨,୬୭,୦୦୦ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଉଭୟ କାମ ବିଭାଗୀୟ ତତ୍‍କାଳୀନ କନିଷ୍ଠ ଯନ୍ତ୍ରୀ ଶ୍ୟାମ ସୁନ୍ଦର ବେହୁରିଆଙ୍କ ତତ୍ତ୍ୱବଧାନରେ ହୋଇଥିବା ବେଳେ ଠିକାଦାର ବିଶ୍ୱରଞ୍ଜନ ବେହୁରା ଏହି କାର୍ଯ୍ୟ କରିଥିଲେ। ମାତ୍ର କେତେକ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗର ବୈଷୟିକ ଦଳ ଏହି କାମକୁ ପରିଦର୍ଶନ କରିବା ସହ ବ୍ୟୟ ଅଟକଳ କରି କାର୍ଯ୍ୟ ନିମ୍ନମାନର ହୋଇଥିବାର ଜଣାପଡ଼ିଥିଲା। ଏପିରିକି ଉଭୟ କାମ ପାଇଁ ୧,୦୦,୯୩୭ ଟଙ୍କା ଠିକାଦାରଙ୍କୁ ଅଧିକା ପ୍ରଦାନ କରାଯାଇଥିବାର ଜଣାପଡ଼ିଥିଲା। ପରେ ରାଉରକେଲାରେ ଅବସ୍ଥାପିତ ତତ୍‍କାଳୀନ ଡ଼ି.ଏସ.ପି ଆର.କେ.କାନୁନଗୋ ଏ ସଂପର୍କରେ ସମ୍ବଲପୁର ଭିଜିଲାନ୍ସ ଏସ.ପିଙ୍କ ନିକଟରେ ଏକ ଏତଲା ଦାଏର କରିଥିଲେ। ଉକ୍ତ ଏତଲାରେ କନିଷ୍ଠ ଯନ୍ତ୍ରୀ ଶ୍ୟାମ ସୁନ୍ଦର ବେହୁରିଆ, ତତ୍‍କାଳୀନ ରାଉରକେଲା ପୌରପାଳିକାର ସହକାରୀ ଯନ୍ତ୍ରୀ(ଏ.ଇ) ଯୁଧିଷ୍ଠିର ପୃଷ୍ଟି ଓ ଠିକାଦାର ବିଶ୍ୱରଞ୍ଜନ ବେହୁରାଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଅଦାଲତର ମୋକଦ୍ଦମାର ଶୁଣାଣି ବେଳେ ଭିଜିଲାନ୍ସର ସ୍ୱତନ୍ତ୍ର ପିପି ଧର୍ମେଶ ପଟେଲ ବିଭାଗୀୟ ବୈଷୟିକ ଦଳର ରିପୋର୍ଟରେ ଅନିୟମିତତା, ନିମ୍ନମାନର କାର୍ଯ୍ୟ ଓ ଅଧିକା ପାଉଣା ସଂପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିବାରୁ ଅଭିଯୁକ୍ତ ମାନଙ୍କୁ ଦଣ୍ଡ ବିଧାନ କରିବା ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସ୍ୱତନ୍ତ୍ର ଜଜ ରାଜ କୁମାର ସାହୁ ବିଭାଗ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦଲିଲ ଓ ରିପୋର୍ଟକୁ ଆଧାର କରି କନିଷ୍ଠ ଯନ୍ତ୍ରୀ ଶ୍ୟାମ ସୁନ୍ଦର ବେହୁରିଆଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୫ ହଜାର ଟଙ୍କା ଜୋରିମାନା ଓ ଅନ୍ୟ ଏକ ଦଫାରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ଜୋରିମାନା ଅନାଦେୟ ଅଧିକ ୯ମାସ ଦଣ୍ଡ ଭୋଗିବା ପାଇଁ ନିଜ ରାୟରେ ସ୍ପଷ୍ଟ କରିଥିବା ବେଳେ ପ୍ରମାଣ ଅଭାବରୁ ସହକାରୀ ଯନ୍ତ୍ରୀ(ଏ.ଇ) ଯୁଧିଷ୍ଠିର ପୃଷ୍ଟି ଓ ଠିକାଦାର ବିଶ୍ୱରଞ୍ଜନ ବେହୁରାଙ୍କୁ ଅଭିଯୋଗରୁ ଖଲାସ କରାଗଲା ବୋଲି ରାୟ ଶୁଣାଇଥିଲେ।

Leave A Reply