ପୁଲୱାମା ଆକ୍ରମଣ: ଭାରତ ପାଇଁ ବିକଳ୍ପ

0

ଲୋମହର୍ଷଣକାରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶୋକସନ୍ତପ୍ତ ଦେଶବାସୀ କ୍ରମଶଃ ଶୋକାକୁଳ ପରିବେଶରୁ ବାହାରି ପ୍ରତିଶୋଧର ବିକଳ୍ପ ଖୋଜିବାରେ ବ୍ୟସ୍ତ। ସୀମାପାର ଆତଙ୍କବାଦକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରୋତ୍ସାହନ ଯୋଗାଇ ଆସୁଥିବା ପାକିସ୍ତାନ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ତାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ପାକ୍‌ ସେନା ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହିଁ ଏକମାତ୍ର ପନ୍ଥା ନା ଆଉ କିଛି ବିକଳ୍ପ ରହିଛି ସେ ସମ୍ପର୍କରେ ଭାରତର ପ୍ରତିରକ୍ଷା ପରାମର୍ଶଦାତାମାନେ ବିଚାରବିମର୍ଶ ଜାରି ରଖିଥିବାବେଳେ ବିଭିନ୍ନ ବ୍ୟକ୍ତିବିଶେଷ ଓ ବିଶେଷଜ୍ଞଙ୍କ ତରଫରୁ ମଧ୍ୟ ଭିନ୍ନଭିନ୍ନ ମତ ଓ ପରାମର୍ଶ ଦିଆଯାଉଛି। ଇତିମଧ୍ୟରେ ଭାରତ କୂଟନୈତିକ ସ୍ତରରେ ପାକିସ୍ତାନକୁ ଏକଘରକିଆ କରିବାକୁ ପାଇଁ ପ୍ରୟାସ ଆରମ୍ଭ କରିସାରିଛି। ଅପରପକ୍ଷରେ ଏହି କାପୁରୁଷୋଚିତ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ରୋକିବା ପାଇଁ ଭାରତର ଉଭୟ ସାମରିକ ଓ କୂଟନୈତିକ ଉଦ୍ୟମ ବିଫଳ ହୋଇଥିବା ଅତୀତର ଅନୁଭୂତି ରହିଛି। ତେଣୁ ଭବିଷ୍ୟତରେ ଆଉ କ’ଣ ପ୍ରଭାବଶାଳୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ ସେ ବିଷୟରେ ଆଲୋଚନା କରିବାର ବେଳ ଆସିଛି ବୋଲି କୂଟନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ପାକିସ୍ତାନ ବିରୋଧରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀବୋଲି ମତ ପ୍ରକାଶ ପାଇଥିବାବେଳେ ଏହାଦ୍ୱାରା ପ୍ରତିକୂଳ ପରିସ୍ଥିିତିର ସାମ୍‌ନା କରିବାକୁ ପଡ଼ିପାରେ ବୋଲି ଅନ୍ୟ ଏକ ମହଲ ଯୁକ୍ତି କରିଛନ୍ତି। ଆତଙ୍କବାଦ ନିରାକରଣ ପାଇଁ ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ କାହିଁକି ପ୍ରଭାବଶାଳୀ ହେବ ନାହିଁ ସେ ସମ୍ପର୍କରେ ଭାରତର ପୂର୍ବତନ ଜାତୀୟ ପ୍ରତିରକ୍ଷା ଉପଦେଷ୍ଟା ଶିବଶଙ୍କର ମେନନ୍‌ ମତ ରଖିଛନ୍ତି। ‘ଚଏସେସ୍‌ ଇନ୍‌ସାଇଡ୍‌ ଦ ମେକିଂ ଅଫ୍‌ ଇଣ୍ଡିଆସ ଫରେନ୍‌ ପଲିସି’ ନାମକ ପୁସ୍ତକରେ ମେନନ୍‌ ଉଲ୍ଲେଖ କରିଛନ୍ତି ଯେ ଯଦି ଭାରତ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ମୁମ୍ବଇ ବିସ୍ଫୋରଣ ଓ ନରସଂହାର ପରି ଘଟଣାର ପୁନରାବୃତ୍ତି ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ଏହାର ପରିଣାମ ସ୍ୱରୂପ ଦୁଇ ଆଣବିକ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ପୁଣି ଯୁଦ୍ଧର ଘନଘଟା ସୃଷ୍ଟି ହୋଇପାରେ। ଦ୍ୱିତୀୟରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନରେ ଭାରତ ବିରୋଧୀ ସ୍ୱର ତୀବ୍ର ହେବ ଏବଂ ପାକ୍‌ସେନା ପ୍ରତି ସେଠାକାର ନାଗରିକଙ୍କ ସମବେଦନା ଓ ସମର୍ଥନ ବଢ଼ିବ। ଫଳରେ ସେଠାରେ ପୁଣିଥରେ ପାକ୍‌ ସେନା ଦେଶର ଶାସନ କ୍ଷମତାକୁ ଅକ୍ତିଆର କରିନେବ, ଯାହା ଭାରତର ନିରାପତ୍ତା ଓ ଶାନ୍ତି ପାଇଁ ଅଧିକ କ୍ଷତିକାରକ। ମେନନ୍‌ଙ୍କ ମତକୁ ଯଦି ମୋଦୀ ସରକାର ଗ୍ରହଣ କରନ୍ତି ତେବେ ନିକଟ ଭବିଷ୍ୟତରେ ପାକିସ୍ତାନ ଉପରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ଭାବନା କ୍ଷୀଣ। ଡୋକ୍‌ଲାମ ବିବାଦ ଓ ‘ୱାନ ବେଲ୍ଟ ୱାନ ରୋଡ’କୁ ଭାରତର ପ୍ରତ୍ୟାଖ୍ୟାନ ଦୃଷ୍ଟିରୁ ପାକସ୍ତାନକୁ ଚୀନ୍‌ର ସମବେଦନା ଓ ସମର୍ଥନ ଅଧିକ ମିଳିବ। ହୁଏତ ପାକିସ୍ତାନରେ ଚୀନ ଆରମ୍ଭ କରିଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପାକିସ୍ତାନକୁ ଋଣମୁକ୍ତ ଘୋଷଣା କରି ଆନୁଗତ୍ୟ ସ୍ୱୀକାର କରିବା ପାଇଁ ବାଧ୍ୟ କରିବ। ଏହାଦ୍ୱାରା ଚୀନ ହାତମୁଠାରେ ପାକିସ୍ତାନ ରହିବ ଯାହା ଭାରତ ପାଇଁ ଆହୁରି ଅଡ଼ୁଆ ସୃଷ୍ଟି କରିବ। ଏତଦ୍‌ବ୍ୟତୀତ ଦେଶର ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ସପ୍ତାହ ରହିଯାଇଥିବାରୁ ଅର୍ଥନୀତି, ଶାନ୍ତି ଓ ସ୍ଥିରତା ଦୃଷ୍ଟିରୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ନୁହେଁ। ଯଦିବା ଏସବୁ ସତ୍ତ୍ୱେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଚିନ୍ତା କରନ୍ତି ତେବେ ତାହାର ପ୍ରଭାବ କେତେ ସୁଦୂରପ୍ରସାରୀ ରହିବ ତାହା ଆଉ ଏକ ପ୍ରଶ୍ନ। ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରୁ ପାକ୍‌ ସେନାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇଥିବା ଧାରଣା ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ। ଯଦି ଭାରତ ଆମେରିକା ଶୈଳୀରେ ପାକିସ୍ତାନ ଭିତରେ ପଶି ଜୈସ-ଏ-ମହମ୍ମଦର ମୁଖ୍ୟାଳୟ ବାହାୱଲପୁର ଓ ଲସ୍କର-ଏ-ତୋଇବାର ମୁଖ୍ୟ କାର୍ଯ୍ୟାଳୟ ମୁରିଡକେରେ ସର୍ଜିକାଲ ଷ୍ଟ୍ରାଇକ୍‌ କରେ ତେବେ ସେଥିରୁ କିଛି ସୁଫଳ ମିଳିପାରେ, କିନ୍ତୁ ଆନ୍ତର୍ଜାତିକ ଚାପ ଓ ଭାରତର ପ୍ରତିରକ୍ଷା ଦକ୍ଷତା ଦୃଷ୍ଟିରୁ ଭାରତ ସେହିଭଳି ଉଦ୍ୟମରୁ ବିରତ ରହିବ। ୨୦୦୧ ସଂସଦ ଆକ୍ରମଣ ପରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା।
୨୦୦୧-୨୦୦୨ରେ ଜୈସ -ଏ -ମହମ୍ମଦ ଦ୍ୱାରା ଭାରତର ସଂସଦ ଆକ୍ରମଣ ପରେ ପାକିସ୍ତାନ ଉପରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଥିଲା। ଭାରତ ସୀମାନ୍ତରେ ପ୍ରାୟ ୫୦ ହଜାର ସୈନ୍ୟ ଠୁଳ କରିବା ପରେ ବାୟୁସେନା ଓ ନୌସେନା ଦ୍ୱାରା ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଯୋଜନା ଚୂଡ଼ାନ୍ତ କରିସାରିଥିଲା। ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ତତ୍କାଳୀନ ପାକିସ୍ତାନ ଶାସନମୁଖ୍ୟ ଜେନେରାଲ୍‌ ପରଭେଜ ମୁସାରଫ୍‌ ସଫେଇ ଦେବା ସହିତ ପାକିସ୍ତାନରୁ ଆତଙ୍କବାଦୀ ଆଡ୍ଡା ସମୂଳେ ଧ୍ୱଂସ କରିବେ ବୋଲି ଆମେରିକାକୁ ମନାଇବାରେ ସଫଳ ହୋଇଥିଲେ। ଏହାପରେ ଆମେରିକା ଚାପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ସେନା ବାହିନୀକୁ କ୍ଷୁବ୍ଧ କରିଥିବା ସେତେବେଳେ ଆଲୋଚନା ହୋଇଥିଲା। ପାକିସ୍ତାନ ସୁଧୁରିବା ତ ଦୂରେ ଥାଉ, ଏହି ଘଟଣାର ମାତ୍ର ଅଳ୍ପ ଦିନ ପରେ ପୁଣି ଥରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ କାଲୁଛକର ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏଥିରେ ଭାରତୀୟ ସେନାଙ୍କ ପରିବାରର ୩୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଅବଶ୍ୟ ୨୦୦୨ ଜୁଲାଇରେ ଭାରତୀୟ ବାୟୁସେନା ଏଲ୍‌ଓସି ନିକଟରେ କେଲ୍‌ ଅଞ୍ଚଳରେ ଆକ୍ରମଣ କରି କେତେକ ପାକିସ୍ତାନୀ ବଙ୍କରକୁ ଧ୍ୱଂସ କରିଥିଲା। ଏ ସମ୍ପର୍କରେ ସରକାରୀ ଭାବେ ସୂଚନା ଦିଆଯାଇ ନ ଥିଲେ ହେଁ ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା ସୂଚନା ଦେଇଥିଲେ।
ଏହିସବୁ ଦୃଷ୍ଟିରୁ ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ବିକଳ୍ପରୁ ଭାରତ ଓହରିବା ପାଇଁ ନିଷ୍ପତ୍ତି ନିଏ ତେବେ ତା’ ପାଖରେ କୂଟନୈତିକ ଚାପ ଆଉ ଏକ ବିକଳ୍ପ ଭାବେ ରହିଛି, କିନ୍ତୁ ଏଥିରୁ ମଧ୍ୟ ଭାରତକୁ ସେଭଳି ଫାଇଦା ମିଳିବା ଆଶା ନାହିଁ। ଏ ସମ୍ପର୍କରେ ମେନନ୍‌ କହିଛନ୍ତି ଯେ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ପାକ୍‌ ସମର୍ଥିତ ଓ ପ୍ରାୟୋଜିତ ଆତଙ୍କବାଦ ନେଇ ଆମେରିକା ଉଦ୍‌ବେଗ ପ୍ରକାଶ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେବଳ ଓସାମା ବିନ୍‌ ଲାଦେନ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ନିଜ ଆଭିମୁଖ୍ୟକୁ ସୀମିତ ରଖିଥିଲା। ସେହିପରି ସର୍ବାଧିକ ଅନୁଗୃହିତ ରାଷ୍ଟ୍ର ମାନ୍ୟତା (ଏମଏଫ୍‌ଏନ୍‌) ପ୍ରତ୍ୟାହାର ଓ ରାଷ୍ଟ୍ରଦୂତ ପ୍ରତ୍ୟାହାର ଜରିଆରେ ପାକିସ୍ତାନକୁ ଅସହଯୋଗ କୌଶଳ ମଧ୍ୟ ଅତୀତରେ ବିଫଳ ହୋଇଥିବା ଜଣାଯାଇଛି। ୨୦୦୧ରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଜୟ ନାମ୍ବିଆରଙ୍କୁ ଭାରତ ସରକାର ପ୍ରତ୍ୟାହାର କରି ଆଣିବା ସହିତ ଭାରତରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ଅଧା ହ୍ରାସ କରିବାକୁ କହିଥିଲେ। ପାକିସ୍ତାନ ଆନ୍ତର୍ଜାତିକ ବିମାନକୁ ଭାରତୀୟ ବିମାନ ବନ୍ଦରରେ ଅବତରଣ କିମ୍ବା ଉଡ଼ାଣ ଅନୁମତିକୁ ପ୍ରତ୍ୟାହାର କରି ନିଆଯାଇଥିଲା। ପାକିସ୍ତାନ ମଧ୍ୟ ଅନୁରୂପ ପଦକ୍ଷେପ ନେବା ପରେ ୨୦୦୨ ମେ’ ମାସରେ ଦିଲ୍ଳୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ଅଶ୍ରଫ୍‌ ଜାହାଙ୍ଗୀର କ୍ୱାଜିଙ୍କୁ ଭାରତ ଛାଡ଼ିବାକୁ ଭାରତ ସରକାର ନିର୍ଦେଶ ଦେଇଥିଲେ। ସେତେବେଳେ ଏମ୍‌ଏଫଏନ୍‌ ମାନ୍ୟତା ପ୍ରତ୍ୟାହାର ଓ ସିନ୍ଧୁ ନଦୀରୁ ଜଳଯୋଗାଣ ବନ୍ଦ ପାଇଁ ଭାରତ ଚିନ୍ତା କରିଥିଲେ ମଧ୍ୟ ଆନ୍ତର୍ଜାତିକ ଚାପ ଦୃଷ୍ଟିରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ୨୦୦୩ରେ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା। ୨୦୦୩ ମେ’ ମାସରେ ଭାରତର ରାଷ୍ଟ୍ରଦୂତ ଭାବରେ ମେନନ୍‌ ପାକିସ୍ତାନରେ ନିଯୁକ୍ତି ପାଇଥିବାବେଳେ ଅଜିଜ୍‌ ଅହମ୍ମଦ ଖାନ୍‌ ପାକିସ୍ତାନ ରାଷ୍ଟ୍ରଦୂତ ରୂପେ ଭାରତରେ ନିଯୁକ୍ତ ହୋଇଥିଲେ। ଜାନୁଆରୀ ୨୦୦୪ରେ ବାଜପେୟୀ-ମୁଶରଫ ଶାନ୍ତି ଆଲୋଚନା ସଫଳ ହୋଇଥିବା କୁହାଯାଇଥିଲେ ମଧ୍ୟ ତାହାର ପ୍ରଭାବ ପାକିସ୍ତାନ ଉପରେ ପଡ଼ିନଥିଲା। ପ୍ରଧାନମନ୍ତ୍ରୀସ୍ତରୀୟ ଆଲୋଚନା ଓ ଶାନ୍ତି ଘୋଷଣାର ମାତ୍ର ଦୁଇ ବର୍ଷ ପରେ ୧୧ ଜୁଲାଇ ୨୦୦୬ରେ ମୁମ୍ବଇରେ ଲୋମହର୍ଷଣକାରୀ ସିରିଏଲ୍‌ ବୋମା ବିସ୍ଫୋରଣରେ ୨୦୯ ଜଣ ପ୍ରାଣ ହରାଇଥିଲେ। ଏହାପରେ ପାକିସ୍ତାନ ବିରୋଧରେ ଭାରତ ପୁଣି ଅସହଯୋଗ ଅଭିଯାନ ଆରମ୍ଭ କରିଥିଲା, କିନ୍ତୁ ସେହିବର୍ଷ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପାକିସ୍ତାନର ତତ୍କାଳୀନ ଶାସନ ମୁଖ୍ୟ ପରଭେଜ ମୁଶରଫଙ୍କ ମଧ୍ୟରେ ହାଭାନା ଶିଖର ବୈଠକ ଅବସରରେ ପୁଣି ଥରେ ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାର ୨ ବର୍ଷ ପରେ ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବଇରେ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ନାରକୀୟ କାଣ୍ଡ ଘଟାଇବା ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଆଉଥରେ ତିକ୍ତତା ସୃଷ୍ଟି ହେଲା। ତା’ ପରେ ପାକିସ୍ତାନ ସହିତ ଭାରତ ଆଉ ଶାନ୍ତି ଆଲୋଚନା ପାଇଁ ପଦକ୍ଷେପ ନେଇନାହିଁ। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ପାକିସ୍ତାନ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ୨୦୧୬ ଜାନୁଆରୀ ପଠାନ୍‌କୋଟ ଆକ୍ରମଣ ସେଥିରେ ଭଟ୍ଟା ଆଣିଥିଲା।
ଭାରତ-ପାକ୍‌ ଶାନ୍ତି ଆଲୋଚନା ବିଫଳ ହେବାର କାରଣ ସମ୍ପର୍କରେ କୂଟନୀତିଜ୍ଞମାନେ କହିଛନ୍ତି ଯେ ଭାରତ କେବଳ ସୀମାପାର ଆତଙ୍କବାଦ ବିଲୋପ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉତ୍‌ଥାପନ କରୁଛି। ଏସବୁକୁ ତର୍ଜମା କଲେ ଉଭୟ ସାମରିକ କାର୍ଯ୍ୟାନୁଷ୍ଠାନ ଓ କୂଟନୈତିକ ଆଲୋଚନା ବ୍ୟତିରେକ ଆଉ କିଛି ବିକଳ୍ପ କିମ୍ବା ଦୁଇଟିଯାକ ବିକଳ୍ପକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ଭାରତ ସରକାର ଅଗ୍ରାଧିକାର ଦେଇପାରନ୍ତି ବୋଲି ଆଲୋଚନା ହେଉଛି।

Leave A Reply