ପିଲାଚୋରି ଗୁଜବକୁ କେନ୍ଦ୍ର କରି ବଢୁଛି ହିଂସା କାଣ୍ଡ,୨ ମାସରେ ୮ ରାଜ୍ୟରେ ୧୪ ଜଣଙ୍କୁ ହତ୍ୟା

0

ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ପିଲା ଚୋରି ସମ୍ବନ୍ଧୀୟ ମିଥ୍ୟା ଗୁଜବକୁ କେନ୍ଦ୍ର କରି ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିବା ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମେ’ ୨୦ ପରଠାରୁ ଇତିମଧ୍ୟରେ ଦେଶର ୮ଟି ରାଜ୍ୟରେ ଏହି ଭଳି ଘଟଣା ଘଟିଥିବା ବେଳେ ୧୪ ଜଣଙ୍କ ପ୍ରାଣ ହରାଇଛନ୍ତି। ଏ ନେଇ ସାମାଜିକ ଗଣମାଧ୍ୟମକୁ ଦାୟୀ କରାଯାଇଛି। ରାଜ୍ୟ ବାହାରର ଲୋକେ ପିଲାଚୋରି କରୁଥିବାର ଖବର ତଥା ମିଥ୍ୟା ଭିଡିଓ ବହୁଳ ଭାବେ ପ୍ରସାର ଲାଭ କରିବା ପରେ ଲୋକଙ୍କ ମଧ୍ୟରେ ଶିଶୁଙ୍କ ସୁରକ୍ଷା ନେଇ ଭୟ ସୃଷ୍ଟି ହୋଇଛି। ଏଣୁ କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ଜାତ ହେଲେ ଲୋକେ ସେମାନଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। ବିଶେଷ କରି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ବିଗତ ଦୁଇ ମାସ ମଧ୍ୟରେ ଏହି ଭଳି ଘଟଣା ଘଟିଛି। ମେ’ ୨୪ ପରଠାରୁ ଇତିମଧ୍ୟରେ ଓଡ଼ିଶାରେ ୨୮ ଜଣ ଲୋକ ଏହି କାରଣରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିସ୍ତକୁ ମାଡ଼ ଖାଇ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣାରେ ରାଜ୍ୟରେ କାହାରି ମୃତ୍ୟୁ ହୋଇ ନ ଥିବା ଜଣାପଡିଛି। ଗୁଜରାଟ ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ଏବଂ ଆସାମ, ମହାରାଷ୍ଟ୍ର, ଆନ୍ଧ୍ରପଦେଶ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ ୨ ଜଣ ଲେଖାଏଁ ଲୋକଙ୍କୁ ପିଲାଚୋରି ଅଭିଯୋଗରେ ପିଟି ପିଟି ହତ୍ୟା କରାଯାଇଛି। ଜୁନ୍‍ ୨୮ରେ ତ୍ରିପୁରାଠାରେ ୨ ଜଣ ବ୍ୟକ୍ତିଙ୍କୁ ଏହିଭଳି ହତ୍ୟା କରାଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା, ଗୁଜରାଟ ଏବଂ ତେଲେଙ୍ଗାନା ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହ ସାମାଜିକ ଗଣମାଧ୍ୟମରେ ପିଲାଚୋରି ସମ୍ବନ୍ଧୀୟ ଭିଡିଓ ପ୍ରସାର ଉପରେ ଅଙ୍କୁଶ ଲଗାଇବା ଲାଗି ସାଇବସ ସେଲ୍‍ଗୁଡିକୁ କୁହାଯାଇଛି। ଏଭଳି କୌଣସି ଭିଡିଓ ପ୍ରକାଶ ପାଇଲେ ତାହାକୁ ତୁରନ୍ତ ବାଦ୍‍ ଦେବାକୁ ସାମାଜିକ ଗଣମାଧ୍ୟମଗୁଡିକୁ ରାଜ୍ୟ ପୁଲିସ କହିଛି।

Leave A Reply