ଦୁଇ ଜୀବନ୍ତ ଦଗ୍ଧ

0

ଅନୁଗୋଳ : ଅନୁଗୋଳ ଥାନା ଅନ୍ତର୍ଗତ ମଝିକା ଗ୍ରାମରେ ମଙ୍ଗଳବାର ରାତ୍ରିରେ ଏକ ଘରେ ଦୁଇଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଚିହ୍ନଟ କରି ପାରିଛି।
ମଝିକା ଗ୍ରାମରେ ନିରାସ ସୁରୀ(୫୫) ନାମ୍ନୀ ବିଧବା ଘରଠାରୁ ଅଲଗା ହୋଇ ବିଲମାଳରେ କୁଡିଆ କରି ପ୍ରାୟ ୧୦ ରୁ ୧୨ ବର୍ଷ ହେବ ରହି ଆସୁଥିଲା। ସେ ହାଣ୍ଡିଆ ବ୍ୟବସାୟ କରି ପେଟ ପୋଷୁଥିଲା। ବୁଧବାର ବେଣାଗାଡିଆଠାରେ ହାଟ ଥିବାରୁ ନିରାସର ପୁଅ ସମୀର ହାଟକୁ ସଉଦା ଆଣିବା ପାଇଁ ଯାଇଥିଲା। ହାଟରୁ ଘରକୁ ଫେରିବାବେଳେ ମା’ ରହୁଥିବା ଘରକୁ ବୁଲିବାପାଇଁ ଯାଇଥିବାବେଳେ ଘରଟି ସମ୍ପୂର୍ଣ୍ଣ ପୋଡିଯାଇଛି। ସେଠାରେ ଦୁଇଜଣଙ୍କ ପୋଡା ମୃତଦେହ ଦେଖି ଗ୍ରାମବାସୀଙ୍କୁ କହିଥିଲା। ଗ୍ରାମରୁ କିଛି ଲୋକ ଘଟଣାସ୍ଥଳକୁ ଯାଇଥିଲେ। ନିରାସ ରହୁଥିବା କୁଡିଆକୁ ହୁକ ପକାଇ ବିଦ୍ୟୁତ୍‍ ସଂଯୋଗ ନିଆଯାଇଥିବା
ଜଣାଯାଇଥିଲା। ବର୍ଷା ହେଉଥିବାରୁ ଚାଳଛପର ଘର ଓଦା ରହୁଛି। ଏଭଳି ଅବସ୍ଥାରେ କେବଳ ବିଦ୍ୟୁତ୍‍ ସଟ୍‍ସର୍କିଟ୍‍ରେ ନିଆଁ ଲାଗିଥିବାର ଅନୁମାନ କରି ଅପରାହ୍ନ ପ୍ରାୟ ୪ଟାରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ପୋଡିଯାଇଥିବା ଶବ ଦୁଇଟିକୁ ଜବତ କରି ଡାକ୍ତରଖାନାର ଶବାଗାରରେ ରଖିଛି। ଗୋଟିଏ ଶବ ନିରାସର ହୋଇଥିବାବେଳେ ପୋଡିଯାଇଥିବା ଅନ୍ୟ ମୃତଦେହର ପରିଚୟ ମିଳିପାରି ନାହିଁ। ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ। ଘଟଣାର ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରକାଶ କରିଛନ୍ତି।

Leave A Reply