ନେଲାନି ମହାପ୍ରୟାଣ ଗାଡ଼ି, ଟ୍ରଲିରେ ବୋହିଲେ ମାଆର ଶବ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ସାନ୍ତସାହି ଗ୍ରାମର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶୋକାକୁଳ ପରିବେଶରେ ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଏପରିକି ପୁଅ କାନ୍ଦିକାନ୍ଦି ମାଆର ଶବକୁ ଟ୍ରଲିରେ ବୋହି ଘରକୁ ନେବା ଘଟଣାକୁ ଦେଖି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଟାଉନ ଥାନା ଅନ୍ତର୍ଗତ ସାନ୍ତସାହି ଗ୍ରାମର ଅଲେଖ ଚନ୍ଦ୍ର ସାହୁଙ୍କ ସ୍ତ୍ରୀ କୁନି ସାହୁ (୬୫)ଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ କୁନିଙ୍କ ଶବକୁ ଘରକୁ ନେବା ପାଇଁ ତାଙ୍କ ପୁଅ ରବୀନ୍ଦ୍ର ସାହୁ ସରକାରଙ୍କ ପ୍ରଦତ୍ତ ମହାପ୍ରୟାଣ ଗାଡ଼ିରେ ନେବା ପାଇଁ ଗାଡ଼ିଚାଳକଙ୍କୁ ନିବେଦନ କରିଥିଲେ। ମାତ୍ର ଗାଡ଼ିଚାଳକ ତାଙ୍କୁ ଅର୍ଥ ଦାବି କରିବାରୁ ରବୀନ୍ଦ୍ର ଟଙ୍କା ଦେଇନପାରି ବାଧ୍ୟ ହୋଇ ଏକ ଟ୍ରଲି ଆଣି ସେଥିରେ ମାଆର ଶବକୁ ବୋହି ଘରକୁ ନେଇଥିଲେ। ଏ ନେଇ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡା. ବୈଷ୍ଣବ ଚରଣ ସାହୁଙ୍କ ମତାମତ ନେବାରୁ ସେ କହିଲେ ଏପରି ଅଭିଯୋଗ ହୋଇଛି ; ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply