ଦୁବାଇରେ ପ୍ରବେଶ ପାଇଁ ଅନୁମତି ପାଇଲେ ନାହିଁ ଆସିଫ୍‍

0

ଦୁବାଇ : ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆସିଫ୍‍ ଦୁବାଇରେ ପ୍ରବେଶ କରିବାକୁ ଅନୁମତି ପାଇନଥିବା ଜଣାପଡ଼ିଛି। ଦୁବାଇ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ନ ଥିବାରୁ ତାଙ୍କୁ ଦୁବାଇ ବିମାନ ବନ୍ଦର କର୍ତ୍ତୃପକ୍ଷ ପାକିସ୍ତାନ ଫେରାଇ ଦେଇଥିଲେ। ଦୁବାଇରେ ପ୍ରବେଶ କରିବାକୁ ଆସିଫଙ୍କ ନିକଟରେ ବୈଦେଶିକ ମନ୍ତ୍ରଣାଳୟର ଏକ ପତ୍ର ନ ଥିବାରୁ ତାଙ୍କୁ ବିମାନ ବନ୍ଦରରୁ ପାକିସ୍ତାନ ଫେରାଇ ଦିଆଯାଇଛି। ସୂଚନାଥାଉକି ସ୍ପଟ୍‍ ଫିକ୍ସିଂ ଅଭିଯୋଗରେ ଆସିଫ୍‍ ୫ ବର୍ଷ ପାଇଁ ବାସନ୍ଦ ହୋଇଥିଲେ। ଏଥିସହ ୨୦୦୮ରେ ତାଙ୍କ ନିକଟରୁ ଅଫିମ ଜବତ ହେବା ପରେ ଆସିଫ୍‍ଙ୍କୁ ୟୁଏଇ ଅଧିକାରୀ କିଛିଦିନ ପାଇଁ ଜେଲ୍‍କୁ ପଠାଇ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଦୁବାଇରେ ପ୍ରବେଶ କରିବାକୁ ଆସିଫ୍‍ଙ୍କୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର ପତ୍ର ଆବଶ୍ୟକ ଥିଲା। ଏହା ତାଙ୍କ ନିକଟରେ ନଥିବାରୁ ଆସିଫ୍‍ଙ୍କୁ ବିମାନ ବନ୍ଦରରୁ ସ୍ୱଦେଶ ଫେରାଇ ଦିଆଯାଇଥିଲା। ସାରଜାହାରେ ଆୟୋଜିତ ଏକ ଟ୍ୱେଣ୍ଟି୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଆସିଫ୍‍ ଦୁବାଇରେ ପହଞ୍ଚିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ଆବଶ୍ୟକ ପତ୍ର ଯୋଗାଡ଼ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଏହା ମିଳିବା ପରେ ଆସିଫ୍‍ ଟ୍ୱେଣ୍ଟି୨୦ ଲିଗ୍‍ ଖେଳିବା ଆଶା ରହିଥିବା ଜଣାପଡ଼ିଛି। ସ୍ପଟ୍‍ ଫିକ୍ସିଂ ଅଭିଯୋଗରେ ବାସନ୍ଦ ହେବା ସହ ଡୋପ ଟେଷ୍ଟରେ ମଧ୍ୟ ଧରାପଡ଼ି ଆସିଫ୍‍ ବାସନ୍ଦର ଶିକାର ହୋଇଥିଲେ। ସେହିପରି ୨୦୦୭ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ସମୟରେ ପାକିସ୍ତାନର ଅନ୍ୟତମ ଦ୍ରୁତ ବୋଲର ସୋଏବ ଅଖତରଙ୍କ ସହ ଝଗଡ଼ା କରି ଆସିଫ୍‍ ବେଶ୍‍ ବିବାଦୀୟ ହୋଇପଡ଼ିଥିଲେ।

Leave A Reply