ଫ୍ଲିପ୍‍କାର୍ଟ ପରେ ଫ୍ୟୁଚର ଗ୍ରୁପ ଉପରେ ୱାଲମାର୍ଟର ନଜର

0

ଭୁବନେଶ୍ୱର/ନୂଆଦିଲ୍ଲୀ : ୱାଲମାର୍ଟ,  ଫ୍ଲିପ୍‍କାର୍ଟକୁ ଅଧିଗ୍ରହଣ କରିବା ପରେ ଦେଶରେ ଖୁଚୁରା କାରବାରରେ ବହୁରାଷ୍ଟ୍ରୀୟ କମ୍ପାନୀର ପ୍ରବେଶ ନେଇ ଆଲୋଚନା ଚାଲିଛି। ତେବେ  କେବଳ ୱାଲମାର୍ଟ  ନୁହେଁ ଅନେକ ବଡ଼ ବଡ଼ କମ୍ପନୀ ମଧ୍ୟ ଭାରତୀୟ ଖୁଚୁରା ବଜାରରେ ପଛଦ୍ୱାର ଦେଇ ପ୍ରବେଶ କରିବା ଦୌଡ଼ରେ ଅଛନ୍ତି। ଫ୍ଲିପ୍‍କାର୍ଟକୁ ଅଧିଗ୍ରହଣ କରିବା ପରେ ଏବେ ୱାଲମାର୍ଟର ନଜର କିଶୋର ବିୟାନୀଙ୍କ ଫ୍ୟୁଚର ଗ୍ରୁପ୍‍ ଉପରେ ପଡିଛି। ବିୟାନୀ ମଧ୍ୟ ନିଜେ କହିଛନ୍ତି ଯେ, ସେ ଜଣେ ସୁଦୃଢ ବ୍ୟବସାୟୀ ସହଯୋଗୀ ଚାହୁଁଛନ୍ତି। ଏଥିପାଇଁ ଆର୍ଥିକ ସୁଦୃଢ କମ୍ପାନୀକୁ ସହଭାଗୀ କରିବା ପାଇଁ ଚାହୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ହେବ ବୋଲି ଜଣାପଡିଛି। ତେଣୁ ୱାଲମାର୍ଟ, ଆମାଜନ୍‍ ଅବା ଅଲିବାବା ମଧ୍ୟର ଫ୍ୟୁଚର ଗ୍ରୁପ୍‍ର ପାର୍ଟନର ହୋଇ ପାରିବେ। ଆମାଜନ ଏବଂ ଅଲିବାବା ମଧ୍ୟ ବିୟାନୀଙ୍କୁ ସାକ୍ଷାତ କରିଛନ୍ତି।


ଏକ ରିପୋର୍ଟ ଅନୁସାରେ କିଶୋର ବିୟାନୀଙ୍କ ଫ୍ୟୁଚର ଗ୍ରୁପ୍‍ ମଧ୍ୟ ୱାଲମାର୍ଟ ଏବଂ ଆମାଜନ୍‍ ସହିତ ଯୋଗାଯୋଗ ରଖିଛି। କିଏ ପ୍ରଥମେ ଫ୍ୟୁଚର ଗ୍ରୁପ୍‍କୁ ଖରିଦ କରିବ? ଏହା ପ୍ରାୟ ସ୍ଥିର ହୋଇସାରିଛି ବୋଲି କୁହାଯାଉଛି। ୱାଲମାର୍ଟ ଏବଂ ଆମାଜନ୍‍ ଦୌଡ଼ରେ ଥିବା ଜଣାପଡିଛି। ଫ୍ୟୁଚର ଗ୍ରୁପ୍‍ର ପ୍ରତିଷ୍ଠାତା କିଶୋର ବିୟାନୀ ଜାନୁଆରୀର ଶେଷ ଭାଗ କିମ୍ବା ଫେବୃଆରୀ ମାସରେ ଆମେରିକାରେ ଆମାଜନ୍‍ର ପ୍ରତିଷ୍ଠାତା ଜେଫ୍ ବେଯୋଶଙ୍କୁ ସାକ୍ଷାତ କରିଥିଲେ। ଏଥିରେ ଦୁଇଜଣଙ୍କ ମଧ୍ୟରେ ବ୍ୟବସାୟିକ ଭାଗିଦାରୀ ନେଇ ଆଲୋଚନା ହୋଇଥିଲା। ଦେଶରେ ସଂଗଠିତ ଭାବେ ଖାଦ୍ୟ ଏବଂ ତେଜରାତି ସାମଗ୍ରୀର ଏକ ତୃତୀୟାଂଶ ଉପରେ ଫ୍ୟୁଚର ଗ୍ରୁପ୍‍ ଅଧିନରେ ଅଛି। ବିୟାନୀ କିଛି ଦିନ ପୂର୍ବରୁ ଚୀନ ଯାଇଥିଲେ, ସେଠାରେ ତାଙ୍କର ସାକ୍ଷାତ ଅଲିବାବାର ଅଧିକାରୀମାନଙ୍କ ସହିତ ହୋଇଥିଲା। କୁହାଯାଉଛି ଯେ, ସେ ଚୀନର ବ୍ୟବସାୟିକ ମଡେଲ ବିଷୟରେ ବୁଝିବାକୁ ଯାଇଥିଲେ।

ଭାରତରେ ସେହି ମଡେଲକୁ ଉପଯୋଗ କରିବା ପାଇଁ ବିୟାନୀ ଚାହୁଛନ୍ତି। ଫ୍ୟୁଚର ଗ୍ରୁପ୍‍ ନିଜ କମ୍ପାନୀରେ ଷ୍ଟ୍ରାଟେଜିକ୍ ନିବେଶକ ଚାହୁଛି। ଅନ୍ୟପକ୍ଷରେ ଆମାଜନ ଭାରତରେ ଅନଲାଇନ୍‍ ସହିତ ଅଫ୍‍ ଳାଇନ୍‍ ଉପସ୍ଥିତି ସପକ୍ଷରେ ଅଛି। ମୋଟା ମୋଟି ଭାବେ ୱାଲମାର୍ଟ ଏବଂ ଅମାଜନ୍‍ ଉଭୟ ଭାରତୀୟ ଖ୍‍ୁଚୁରା ବଜାରରେ ପ୍ରବେଶ କରିବା ପାଇଁ ଆଲୋଚନା କରିଛନ୍ତି। କିଭଳି ଉଭୟଙ୍କୁ ଲାଭ ମିଳିବ ସେ ନେଇ ଆଲୋଚନା ହୋଇଛି। ତେବେ ବ୍ୟବସାୟିକ ଦୃଷ୍ଟିକୋଣରୁ ଆମାଜନ୍‍ ଫ୍ୟୁଚର ଗ୍ରୁପ୍‍ର ଭଲ ବ୍ୟବସାୟିକ ସହଯୋଗୀ ହୋଇପାରିବ। ଆମାଜନ ଭାରତରେ ସେବି ନିକଟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଭାବେ ପଞ୍ଜିକରଣ କରିଛି। ଏଥିପାଇଁ ସେ ଦେଶର ଯେକୌଣସି ଖୁଚୁରା କମ୍ପାନୀରେ ୪୯ ପ୍ରତିଶତ ପର୍ଯ୍ୟନ୍ତ ଅଂଶୀଦାର ହୋଇ ପାରିବ।


ଅନ୍ୟ ପକ୍ଷରେ ସଂଘ ପରିବାରର ସଦସ୍ୟ ସ୍ୱଦେଶୀ ଜାଗରଣ ମଂଚ ଖୂଚୁରା ବ୍ୟବସାୟିକ କ୍ଷେତ୍ରରେ ଆମେରିକୀୟ କମ୍ପାନୀ ୱାଲମାର୍ଟ, ଫ୍ଲିଫକାର୍ଟକୁ ୧୬୦୦ କୋଟି ଡ଼ଲାରରେ ଅଧିଗ୍ରହଣ କରିବା ମାଧ୍ୟମରେ ପଛଦ୍ୱାର ଦେଇ ପ୍ରବେଶ କରିବାର ପ୍ରୟାସ କରୁଛି। ରାଷ୍ଟ୍ର ହିତ ଦୃଷ୍ଟିରୁ ଏଥିରେ ହସ୍ତକ୍ଷେପ କରିବା ପାଇଁ ସ୍ୱଦେଶୀ ଜାଗରଣ ମଂଚ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି।

Leave A Reply