ଫସଲ ହାନି, ଯୁବ ଚାଷୀଙ୍କ ଆତ୍ମହତ୍ୟା

0

ବେଲପଡା: ଫସଲହାନୀ ନେଇ ପଶ୍ଚିମ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ବଲାଙ୍ଗିର ଜିଲା ବେଲପଡା ଥାନା ଗିଦମାଲ ଗାଁରେ ଫସଲ ହାନି ନେଇ ଜଣେ ଚାଷୀ ବିଷ ଖାଇ ଆତ୍ମହତ୍ୟା କରିଥିବା ନେଇ ବେଲପଡା ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ ଯେ, ଗିଦମାଲ ଗାଁର ଚତୁର୍ଭୁଜ ପାତ୍ର ନିଜ ୨ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ବର୍ଷା ଅଭାବରୁ ଧାନ ଗଛ ସବୁ ମରି ଯାଇଥିଲା। ରବିବାର ଅପରାହ୍ନରେ ଚତୁର୍ଭୁଜ ନିଜ କ୍ଷେତରୁ ଘରକୁ ଆସି ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ପାଣି ଛାଟିବା ପରେ ଚେତା ଫେରିବାରୁ ଚତୁର୍ଭୁଜ ପୁଅକୁ ବିଷ ଖାଇଥିବା କହିଥିଲେ। ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୨୧ତାରିଖ ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି।
ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଫସଲ ହାନି ଓ ପରିବାର ପ୍ରତିପୋଷଣ ଚିନ୍ତାରେ ଚତୁର୍ଭୁଜ ବିଷ ଖାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave A Reply