ବୋମା ମାଡ଼ରେ ଜଣେ ଆହତ , ୪ ବୋମା ଜବତ

0

ଖୋର୍ଦ୍ଧା: ମୁଣ୍ଡିଆଗୁଡ଼ିକରେ ପଥର ମାଫିଆଙ୍କ ବେଆଇନ ଖନନ ଓ ଚୋରିକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ଶୁକ୍ରବାର ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ଧୋବି ପାହାଡ଼ରେ ବିଜୟ କୁମାର କର ନାମକ ଜଣେ ଯୁବକଙ୍କ ଉପରକୁ ପ୍ରତିପକ୍ଷ ମାଫିଆ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ହେବାରୁ ସେ ଆହତ ହୋଇଛନ୍ତି। ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଛି। ଏହି ମାମଲାରେ ପୁଲିସ ଜଣକୁ ଗିରଫ କରି ତା’ ନିକଟରୁ ୪ଟି ଅଫୁଟା ବୋମା ଜବତ କରିଛି।
ସୂଚନା ଅନୁଯାୟୀ ଧୋବି ମୁଣ୍ଡିଆକୁ ନେଇ ଖୋର୍ଦ୍ଧା ଅଞ୍ଚଳର ମହେଶ୍ୱର ପରିଡ଼ା ଓ ମଳିପଡ଼ା ଅଞ୍ଚଳର ଭାଗୀରଥି ରାଉତରାୟଙ୍କ ମଧ୍ୟରେ ଗତ ଦୁଇ ବର୍ଷ ହେବ ବିବାଦ ଲାଗି ରହିଛି। ଦୁଇ ଦିନ ପୂର୍ବେ ଉଭୟ ଗୋଷ୍ଠୀ ମଧ୍ୟରେ ମୁଣ୍ଡିଆ ଉପରେ ବୋମା ମାଡ଼ ହୋଇଥିଲା। ଶୁକ୍ରବାର ଅପରାହ୍ଣରେ ମଳିପଡ଼ା ଅଞ୍ଚଳର ଗୌରହରି ନିଶଙ୍କ ମୁଣ୍ଡିଆରେ କାର୍ଯ୍ୟ ତଦାରଖ କରୁଥିଲେ। ଏହି ସମୟରେ ଏକ ବାଇକ ଯୋଗେ ଫତେଗଡ଼ ଅଞ୍ଚଳର ବିଜୟ କୁମାର ତାଙ୍କ ଅନ୍ୟ ଜଣେ ସହଯୋଗୀଙ୍କ ସହ ଧୋବି ମୁଣ୍ଡିଆ ନିକଟରେ ପହଞ୍ଚିଥିଲେ। ସେମାନଙ୍କ ସହ କଥା ହେବା ପୂର୍ବରୁ ବିଜୟ ହଠାତ୍‍ ଏକ ବୋମା ନିଶକଙ୍କ ଉପରକୁ ଫୋପାଡ଼ି ଥିଲେ। ବୋମାଟି ବିସ୍ଫୋରଣ ହେବା ଯୋଗୁଁ
ଗୌରହରିଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି। ବିସ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ବାଇକ୍‍ ଯୋଗେ ଆସିଥିବା ଦୁଇ ଦୁର୍ବୃତ୍ତ ମଳିପଡ଼ା ରାସ୍ତା ହୋଇ ଖସି ପଳାଉଥିବାବେଳେ ଗ୍ରାମବାସୀ ମୁଖ୍ୟ ଅପରାଧୀ ବିଜୟ କୁମାରକୁ ରାସ୍ତାରେ କାବୁ କରି ନେଇଥିଲେ। ଅନ୍ୟଜଣେ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ଜଣାପଡ଼ିଛି। ଗ୍ରାମବାସୀ ଜଙ୍କିଆ ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ତା’ ନିକଟରୁ ୪ଟି ଅଫୁଟା ବୋମା ଜବତ କରି ପୁଲିସ ଅକାମୀ କରିଦେଇଛି। ତା’ ଛଡ଼ା ଅଭି୍‍ୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଚାଲିଥିବା ମାଫିଆରାଜକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଖୁବ୍‍ଶୀଘ୍ର ଏକ ସ୍କ୍ୱାଡ୍‍ ଗଠନ କରାଯାଇ ଚଢ଼ଉକୁ ଜୋରଦାର କରାଯିବ ବୋଲି ଖୋର୍ଦ୍ଧା ଏସ୍‍ଡିପିଓ ଯୁଗଳ କିଶୋର ଦାଶ କହିଛନ୍ତି।
ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲା ସଦର ମହକୁମା ନିକଟବର୍ତ୍ତୀ ଅଞ୍ଚଳରେ ରହିଛି ଜଗନ୍ନାଥ ମହାପ୍ରଭୁଙ୍କ ୩୯ଟି ଗ୍ରାନାଇଟ୍‍ ମୁଣ୍ଡିଆ। ଏଗୁଡ଼ିକ ମଧ୍ୟରୁ କେତୋଟି ନିଲାମ ହୋଇଥିବା ବେଳେ ଅନ୍ୟ କିଛି ନିଲାମ ହୋଇ ନାହିଁ। ନିଲାମ ନେଇଥିବା ବ୍ୟକ୍ତିମାନେ ଧାର୍ଯ୍ୟ ନୀତିନିୟମକୁ ଉଲ୍ଲଙ୍ଘନ କରି ପଥର ଉତ୍ତୋଳନ କରୁଥିବା ବେଳେ ନିଲାମ ହୋଇ ନଥିବା ମୁଣ୍ଡିଆଗୁଡ଼ିକରେ ମାଫିଆଙ୍କ ରାଜ ଚାଲିଛି। ପ୍ରକାଶ ଯେ ୨୦୧୬ ଅକ୍ଟୋବରରେ ପଥର ମାଫିଆ କାଇପଦରର ଦୁଇ ଭାଇଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ଏପର୍ଯ୍ୟନ୍ତ ମୁଖ୍ୟ ଅପରାଧୀକୁ ପୁଲିସ ଧରିବାରେ ସକ୍ଷମ ହୋଇ ନାହିଁ। ପୁଲିସର ଏହି ନିଷ୍କ୍ରିୟତା ମାଫିଆଙ୍କୁ ବେଶ୍‍ ସୁହାଇଛି ବୋଲି ସାଧାରଣରେ ଆଲେଚନା ହେଉଛି। ବିଶେଷକରି ପ୍ରଶାସନିକ ସ୍ଥାଣୁତା ଓ ପୁଲିସ ନିଷ୍କ୍ରିୟତା ଯୋଗୁଁ କୋଟି କୋଟି ଟଙ୍କା ରାଜସ୍ୱହାନି ହେଉଛି।

Leave A Reply