ନୟାଗଡ଼ରେ କାୟା ବିସ୍ତାର କରିଛି ଡେଙ୍ଗୁ

0

ନୟାଗଡ଼: ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସତ୍ତ୍ବେ ନୟାଗଡ଼ ଜିଲାରେ ଡେଙ୍ଗୁ ଥମିବାର ନାଁ ଧରୁନାହିଁ ବରଂ ବେଳକୁ ବେଳ ଏହା କାୟାବିସ୍ତାର କରିବାରେ ଲାଗିଛି। ପୀଡ଼ିତମାନେ ଜିଲା ହସ୍ପିଟାଲ ବ୍ୟତୀତ ଭୁବନେଶ୍ୱର, କଟକ, ବ୍ରହ୍ମପୁର ତଥା ଅନ୍ୟ ସ୍ଥାନରେ ଥିବା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଉଲ୍ଲେଖନୀୟ ଯେ ଜିଲାର ପ୍ରଥମ ଡେଙ୍ଗୁ ରୋଗୀ ଓଡ଼ଗାଁ ବ୍ଲକ ବାହାଡ଼ାପିଟା ଗ୍ରାମରୁ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ସମୟରେ ଧୀରେ ଧୀରେ ଏହା ୮ଟି ବ୍ଲକକୁ ମାଡ଼ି ଚାଲିଛି। ଜିଲାର ସର୍ବାଧିକ ୨୦ ଜଣ ରୋଗୀ ଭାପୁର ବ୍ଲକର ମାଣିତ୍ରୀ ଗ୍ରାମରେ ଚିହ୍ନଟ ହୋଇଥିବା ସିଡିଏମ୍‍ଓ ଡ.ଫଣୀନ୍ଦ୍ର କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୧୭, ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୭, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨, ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨, ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮, ନୂଆଗଡ଼ିଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫, ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୩ ଏବଂ ଠିକଣା ଜଣାପଡ଼ି ନ ଥିବା ଅନ୍ୟ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସିଡ଼ିଏମ୍‍ଓ ଡ଼.ପାଣିଗ୍ରାହୀ
‘ସମାଜ’କୁ ସୂଚନା ଦେଇଛନ୍ତି।
ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଲାବୋରେଟୋରୀରେ ଗତକାଲି ସନ୍ଧ୍ୟା ସୁଦ୍ଧା ୩୫୦ଟି ରକ୍ତନମୁନା ପରୀକ୍ଷା କରାଯାଇ ଥିଲାବେଳେ ସେଥିମଧ୍ୟରୁ ୩୭ଟି ଡେଙ୍ଗୁ ଭୂତାଣୁ ଥିବା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଜିଲା ବାହାରେ ଥିବା ବିଭିନ୍ନ ଡାକ୍ତରଖାନାରେ ଜିଲାର ୪୩ ଜଣ ଡେଙ୍ଗୁ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇ ସେମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ସିଡ଼ିଏମ୍‍ଓ ଡ଼.ପାଣିଗ୍ରାହୀ କହିଛନ୍ତି।
ପ୍ରତି ସନ୍ଧ୍ୟାରେ ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଜିଲାର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ରକ୍ତ ନମୁନା ଜିଲା ଲାବୋରେଟୋରୀରେ ପରୀକ୍ଷା କରାଯାଇଥାଏ। ପ୍ରତ୍ୟେକ ସନ୍ଧ୍ୟାରେ ଏହାର ଫଳାଫଳ ଜଣାପଡ଼ିଥାଏ। ତେଣୁ ଏହି ପରିପ୍ରେକ୍ଷୀରେ ପ୍ରାୟ ପ୍ରତିଦିନ ଜିଲାର କେଉଁଠି ନାଁ କେଉଁଠି ଜଣେ ରୋଗୀ ଚିହ୍ନଟ ହେଉଥିବା କୁହାଯାଉଛି। ଜିଲାର ପଡ଼ୋଶୀ ଖୋର୍ଦ୍ଧା ଅଞ୍ଚଳରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଢେର ଅଧିକ ରହିଛି ବୋଲି ସିଡ଼ିଏମ୍‍ଓ ଡ଼.ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଜିଲାରେ ଡେଙ୍ଗୁର ପ୍ରତିକାର ନିମନ୍ତେ ବ୍ୟାପକ ଜନସଚେତନତା ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଡେଙ୍ଗୁ ପ୍ରପୀଡ଼ିତ ଗ୍ରାମର ଲୋକମାନଙ୍କୁ ଔଷଧ ସହିତ ମଶାରି ବଣ୍ଟନ କରାଯାଇଥିଲାବେଳେ ସମ୍ପୃକ୍ତ ଗ୍ରାମରେ ମଧ୍ୟ ମଶାମରା ବାଷ୍ପ ଛଡ଼ାଯାଉଛି। ସେହିଭଳି ଗ୍ରାମର ପରିବେଶ ସ୍ୱଚ୍ଛ ରଖିବା ପାଇଁ ବ୍ୟାପକ ଭାବେ ବ୍ଲିଚିଂ ସିଞ୍ଚନ କରାଯାଉଛି ବୋଲି ସିଡିଏମ୍‍ଓ ଡ଼.ପାଣିଗ୍ରାହୀ କହିଛନ୍ତି।
ମାଣିତ୍ରୀ ଗ୍ରାମକୁ ଜିଲାପାଳ, ସିଡ଼ିଏମ୍‍ଓ, ଭାପୁର ତହସିଲଦାର, ବିଡ଼ିଓ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ ସମେତ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସକ ଦଳ ବାରମ୍ବାର ଗସ୍ତ କରୁଥିଲେ ମଧ୍ୟ ଏହାର କୌଣସି ସକାରାତ୍ମକ ପ୍ରଭାବ ପଡୁ ନ ଥିବା ସାଧାରଣରେ ଆଲୋଚନା ବିଷୟ ହୋଇଛି। ଏଠାରେ ଉଲ୍ଲେଖନୀୟ ଯେ ମାଣିତ୍ରୀ ଗ୍ରାମ କରବର ପଞ୍ଚାୟତ ଅଧୀନରେ ହେଉଥିଲାବେଳେ ଏହା ପୂର୍ବରୁ ସାଂସଦ ଆଦର୍ଶ ଗ୍ରାମ ଭାବେ ଘୋଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ସାଢ଼େ ୪ବର୍ଷ ଭିତରେ ପଞ୍ଚାୟତର ସାମଗ୍ରିକ ସ୍ତରରେ ବ୍ୟାପକ ଉନ୍ନତି କରାଯାଇଥିଲାବେଳେ ଏବେ ଏଠାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଘଟଣା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply