ବେଶ୍‌ କିଛି ଶିଖିବାର ଅଛି

0

ଅବସର ବେଉରିଆ

ଭାରତୀୟ ନିର୍ବାଚନ ଫଳାଫଳର ପୂର୍ବାନୁମାନ କରିବା ଏତେ ସହଜ ନୁହେଁ। ଗତି କିଛି ନିର୍ବାଚନ ସମୟରେ ବିଭିନ୍ନ ଏକ୍‍ଜିଟ୍‍ ପୋଲର ଭବିଷ୍ୟତବାଣୀ ଭୂଲ୍‍ ପ୍ରମାଣିତ ହୋଇଥିଲା। କିନ୍ତୁ ଏଥର ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ଗଣମା୍ମମ ଓ ଭବିଷ୍ୟତବିତ୍‍ ଭୋଟ ଦାନର ଗତି ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ନିର୍ବାଚନ, ଭୋଟଦାନର ଏବଂ ଏକ୍‍ଜିଟ୍‍ ପୋଲ ପୂର୍ବାନୁମାନ କେତେକାଂଶରେ ସଠିକ୍‍ ପ୍ରମାଣିତ ହୋଇଛି। ମୋଟା ମୋଟି ଭାବେ ଫଳାଫଳର ଅନୁଶୀଳନ କଲେ କିଛି ଟ୍ରେଣ୍ଡ ବା ଧାରା ପ୍ରସ୍ଫୁଟିତ ହେଉଛି। ପ୍ରଥମତଃ ବିମୁଦ୍ରାୟନ ଓ ଜିଏସ୍‍ଟି ଭାରତୀୟ ଭୋଟର୍‍ଙ୍କୁ ପ୍ରଭାବିତ କରିଛି ଓ ଭୋଟ ଫଳାଫଳର ସେମାନଙ୍କର ଅସନ୍ତୋଷର ପ୍ରତିଫଳନ ମାତ୍ର। ଦ୍ୱିତୀୟ କାରଣ ହେଲା କୃଷିର ଓ କୃଷକର ଅବହେଳା। ଚାଷୀମାନଙ୍କ ଦାରୁଣ ଦୁଃଖଦାୟକ ପରିସ୍ଥିତି ଏବଂ ଏହା ତାଙ୍କର ପ୍ରତିକୂଳ ପ୍ରକ୍ରିୟାର ପ୍ରକାଶ। ତେଲେଙ୍ଗାନାରେ ମୂଖ୍ୟମନ୍ତ୍ରୀ କୃଷକମାନଙ୍କ ପାଇଁ ହିତକାରୀ ନୀତି ଓ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ଟିଏସ୍‍ଆର୍‍କୁ ଜୟଯୁକ୍ତ କରାଇବାରେ ସକ୍ଷମ ହୋଇଛି। ବେରୋଜଗାରୀ ମଧ୍ୟ ବିଜେପି ବିରୋଧରେ ଯୁବପିଢ଼ିଙ୍କୁ ବିମୁଖ କରିଛି। ଦେଶରେ ଦୃଶ୍ୟମାନ ହିଂସା, ଘୃଣାର ବାତାବରଣ ବିରୁଦ୍ଧରେ ଭୋଟର ନିଜର ସ୍ପଷ୍ଟ ମତାମତ ପ୍ରକାଶ କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ସରକାର ଓ ସମ୍ବଳ ଥିଲେ ମଧ୍ୟ ଭାଜପା ବହୁଦିନ ଧରି କ୍ଷମତାରେ ଥିବା ଗାଦିସୀନ ଶାସକ ଦଳ ବିରୋଧରେ ମତାମତରେ ପ୍ରତିଫଳିତ ହୋଇଛି। ବିକାଶ ସହିତ ଧର୍ମ ମଧ୍ୟ ନିର୍ବାଚନ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ବିଜେପିର କାର୍ଯ୍ୟକ୍ରମ, ପ୍ରଚାର ଓ ପ୍ରାର୍ଥୀ ମନୋନୟରେ ଧର୍ମର ପ୍ରାଧାନ୍ୟ ଜଣାଶୁଣା କଥା; କିନ୍ତୁ ରାହୁଲ ଗାନ୍ଧୀଙ୍କର ମନ୍ଦିର, ମସଜିଦ୍‍, ଗୁରୁଦ୍ୱାର ପରିଦର୍ଶନ ଓ ପୂଜାର୍ଚ୍ଚନା ପ୍ରମାଣ କରୁଛି ଭାରତୀୟ ନିର୍ବାଚନରେ ଧର୍ମର ଗୁରୁତ୍ୱ ରହିଛି। କିନ୍ତୁ ରାମ ମନ୍ଦିର କାର୍ଡ ଏଥର ନିର୍ବାଚନରେ ବିଶେଷ ଫଳପ୍ରଦ ହୋଇପାରି ନାହିଁ। ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାରରେ ଗାନ୍ଧୀ ପରିବାର, ପରିବାରବାଦ୍‍, ଅଗଷ୍ଟା ହେଲିକପ୍‍ଟରରେ ଦୁର୍ନୀତି ପ୍ରଭୃତି ମୁଖ୍ୟ ପ୍ରସଙ୍ଗ ଥିଲାବେଳେ ରାହୁଲ ଗାନ୍ଧୀ କୃଷି, କୃଷକ ଓ ଜନଜାତିଙ୍କର ଅବହେଳା ଓ ଆଶା ଏବଂ ଆକାଙ୍‌କ୍ଷା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଚାରରେ ଭାଷା ପ୍ରୟୋଗରେ ଶାଳୀନତା, ଭଦ୍ରତାର ଅଭାବ ପରିଲକ୍ଷିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଓ ରାହୁଲ ଅତୀତର ପ୍ରଚାର ଶୈଳୀରେ ପରିବର୍ତ୍ତନ ଆଣି ବ୍ୟକ୍ତିଗତ ଆକ୍ଷେପବହୁଳ ନିର୍ବାଚନ ପ୍ରଚାର କରିବାକୁ କୁଣ୍ଠାବୋଧ କରି ନ ଥିଲେ। ମନେହୁଏ, ରାହୁଲ ଗାନ୍ଧୀ ଏଭଳି ଗୋଟିଏ ଉଦ୍ଦେଶ୍ୟମୂଳକ ରଣକୌଶଳ ସବୁ ଦିଗରୁ ବିଚାର କରି ମୋଦୀଙ୍କୁ ପ୍ରତିରକ୍ଷାମୂଳକ
କରିବାରେ ସକ୍ଷମ ହୋଇଥିଲେ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସପକ୍ଷରେ ଗତ ନିର୍ବାଚନ ଠାରୁ ୬-୭ ପ୍ରତିଶତ ଅଧିକ ଭୋଟ୍‍ ପ୍ରଦାନ ଓ ବହୁଜନ ସମାଜ ପାର୍ଟିର ଭୋଟ୍‍ ହାର ବୃଦ୍ଧି ୨୦୧୯ ପାର୍ଲାମେଣ୍ଟ ନିର୍ବାଚନରେ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ।
ଏ ନିର୍ବାଚନର ଆଉ ଗୋଟିଏ ବଡ଼ କଥା ହେଉଛି ରାହୁଲ ଗାନ୍ଧୀଙ୍କର ଉଦୟ। ଏକାକୀ ନିର୍ବାଚନ ପ୍ରଚାରର ମଙ୍ଗ ଧରି ଦମ୍ଭ ଭାଙ୍ଗିଯାଇଥିବା ଆତ୍ମପ୍ରତ୍ୟୟ ନଷ୍ଟ ହୋଇଥିବା କଂଗ୍ରେସର ଦଳକୁ ତିନିଟି ରାଜ୍ୟରେ ସରକାର ଗଠନ ଅବସ୍ଥାକୁ ଆଣିବା ଏକ ବିରାଟ ସଫଳତା। ମଧ୍ୟପ୍ରଦେଶରେ ବିଜେପିର ଗଡ଼ରେ ଟକ୍କର ଦେଇ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ହେବା କିଛି କମ୍‍ କଥା ନୁହେଁ। ତାଙ୍କୁ ଯେଉଁମାନେ ଗୁରୁତ୍ୱ ଦେଉ ନ ଥିଲେ ଏବଂ ତାଛଲ୍ୟ, ବ୍ୟଙ୍ଗାତ୍ମକ ଶବ୍ଦରେ ଚିତ୍ରଣ କରୁଥିଲେ, ଏହି ଫଳାଫଳ ପରେ ସେମାନଙ୍କୁ ମତ ପରିବର୍ତ୍ତନ କରିବାକୁ ପଡ଼ିବ। ରାହୁଲଙ୍କ ଭାବମୂର୍ତ୍ତି ବର୍ତ୍ତମାନ ଭିନ୍ନ। କେବଳ ସେତିକି ନୁହେଁ; କଂଗ୍ରେସ ଦଳରେ ନେତୃତ୍ୱରେ ପିଢ଼ି ପରିବର୍ତ୍ତନ କରି ବହୁ ସଂଖ୍ୟାରେ ଯୁବପିଢ଼ି ଲୋକଙ୍କୁ ସାହାଯ୍ୟ, ସମର୍ଥନରେ ବୁଥ୍‍ସ୍ତର ନିର୍ବାଚନ ପ୍ରଚାରରେ ଶକ୍ତି ସଂଚାର କରିବାରେ ସେ ସକ୍ଷମ ହୋଇଥିଲେ। ନିର୍ବାଚନ ଫଳାଫଳ ନିଶ୍ଚିତ ଭାବେ ଦେଶର ଅନ୍ୟ ପ୍ରାନ୍ତରେ କଂଗ୍ରେସ ଦଳର ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବ ଓ ୨୦୧୯ ନିର୍ବାଚନରେ ଦଳକୁ ସକରାତ୍ମକ ପ୍ରଚାର ଓ କାର୍ଯ୍ୟକ୍ରମ ପାଇଁ ଉପାଦାନ ଯୋଗାଇବ।
୨୦୧୯ରେ ଏ ନିର୍ବାଚନ ଫଳାଫଳର କ’ଣ ପ୍ରଭାବ ପଡ଼ିବ କହିବା କଷ୍ଟ। କାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାରେ କୌଣସି ପରିବର୍ତ୍ତନ ଆସିନାହିଁ। ଜନସାଧାରଣଙ୍କ ମାନସରେ ଏବେ ବି ସେ ଜଣେ ଦକ୍ଷ ନେତା। ତାଙ୍କର ବିକଳ୍ପ ଭାବେ କୌଣସି ନେତା ଉଭା ହୋଇନାହାନ୍ତି। କିନ୍ତୁ ବାସ୍ତବତା ହେଉଛି ଦକ୍ଷିଣ ଓ ପୂର୍ବ ଭାରତରେ ବିଜେପିର ସ୍ଥିତି ଭଲ ନୁହେଁ। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ତିନିଟି ପ୍ରଦେଶରେ ପରାଜୟ ୨୦୧୯ ନିର୍ବାଚନରେ ଭୋଟରମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଗତ ତିନିଟି ଲୋକସଭା ନିର୍ବାଚନକୁ ଅନୁମାନ କଲେ ଜଣାପଡ଼େ ଯେ ବିଧାନସଭାର ଫଳାଫଳର ଲୋକସଭା ନିର୍ବାଚନରେ ସମଭାବେ ଦୃଷ୍ଟିଗୋଚର ହୁଏ। ଯଦି ସେପରି ହୁଏ ତେବେ ବିଜେପି ଏହି ତିନିଟି ପ୍ରଦେଶରେ ପ୍ରାୟ ୪୫ଟି ସିଟ୍‍ ହରାଇବାର ଆଶଙ୍କା ରହିଛି। ପଞ୍ଜାବରେ ବର୍ତ୍ତମାନ କଂଗ୍ରେସ ସରକାର। ଉତ୍ତର ପ୍ରଦେଶରେ ସମାଜବାଦୀ ଓ ବହୁଜନ ସମାଜ ପାର୍ଟିର ବୁଝାମଣା ହେବାର ପ୍ରସ୍ତୁତି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ତାହା ହୋଇପାରିଲେ ଉତ୍ତରପ୍ରଦେଶରେ ନିର୍ଣ୍ଣାୟକ ନିର୍ବାଚନ ହେବାର ସମ୍ଭାବନା ରହିଛି; ଯାହା ଜାତୀୟ ରାଜନୀତିକୁ ପ୍ରଭାବିତ କରିବ। ବିରୋଧୀ ଦଳମାନେ ଏକତ୍ର ହୋଇପାରିଲେ ଏବଂ ପ୍ରଧାନମନ୍ତ୍ରୀ ପ୍ରାର୍ଥୀରେ ସହମତ ଆସିପାରିଲେ ୨୦୧୯ ନିର୍ବାଚନ ପ୍ରତିଦ୍ୱନ୍ଦୀମୂଳକ ଏବଂ ଚିତ୍ତାକର୍ଷକ ହେବ।

Leave A Reply