ବିମାନରେ ପିଟିହେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲେ ୯୭ ଯାତ୍ରୀ

ଅହମଦାବାଦ : ଅହମଦାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶନିବାର ସକଳେ ଉଡ଼ାଣ ଭରିବାର ୧୦ ମିନିଟ ପରେ ପକ୍ଷୀ ପିଟି ହେବାରୁ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି।
ସୂଚନା ଅନୁସାରେ ଅହମଦାବାଦ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ (ଏଆଇ-୦୧୮) ୯୭ ଜଣ ଯାତ୍ରୀଙ୍କୁ ନେଇ ଶନିବାର ସକାଳ ୭ଟା ୧୦ ମିନିଟରେ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣ ଭରିବାର କିଛି ମିନିଟ ପରେ ତାହା ବିମାନ ବନ୍ଦରକୁ ପୁନଃ ଫେରି ଆସିଥିଲା। ସେଠାରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ସକାଳ ୮ଟା ୪୫ରେ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥାନ୍ତା। ଯାନ୍ତ୍ରିକ ତ୍ରୁଟିରୁ ବିମାନଟିକୁ ଜରୁରୀ କାଳୀନ ଅବତରଣ କରାଗଲା ବୋଲି କୁହାଯାଇଛି। ବିକଳ୍ପ ବିମାନ ଉପଲବ୍ଧ ନଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ଯାତ୍ରୀଙ୍କୁ ଦିଲ୍ଲୀରୁ ଅନ୍ୟ ବିମାନ ଧରିବାର ଥିଲା। ବିମାନ ଉଡ଼ାଣରେ ବିଳମ୍ବ ହେବାରୁ ସେମାନେ ଦିଲ୍ଲୀ ବିମାନକୁ ଧରିପାରିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଏନେଇ ବିମାନ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି।

Comments are closed.