ନବୀନ….. ରାଜନୀତିରେ ଧୂରୀଣ

ଜନ୍ମ ଦିନ ବିଶେଷ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନ। ଓଡ଼ିଶା ରାଜନୀତି ପାଇଁ ସେଦିନ ନବୀନ(ନୂଆ)ଥିବା ଶ୍ରୀ ପଟ୍ଟନାୟକ ଏବେ ଜଣେ ଦକ୍ଷ ଓ ଧୂରୀଣ ରାଜନେତା ପାଲଟି ଯାଇଛନ୍ତି । ପଞ୍ଚମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିବା ନବୀନ ପଟ୍ଟନାୟକ ନିଜର ସରଳ ଓ ଶାନ୍ତ ଜୀବନ ଶୈଳୀ ପାଇଁ ବେଶ ପରିଚିତ । କିନ୍ତୁ କଠୋର ନିଷ୍ପତ୍ତି ନେବା ପାଇଁ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଜାତୀୟ ସ୍ତରରେ ମଧ୍ୟ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।


ତେବେ ଏଥର ସେ ଜନ୍ମ ଦିନ ପାଳନ କରି ନାହାନ୍ତି । ସାମୁଦ୍ରିକ ଝଡ଼ ଫନିରେ ହୋଇଥିବା କ୍ଷୟକ୍ଷତି ପାଇଁ ନବୀନ ଏଥର ଜନ୍ମଦିନ ପାଳନ କରି ନାହାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନଙ୍କ ଜନ୍ମଦିନ ପାଇଁ ୭୭ଟି ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଅନ୍ୟାନ୍ୟ ସେବା କାର୍ଯ୍ୟ ସହିତ ଗଞ୍ଜାମ ଜିଲ୍ଲାର କିନ୍ନରମାନେ ରକ୍ତଦାନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘଜୀବନ କାମନା କରିଛନ୍ତି। ଓଡ଼ିଶା କିନ୍ନର ମହାସଂଘର ଉପସଭାପତି ତଥା ‘ସଖୀ’ର ଅଧ୍ୟକ୍ଷା ସୁଇଟି ସାହୁଙ୍କ ନେତୃତ୍ବରେ ସମସ୍ତ କିନ୍ନର ପହଞ୍ଚିଥିଲେ।

ନବୀନ ପଟ୍ଟନାୟକଙ୍କ ସହିତ ଜଡିତ କିଛି ରୋଚକ କଥା :

ସାଦାସିଧା ଜୀବନଶୈଳୀ

ନିଜ ବନ୍ଧୁମହଲରେ ‘ପପୁ’ ନାମରେ ପରିଚିତ ନବୀନ ବାବୁ ସାଦାସିଧା ବେଶ ପୋଷାକ ପାଇଁ ବେଶ ଜଣାଶୁଣା। ଧଳା କୁର୍ତ୍ତା ଓ ପାଇଜାମା ତାଙ୍କର ବେଶ ପସନ୍ଦ। ସେ ମସଲା ଭେଣ୍ଡୀ ଏବଂ ରୋଷ୍ଟେଡ ଚିକେନ୍‍ ଖାଇବାକୁ ଭଲ ପାଆନ୍ତି। ଘରେ ଲୁଙ୍ଗି ଗୋଲବେକ ବାଲା ଟି-ସାର୍ଟ ଓ ଚପଲ ପିନ୍ଧନ୍ତି। ଡନହିଲ ସିଗାରେଟ ମଧ୍ୟ ନବୀନ ବାବୁଙ୍କ ପ୍ରଥମ ପସନ୍ଦ। ରାଜନୀତିରେ ଯୋଗ ଦେବା ପୂର୍ବରୁ ଦିଲ୍ଲୀର ଓବରାଇ ହୋଟଲ ବୁଟିକର ମାଲିକ ଥିଲେ। ତାଙ୍କ ବୁଟିକର କପଡା ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି।
୧୯୯୭ ଥିଲା ଟର୍ଣ୍ଣିଂ ପଏଣ୍ଟ
୧୯୯୭ ନବୀନ ବାବୁଙ୍କ ଜୀବନରେ ଆଣି ଦେଲା ବିରାଟ ପରିବର୍ତ୍ତନ। ସେହି ବର୍ଷ ଅପ୍ରେଲ ୧୭ ତାରିଖରେ ୮୧ ବର୍ଷ ବୟସରେ ତାଙ୍କ ପିତା ତଥା ଓଡ଼ିଶାର ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ପରଲୋକ ଘଟିଲା। ବିଜୁବାବୁଙ୍କ ଅବର୍ତ୍ତମାନରେ ନବୀନ ବାବୁ ରାଜନୀତିିରେ ପାଦ ଦେଲେ। ନିଜ ପିତାଙ୍କ ଆସନରୁ ନିର୍ବାଚନ ଲଢି ସେ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହି ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ଗଠନ ହେଲା।

ବିଜେପି ସହିତ ମେଣ୍ଟ
୧୯୯୮ରେ ବିଜେପି ସହିତ ମେଣ୍ଟ କରି ଆସ୍କା ଲୋକସଭା ଆସନରୁ ଜିତି ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ପଦ ପାଇଥିଲେ। ସେହିପରି ୨୦୦୦ ମସିହାରେ ବିଜେପି ସହିତ ମେଣ୍ଟ କରି ନବୀନ ବାବୁ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ୧୯୯୯ ବାତ୍ୟା ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର ଏବଂ ସରକାରୀ କର୍ମଚାରୀଙ୍କୁ ବେତନ ପ୍ରଦାନ ନେଇ ଲାଗିରହିଥିବା ସମସ୍ୟାର ସମାଧାନ କରିପାରିଥିଲେ। ୨୦୦୧ରେ ସେ ମିଶନ ଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଯାହା ମହିଳା ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ଏହା ଆଜି ସାରା ଦେଶରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲକ୍ଷ ଲକ୍ଷ ସଂଖ୍ୟାରେ ମହିଳା ଏହା ସହିତ ସାମିଲ ହୋଇ ରୋଜଗାରକ୍ଷମ ହୋଇ ପାରିଛନ୍ତି। ଅନ୍ୟପକ୍ଷରେ ୨୦୦୪ରେ ବିଜେପି ନେତୃତ୍ୱାଧୀନ ଏଡ଼ଡିଏ କ୍ଷମତାକୁ ଫେରି ନ ଥିବା ବେଳେ ନବୀନ ବାବୁ ନିଜର ଲୋକପ୍ରିୟତା ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ।
ବିଜେଡି- ବିଜେପି ମେଣ୍ଟ ଭାଙ୍ଗିଲା
୨୦୦୯ରେ ବିଜେଡି ଏକାକୀ ନିର୍ବାଚନ ଲଢିଲା। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଗଲା। କନ୍ଧମାଳ ଦଙ୍ଗାକୁ ଆଧାର କରି ବିଜେପ, ମେଣ୍ଟରୁ ଓହରିଗଲା। ବିଜେଡି ୨୦୦୯ ନିର୍ବାଚନରେ ୧୪ଟି ଲୋକସଭା ଏବଂ ୧୦୩ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା। ୨୦୧୩ରେ ଆସିଥିବା ପ୍ରଳୟଙ୍କରୀ ସାମୁଦ୍ରିକ ଝଡ ଫାଇଲିନର ସଫଳ ମୁକାବିଲା ଯୋଗୁଁ ଦେଶ ବିଦେଶରେ ଉଚ୍ଚ ପ୍ରଶଂସିତ ହୋଇଥିଲେ। ମାତ୍ର ୩୬ ଘଣ୍ଟାରେ ୯,୮୩,୬୪୨ ଲୋକଙ୍କୁ ସ୍ଥାନାନ୍ତର କରି ଥଇଥାନ କେନ୍ଦ୍ରକୁ ନେବା ଓ ସହାୟତା ପ୍ରଦାନ କରିବା ନବୀନ ବାବୁଙ୍କର ଆଉ ଏକ ବଡ଼ ସଫଳତା ଥିଲା। ଫଳରେ ୨୦୧୪ ନିର୍ବାଚନରେ ସେ ପୁଣି ବହୁମତ ହାସଲ କରି କ୍ଷମତାକୁ ଫେରିଥିଲେ। ୨୧ରୁ ୨୦ଟି ଲୋକସଭା ଆସନ ଏବଂ ୧୪୭ରୁ ୧୧୭ଟି ଆସନରେ ବିଜେଡି ବିଜୟ ଲାଭ କରିଥିଲା।

ଯୁବକଙ୍କ ମଧ୍ୟରେ ଲୋକପ୍ରିୟ
୨୦୧୭ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଏସିଆ ଆଥଲେଟିକ ଚମ୍ପିଆନସିପ।୨୦୧୮ରେ ବିଶ୍ୱକପ୍‍ ହକି। ୨୦୧୯ରେ କୃଷକଙ୍କ ପାଇଁ କାଳିଆ ଯୋଜନା। କୃଷକଙ୍କ ପାଇଁ ଏହି ଯୋଜନା ନବୀନ ବାବୁଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଲା। ତେଣୁ ନିର୍ବାଚନରେ ୧୨ଟି ଲୋକସଭା ଆସନ ଏବଂ ୧୧୨ଟି ବିଧାନସଭା ଆସନରେ ବିଜୟୀ ହୋଇ ସେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହୋଇଛନ୍ତି।

ଆପଣମାନେ ଖୁସି ତ ?

ଆପଣମାନେ ଖୁସି ତ ? ମୁଁ ମଧ୍ୟ ଖୁସି । ଏହି ପଦିଏ କଥା ନବୀନଙ୍କ ପାଇଁ ପାଲଟିଛି ପଞ୍ଚ ଳାଇନ୍। ୨୦୧୯ ନିର୍ବାଚନ ସମୟରେ ଏହି ପଞ୍ଚ ଳାଇନ୍ ତାଙ୍କୁ ସର୍ବାଧିକ ଲୋକପ୍ରିୟ କରାଥିଲା। ଆଉ ଏବେ ନବୀନ ଯେଉଁଠାକୁ ଯାଉଛନ୍ତି ଲୋକେ ତାଙ୍କୁ କହୁଛନ୍ତି ଆପଣ ଖୁସି ତ ?

Comments are closed.