ବୈତରଣୀ ତଳମୁଣ୍ଡରେ ବଢୁଛି ଜଳସ୍ତର

ଦୁର୍ବଳ ନଦୀବନ୍ଧ, ବଉଳା କୁମ୍ଭୀରକୁ ନେଇ ଆତଙ୍କିତ ନଈକୂଳିଆ

ଆରଡି : ଲଘୁଚାପ ପ୍ରଭାବରେ ବୈତରଣୀ ନଦୀର ଉପରମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁ ଗତ ୨ଦିନ ହେବ କ୍ରମଶଃ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏପଟେ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଜଳସ୍ତର ମଙ୍ଗଳବାର ବଢିବା ଫଳରେ କେତକ ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ଥିବାରୁ ବନ୍ୟାଜଳ ସିଧାସଳଖ ଭାବେ କୂଳଲଂଘି ଚାଷଜମୀକୁ ମାଡିବାରେ ଲାଗିଥିଲା। ବିଶେଷକରି କିଛିଦିନ ହେବ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିବା ଦ୍ୱାରା ଉଚ୍ଚ ଜୁଆରଢେଉ ଉଠୁଥିବାରୁ ବନ୍ୟାଜଳ ନିଷ୍କାସନରେ ବାଧା ଉପୁଜିଛି। ଏପରିକି ଜୁଆର ସମୟରେ ନଦୀ ଫୁଲି ଉଠିବା ସହ କୂଳ ଲଘୁଂଥିବା ନଦୀକୂଳିଆବାସୀ ପ୍ରକାଶ କରିଛନ୍ତି। ସବୁଠାରୁ ବଡକଥା ହେଲା ବିଗତ କଛି ବର୍ଷ ହେବ ସୁନ୍ଦରପୁର ଓ ଓଳଗ ପଞ୍ଚାୟତର ସୁନ୍ଦରପୁର ଠାରୁ ବୋଡକ ପର୍ଯ୍ୟନ୍ତ ନଦୀବନ୍ଧର ସୃଦୁଢୀକରଣ କରିବା ପାଇଁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୧୦କୋଟି ଟଙ୍କା ବ୍ୟୟ ବରାଦ କରାଯିବା ସହିତ ୨୦୧୭ ଠାରୁ ୨୦୧୯ ଜାନୁଆରୀ ପର୍ଯ୍ୟନ୍ତ ନଦୀବନ୍ଧର ମରାମତି ଓ ପଥରପ୍ୟାକିଂ କାର୍ଯ୍ୟ କରାଯାଇଥିଲା। ହେଲେ ଉକ୍ତ କାର୍ଯ୍ୟ ଠିକ ଭାବେ ହୋଇନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। ଏପରିକି ସେମାନଙ୍କ କହିବା ଅନୁଯାୟୀ ଯଦି ନଦୀବନ୍ଧ ସୃଦୁଢୀକରଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଗଲା ତାହାହେଲେ ଏବେ ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗ ପକ୍ଷରୁ ଦୃର୍ବଳ ନଦୀବନ୍ଧରେ ବାଲିବସ୍ତା ପକାଯିବା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଷାଠିବାଙ୍କୁଡା, ବୋଡକ, ଅମୃତମଣୀ, ଦୋହରାପାଟଣା ଆଦି ନଦୀକୂଳିଆବାସୀ ପ୍ରକାଶ କରିଛନ୍ତି।
ବିଶେଷକରି ନଦୀର ଜଳସ୍ତର ବଢିଲେ ନଦୀରେ ଥିବା ହିଂସ୍ର ବଉଳା କୁମ୍ଭୀର ନଈକୂଳିଆଙ୍କ ନିଦ ହଜାଇ ଦେଉଛନ୍ତି। ସେହିପରି ବୈତରଣୀ ନନ୍ଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବିଭିନ୍ନ ଏସ୍କେପ ଓ ମାହାରା ଦେଇ ଚାଷଜମି ଓ ଜନବସତି ଆଡକୁ ବନ୍ୟାଜଳ ମାଡି ଆସୁଛି। ଯଦି ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ରୁହେ ତେବେ ଉକ୍ତ ଅଞ୍ଚଳରେ ବଡବନ୍ୟାକୁ ଏଡାଇ ଦିଆଯାଇ ପାରିବନି ବୋଲି ଉକ୍ତ ଅଞ୍ଚଳର ପୁରୁଖା ଲୋକମାନେ ପ୍ରକାଶ କରିଛନ୍ତି। ସେପଟେ ବୈତରଣୀ ନଦୀର ଶାଖା ସାଳନ୍ଦୀ ନଦୀରେ ଜଳସ୍ତର ବଢିବା ଫଳରେ ଆରଡି ପଞ୍ଚାୟତ ଶୀତଳପୁର ଗାଁ ନିକଟରେ ନଦୀ କୂଳ ଲଘିଂ ଗାଁ ଦାଣ୍ଡକୁ ବନ୍ୟାଜଳ ମାଡି ଆସୁଥିବା ବେଳେ ନାନ୍ଦପୁର ପଞ୍ଚାୟତର ପାଲଟପୁର ନିକଟରେ ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ନଦୀକୂଳିଆ ଆତଙ୍କିତ ହୋଇ ପଡିଛନ୍ତି। ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ଦୋହରାପାଟଣା, ବାଲିଘାଇ, ଷାଠିବାଙ୍କୁଡା, ଶିତଳପୁର ଠାରେ ଥିବା ଦୃବଳ ନଦୀବନ୍ଧ ସର୍ମ୍ପକରେ ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ଏ ସର୍ମ୍ପକରେ କିଛି କହିବେ ନାହିଁ ବୋଲି ସିଧାସଳଖ ଭାବେ ଏଡାଇ ଦେଇଥିଲେ। ପରେ ଘଟଣା ସର୍ମ୍ପକରେ ବିଭାଗୀୟ ଏସଡିଓ ଭୁବନାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ବନ୍ଧ ମରାମତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଯେଉଁ ସ୍ଥାନରେ ନଦୀବନ୍ଧ ଦୃବଳ ଅଛି ସେଠି ତହସିଲି ଦ୍ୱାରା ବାଲି ଉତ୍ତୋଳନ ହେଉଥିବାରୁ ନଦୀବନ୍ଧ ପ୍ରତିବର୍ଷ ନଷ୍ଟ ହେବା ସହ ବନ୍ୟା ସମୟରେ ବିପଦ ସୃଷ୍ଟି ହେଉଛି। ଏପରିକି ଆଂଶିକ ମରାମତି ପାଇଁ ବିଭାଗ ପକ୍ଷରୁ ଟଙ୍କା ଅଟକଳ ନକରିବା ପାଇଁ ଜଳସେଚନ ବିଭାଗର ସଚିବଙ୍କର ନିର୍ଦେଶ ରହିଥିବା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ପରେ ଚାନ୍ଦବାଲି ତହସିଲିଦାର ସତ୍ୟଜିତ ରାଉତଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର କୈାଣସି ପ୍ରତିକ୍ରିୟା ମିଳି ପାରିନଥିଲା।

Comments are closed.