‘ପେଥାଇ’ ନେଲା ୨ ଜୀବନ

0

ବିଜୟୱାଡା : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ପେଥାଇ’ ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲା ଅନ୍ତର୍ଗତ କାର୍ଟେନିକୋନ ଗ୍ରାମଠାରେ ଭୂଭାଗ ଛୁଇଁଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଜିଲା ସାଙ୍ଗକୁ ଓଡ଼ିଶା ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବୋହିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ବୃକ୍ଷ ଓ ବିଦ୍ୟୁତ ଖୁଣ୍ଟ ଉପୁଡିପଡିଥିବାବେଳେ କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳ ଘଟିଛି। ବିଜୟୱାଡାରେ ଭୂସ୍ଖଳନ ଯୋଗୁ ଆର୍‍. ଦୁର୍ଗା ରାଓ (୨୮) ପ୍ରାଣ ହରାଇଛନ୍ତି। ସେହିଭଳି ପୂର୍ବଗୋଦାବରୀ ଜିଲାରେ ପ୍ରବଳ ପବନ ଯୋଗୁ ରେଲିବାଲାସାଲା ବୀରାମ୍ମା ନାମକ ୬୮ ବର୍ଷ ବୟସ୍କ ମହିଳା ପ୍ରାଣ ହରାଇଛନ୍ତି। ଜିଲାପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ବିଶେଷକରି ପୂର୍ବ ଗୋଦାବରୀ, ଗୁଣ୍ଟୁର, କୃଷ୍ଣା, ବିଜୟନଗରମ, ବିଶାଖାପାଟଣା ଏବଂ ବିଜୟୱାଡାଠାରେ ଜନଜୀବନ ପ୍ରଭାବିତ ହୋଇଛି। ପ୍ରାୟ ୨୦,୦୦୦ରୁ ଊର୍ଦ୍ଧ୍ବ ଜନତା ରିଲିଫ୍‍ ଶିବିରରେ ଆଶ୍ରୟ ନେଇଛନ୍ତି।
୫୦ରୁ ଊର୍ଦ୍ଧ୍ବ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିଭଳି ବିଶାଖାପାଟଣାକୁ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ବାତ୍ୟା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ତଳୁଆ ଅଞ୍ଚଳରୁ ହଜାରହଜାର ଲୋକଙ୍କୁ ଉଦ୍ଧାର କରି ରିଲିଫ୍‍ ଶିବିରରେ ଥଇଥାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁ ଏବଂ ରାଜ୍ୟ ଗୃହ ମନ୍ତ୍ରୀ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ୧୦,୦୦୦ରୁ ଊର୍ଦ୍ଧ୍ବ ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ତଥା ସରକାରୀ କର୍ମଚାରୀଙ୍କୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ତଟରକ୍ଷୀ ବାହିନୀକୁ ମଧ୍ୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଏନ୍‍. ଚିନା ରାଜାପ୍ପା ନିଜେ ଏକ ରିଲିଫ ଶିବିରରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ୨୦ଟି ସ୍ଥାନରେ ବୃକ୍ଷ ଉପୁଡି ପଡିଥିବାବେଳେ ପଞ୍ଚାୟତ ରାଜ ଏବଂ ଗ୍ରାମୀଣ ଉନ୍ନୟନ ବିଭାଗ ପକ୍ଷରୁ ଉଦ୍ଧାର ତଥା ରାସ୍ତାଘାଟ ସଫା କାର୍ଯ୍ୟ ଜାରି ରହିଛି। ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରେ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ମଧ୍ୟରେ ‘ପେଥାଇ’ ତୃତୀୟ। ପୂର୍ବରୁ ରାଜ୍ୟରେ ସାମୁଦ୍ରିକ ଝଡ଼ ‘ତିତଲି’ ଏବଂ ‘ଗଜ’ର ପ୍ରକୋପ ଦେଖିବାକୁ ମିଳିଥିଲା। ସୋମବାର ସନ୍ଧ୍ୟା ସୁଦ୍ଧା ‘ପେଥାଇ’ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା।

ବର୍ତ୍ତିଗଲା ଓଡ଼ିଶା

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପେଥାଇ ପ୍ରଭାବରେ ପୂର୍ବ ଗୋଦାବରୀ, କାକିନଡ଼ା ଆଦି ଅଞ୍ଚଳରେ ପବନ ସାଙ୍ଗକୁ ପ୍ରବଳ ବର୍ଷାରେ ସ୍ବାଭାବିକ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥଳଭାଗ ଛୁଇଁବା ପରେ ପେଥାଇ ଉତ୍ତର ପଶ୍ଚିମରେ ଗତି କରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଦେଇ କାକିନଡ଼ା ଉପକୂଳ ଛୁଇଁଛି। ଉତ୍ତର ପୂର୍ବ ଦିଗରେ ଗତି କରି ପୁନର୍ବାର ଏହା ରାତି ସୁଦ୍ଧା ଟୁନି ନିକଟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି। ଦୁର୍ବଳ ହେବା ପରେ ଏହା ଅବପାତରେ ପରିଣତ ହୋଇଛି।
ପେଥାଇ ପ୍ରଭାବରୁ ଓଡ଼ିଶା ବର୍ତ୍ତିଯାଇଛି। ବାତ୍ୟା ଦୁର୍ବଳ ହୋଇପଡ଼ିଥିଲେ ହେଁ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗିରହିଛି। ବଲାଙ୍ଗିର, କେନ୍ଦୁଝର, କୋରାପୁଟ, ସମ୍ବଲପୁର, ସୋନପୁର ଓ ମାଲକାନଗିରିରେ କିଛି
ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗତକାଲି ସନ୍ଧ୍ୟାଠାରୁ ଭୁବନେଶ୍ବର ଓ କଟକରେ ମଧ୍ୟ ଝିପି ଝିପି ବର୍ଷା ହେଉଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହିତ ଝିପି ଝିପି ବର୍ଷା ପ୍ରଭାବରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ବାତ୍ୟା ପ୍ରଭାବରେ ଉଭୟ ରାତି ଓ ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି।
ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗଜପତି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗର ଆକଳନ କରିଥିବାରୁ ଏଥିପାଇଁ ଗଜପତି ଜିଲା ପ୍ରଶାସନ ପକ୍ଷରୁ ୧୧,୬୦୦ଲୋକଙ୍କୁ ୧୭୪ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୧୩,୪୬୭ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବର ବ୍ୟବସ୍ଥା ହୋଇଛି।
ପାଣିପାଗ ବିଭାଗ ତଥରୁ ଜଣାପଡ଼ିଛି ଯେ ଗତ ୨୪ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲାର ନର୍ଲା ବ୍ଳକରେ ସବାଧିକ ୫୮ମିମି ବର୍ଷା ରେକର୍ଡ଼ କରାଯାଇଛି। ସିନାପାଲିରେ ୪୯ ଓ ନୂଆପଡ଼ା ବ୍ଲକର ବୋଡ଼େନରେ ୪୭ମିମି ବର୍ଷା ହୋଇଛି। ଉପକୂଳ ଅଞ୍ଚଳରେ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି। ସମୁଦ୍ର ଶାନ୍ତ ନହେବା ପର୍ଯ୍ୟନ୍ତ ବନ୍ଦରରେ ଦୁଇ ନମ୍ବର ବିପଦସଙ୍କେତ ଜାରି କରାଯାଇଛି।
ବାତ୍ୟା ଅତିକ୍ରମ କରିବା ପରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷାକୁ ଦୃଷ୍ଟିରେ ରଖି ଅମଳ ଧାନ ଓ ମଣ୍ଡିରେ ଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ଦିଗରେ ପଦ​‌େ​‌କ୍ଷପ ନେବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।

Leave A Reply