ଭିଜିଲାନ୍ସ ଜାଲରେ ଜିପିଟିଏ

0

ସୋରଡ଼ା: ଗୁହାଳଘର ବିଲ୍‍ ପାସ୍‍ କରିଦେବା ପାଇଁ ୨୫୦୦ଟଙ୍କା ଲାଞ୍ଚ ନେବାବେଳେ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ୍‍ ଏକଲପୁର ଗ୍ରାମପଞ୍ଚାୟତର ବୈଷୟିକ ସହାୟକ(ଜିପିଟିଏ) ଅନୀଲକୁମାର ବେହେରା ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ପଞ୍ଚାୟତ ନୂଆଗାଁର କାହ୍ନୁଚରଣ ପାଣିଗ୍ରାହୀଙ୍କ
ଗୁହାଳ ଘରର ୩୫ହଜାର ଟଙ୍କା ବିଲ୍‍ ପାସ କରାଇଦେବା ପାଇଁ ପୂର୍ବରୁ ୩ହଜାର ଟଙ୍କା ଦାବି କରିଥିଲେ। ଆଜି ସୋରଡ଼ା ରଘୁନାଥପୁର ମନ୍ଦିର ସାହି ବାସଭବନରେ ଜିପିଟିଏ ଅନୀଲକୁମାର ତାଙ୍କଠାରୁ ୨୫୦୦ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଥିଲେ। ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କର ସରୁଭା ସାହି ବାସଭବନରେ ଚଢଉ କରାଯାଇଥିଲା। ଘରୁ କିଛି ଜୀବନବୀମା ଓ ବ୍ୟାଙ୍କ କାଗଜପତ୍ର ଜବତ ହୋଇଛି। ଏହାର ତଦନ୍ତ କରାଯିବ। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଡିଏସ୍‍ପି ବିଡି ନାୟକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‍ ଅନୀଲଙ୍କୁ ନିଜ ବାସଭବନରୁ ସୋରଡ଼ା ବ୍ଲକ୍‍ କାର୍ୟ୍ୟାଳୟକୁ ନେଇଥିଲେ। ପରେ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଅଫିସ୍‍କୁ ନିଆଯାଇଥିଲା। ଏ ସଂକ୍ରାନ୍ତରେ ଭିଜିଲାନ୍ସରେ କେଶ୍‍ ନଂ ୨୭/୨୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ଡିଏସ୍‍ପି ଏସଏନ୍‍ ପାଣିଗ୍ରାହୀ କହିଛନ୍ତି। ଅନ୍ୟପକ୍ଷରେ ଆକ୍ରୋଶମୂୂଳକ ଭାବେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି ବୋଲି ଅନୀଲଙ୍କ ପତ୍ନୀ ମମତା ବାରିକ ଅଭିଯୋଗ କରିଛନ୍ତି।

Leave A Reply