ବ୍ୟକ୍ତିଗତ ଉଦ୍ୟମରେ ବିକଶିତ ବିରାଶାଳ

0

ଢେଙ୍କାନାଳ (ଦେବବ୍ରତ ପଟ୍ଟନାୟକ) : ଭାରତର ଆତ୍ମା କହିଲେ ଗ୍ରାମକୁ ବୁଝାଏ। ଗ୍ରାମର ଉନ୍ନତି ହେଲେ ଦେଶର ଉନ୍ନତି ହୋଇପାରିବ। ଗ୍ରାମର ଉନ୍ନତି ପାଇଁ ସରକାର ଅନେକ କିଛି ଯୋଜନା ପ୍ରସ୍ତୁତ କରୁଛନ୍ତି। ପଞ୍ଚାୟତଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରଯାଉଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା କେଉଁଠି ସଫଳ ହେଉଛି ତ, ଆଉ ଅଧିକାଂଶ ଜାଗାରେ ଯୋଜନାଗୁଡ଼ିକ ସଫଳ ଭାବରେ ରୂପାୟନ ହୋଇପାରୁ ନାହିଁ। ଏଭଳି କ୍ଷେତ୍ରରେ ଢେଙ୍କାନାଳର କାମାଖ୍ୟାନଗର ଉପଖଣ୍ଡ ଅଧୀନରେ ଥିବା ବିରାଶାଳ ଗ୍ରାମ କେତେକ ବ୍ୟକ୍ତିଙ୍କ ଉଦ୍ୟମରେ ବିକଶିତ ହୋଇଛି, ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଲକର ବିରାଶାଳ ଗ୍ରାମ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି। ଅନ୍ୟାନ୍ୟ ଗ୍ରାମମାନଙ୍କଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏହି ଗ୍ରାମର ଚିତ୍ର ବଦଳିବାରେ ଜଣେ ବ୍ୟକ୍ତିଙ୍କର ଉଦ୍ୟମ ପ୍ରଶଂସନୀୟ। ବିରାଶାଳରେ ଏବେ ଉଡ଼ାଜାହାଜ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି। ଏହାଛଡ଼ା ସେଠାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିରେ ମଧ୍ୟ ଉନ୍ନତି ହୋଇପାରିଛି। ବିରାଶାଳ ଗ୍ରାମର ରାଜକିଶୋର ମିଶ୍ର ଅତୀତରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପାଇଲଟ୍‍ ଭାବେ କାର୍ୟ୍ୟ କରୁଥିଲେ। ସେ ନିଜ ଗାଁ ପାଖରେ ଥିବା ପଥୁରିଆ ଅଞ୍ଚଳରେ ଏକ ବିମାନ ଅବତରଣ
କେନ୍ଦ୍ର ନିର୍ମାଣ ପାଇଁ ପରିକଳ୍ପନା କରିଥିଲେ। ସେହି ସମୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ସହଯୋଗ ଯୋଗାଇ ଥିଲେ। ପରବର୍ତ୍ତୀ ସମୟରେ ସେଠାରେ ବିମାନ ଅବତରଣ କେନ୍ଦ୍ର ହୋଇଥିଲା। ୭୦ ଓ ୮୦ ଦଶକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉକ୍ତ କେନ୍ଦ୍ରରେ ବିମାନ ଅବତରଣ କରିଥିଲେ। ପ୍ରାୟ ୫୬ ଏକର ଜମିରେ ଅବସ୍ଥିତ ଏହି ଅବତରଣ କେନ୍ଦ୍ରକୁ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ କରା ନଯିବାରୁ ସେଠାରେ ଥିବା ବିଶ୍ରାମ ଗୃହ, ପାଚେରୀ, ରନ୍‍ୱେ ଆଦି ନଷ୍ଟ ହୋଇଯାଇଥିଲା। ୨୦୧୩ ମସିହାରେ ଏହାର ଉନ୍ନତିକରଣ କରାଯାଇ ଏହାକୁ ପାଇଲଟ୍‍ମାନଙ୍କର ତାଲିମ ପାଇଁ ବିମାନ ଅବତରଣ ତାଲିମ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଷ୍ପତ୍ତି ନେଇ ପୂର୍ତ୍ତ ବିଭାଗ ଜରିଆରେ ୧କୋଟି ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାଚେରୀ ନିର୍ମାଣ ହୋଇଥିଲା। ପାଚେରୀ ନିର୍ମାଣ ପରେ ଏହା ଭାଙ୍ଗିରୁଜି ଯାଇଥିଲା। ଦୀର୍ଘବର୍ଷ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏଠାରେ ବିମାନ ପ୍ରଶିକ୍ଷଣ ତାଲିମ କେନ୍ଦ୍ର କରାଯିବା ପାଇଁ ବିଭିନ୍ନ କାର୍ୟ୍ୟ କରାଯାଇଛି। ୨୦୧୬-୧୭ ମସିହାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରଦତ୍ତ ୭ କୋଟି ୩୯ଲକ୍ଷ ୬୭ହଜାର ଟଙ୍କା ବ୍ୟୟରେ ଏହାର ଉନ୍ନତିକରଣ କରାଯାଇଥିଲା। ଏହି ଅର୍ଥରେ ରନ୍‍ ୱେ ଫିଲ୍ଡ, ଡ୍ରେନ୍‍ର ଉନ୍ନତିକରଣ କରାଯାଇଥିଲା। କିନ୍ତୁ ଏଠାରେ ମରାମତି ଅଭାବରୁ ଭାଙ୍ଗିପଡ଼ିଥିବା ବିଶ୍ରାମ ଗୃହର ପୁନଃନିର୍ମାଣ କାର୍ୟ୍ୟ ଆରମ୍ଭ କରିବାପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୯ ଜୁନ୍‍ ୨୦୧୮ ମସିହାରେ ବିମାନ ଅବତରଣ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହି କେନ୍ଦ୍ର ଦ୍ୱାରା ବିରାଶାଳ ଗ୍ରାମ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ। ଏହାଛଡ଼ା ସେଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ରୋଗୀମାନଙ୍କ ସେବା କ୍ଷେତ୍ରରେ ଅନେକ ଉପଯୋଗୀ ହେଉଛି। ରେଙ୍ଗାଲି ଜଳସେଚନ ସୁବିଧା ଯୋଗୁଁ ସେଠାରେ କୃଷିର ମଧ୍ୟ ବିକାଶ ହୋଇପାରିଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ସଂସ୍କାର ପବ୍ଲିକ ସ୍କୁଲ ନାମରେ ଗୋଟିଏ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ରହିଛି। ବିଦ୍ୟାଳୟକୁ ଜଣଙ୍କର ବ୍ୟକ୍ତିଗତ ଉଦ୍ୟମରେ କରାଯାଇପାରିଛି। ସ୍କୁଲ୍‍ର ପରିବେଶ ସହରରେ ଥିବା ସ୍କୁଲ୍‍ ଭଳି ହୋଇଛି। ବସରେ ବିରାଶାଳ ଓ ଆଖାପାଖ ଅଞ୍ଚଳରୁ ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା ସହ ଛୋଟିଆ ବଜାରଟିଏ ମଧ୍ୟ ସେଠାରେ ରହିଛି। ଏହାର ପରିବେଶକୁ ଦେଖିଲେ ଏକ ଉନ୍ନତ ଗ୍ରାମ ଭାବରେ ପରିଲକ୍ଷିତ ହେଉଛି। ବ୍ୟକ୍ତିଗତ ହେଉ କିମ୍ବା ସରକାରୀ ଉଦ୍ୟମରେ ହେଉ ଠିକ୍‍ ଭାବରେ କାର୍ୟ୍ୟକାରୀ ହୋଇପାରିଲେ ଗାଁ ହସିବା ସହିତ ଦେଶ ହସି ଉଠିବ।
ବ୍ୟକ୍ତିଗତ ଉଦ୍ୟମରେ…

Leave A Reply