ତୁଳସୀଙ୍କ ରାମ

0

କିଟିକିଟିଆ ଅନ୍ଧାରରେ ମୁହଁକୁମୁହଁ ଦେଖା ଯାଉ ନଥାଏ। ହେଲେ ରାତି ଅନ୍ଧାରରେ ଚଳପ୍ରଚଳ ହେବାରେ ବେଶ୍‌ ପାରଙ୍ଗମ ଚୋରଟି ଗୋଟିଏ କୁଟୀରରେ ପ୍ରବେଶ କରିଥିଲା। କୁଟୀରଟି ଥିଲା ଢ଼େର ବଡ଼, ହେଲେ ସେ ଘରେ ଜଣେ ମାତ୍ର ଲୋକ ରହୁଥିଲେ। ସେ ଜଣକ ଥିଲେ ସଂସାର ବୈରାଗୀ ସାଧୁ ମହାତ୍ମା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ସାଧୁ ମହାତ୍ମା ଦ୍ବାର କବାଟ ବନ୍ଦ କରୁନଥିଲେ। କବାଟ ସର୍ବଦା ମୁକୁଳା ରହୁଥିଲା। ଘରେ ଥିବାବେଳେ ଭିତର ପଟୁ ମଧ୍ୟ ବନ୍ଦ କରୁନଥିଲେ। ଚୋର ପାଇଁ ଏହା ସୁବର୍ଣ୍ଣସୁଯୋଗ ଥିଲା। ନିର୍ବିଘ୍ନରେ ଘରେ ପ୍ରବେଶ କରି ଦେଖିଲା ଖାଲି ଗଦା ହୋଇଛି ଲେଖା ପଢ଼ା ସାମଗ୍ରୀ। ସେହି ଗଦା ହୋଇଥିବା ସାମଗ୍ରୀଠାରୁ କିଛି ଦୂରରେ ଗୋଟିଏ ଖଟୁଲି ଉପରେ ଦୀପଟିଏ ଜଳୁଛି। ସାଧୁ ମହାତ୍ମା ନିଘୋଡ଼ ନିଦରେ ଶୋଇ ଯାଇଛନ୍ତି।
​‌େ​‌ଚାରଟି ସବୁଆଡ଼ ତନ୍ନତନ୍ନ କରି ଦେଖିଲା। ହେଲେ ରୋଷେଇ ଘରେ କିଛି ସାମଗ୍ରୀ ଛଡ଼ା ଆଉ କିଛି ଦେଖିବାକୁ ପାଇ ନଥିଲା ଯାହାକୁ ଚୋରି କରି ନେଲେ ଭଲ ଦି’ ପଇସା ହେବ। ତେବେ ଗୋଟିଏ ରାତିର ଉପାର୍ଜନ ପାଇଁ ଏହା ଯଥେଷ୍ଟ- ଏହା ଭାବି ରୋଷେଇ ଘରର ସରଞ୍ଜାମ ସବୁ ସନ୍ତର୍ପଣରେ ଏକତ୍ର କରି ଦ୍ବାର ନିକଟକୁ ଆସିଲା ଘରୁ ବାହାରିଯିବା ପାଇଁ। ହେଲେ ଏ କ’ଣ? ଚୋରଟି ଯାହା ଦେଖିଲା ନିଜକୁ ବିଶ୍ବାସ କରିପାରି ନଥିଲା, ଆଶ୍ଚର୍ଯ୍ୟର ସୀମା ନଥିଲା ତା’ର। ସେ ସ୍ପଷ୍ଟ ଦେଖି ପାରିଥିଲା ଦ୍ବାର ଦେଶରେ ଦୁଇକଡ଼ରେ ଦୁଇଜଣ ଧନୁତୀର ଧରି ଦଣ୍ଡାୟମାନ।
ଅନେକ ଜାଗାରେ ଚୋରି କରିଥିଲେ ମଧ୍ୟ ଏଭଳି ଅଭାବନୀୟ ଦୃଶ୍ୟ ପ୍ରଥମଥର ପାଇଁ ଦେଖି ସେ ହଡ୍‌ବଡ଼େଇ ଗଲା, ଭୟରେ ଗୋଟାପଣେ ଥରିବାକୁ ଲାଗିଲା। ଏହି ଘଟଣା ତା’ ପାଇଁ ନୂଆ ଅନୁଭୂତି ଥିଲା। ସାହସ ସଞ୍ଚୟ କରି ଚୋରଟି ଅାଗକୁ ନ ବଢ଼ି ଭୟାତୁର ଭାବରେ ଏଣେତେଣେ ଅନାଇଲା। ଦେଖିଲା ପଛପଟେ ଆଉ ଏକ ଦ୍ବାର ଅଛି ଯେଉଁବାଟେ ସେ ଖସି ପଳାଇ ଯାଇପାରିବ। ସେହି ଦ୍ବାର ନିକଟକୁ ଯାଇ ପଳାଇଯିବାକୁ ମନସ୍ଥ କରି ନିକଟକୁ ଆସିଲା ବେଳକୁ ଏଠି ମଧ୍ୟ ସେହିଭଳି ଦୁଇ ଧନୁର୍ଦ୍ଧାରୀ ରକ୍ଷକ ଠିଆ ହୋଇଥିବାର ସେ ଦେଖିବାକୁ ପାଇଥିଲା। ଡରରେ ଆହୁରି ଜୋର୍‌ ଥରିବାକୁ ଲାଗିଲା ଚୋରଟି। ଏବେ ସେଠାରୁ ପଳାଇ ଯିବାର ସବୁଦ୍ବାର ରୁଦ୍ଧ। ଅଗତ୍ୟା ଚୋରଟି ସେଠୁ ଚାଲିଆସିଲା ସାଧୁ​‌ ଶୋଇଥିବା ସ୍ଥାନ ପାଖକୁ। ନିର୍ବାକ ଭାବେ ଠିଆହୋଇ ମଧ୍ୟେମଧ୍ୟେ ଉଭୟ ଦ୍ବାର ଆଡ଼କୁ ଅନାଉଥାଏ ସେହି ଧନୁର୍ଦ୍ଧାରୀ ଅଛନ୍ତି କି ନାହାନ୍ତି।
ସାଧୁ ଅର୍ଦ୍ଧ ନିଦ୍ରିତ ଅବସ୍ଥାରେ କର ଲେଉଟାଇଲେ। ଏହି ସମୟରେ ଚୋରଟି ତାଙ୍କ ପାଦ ଧରି ଲମ୍ବହୋଇ ପଡ଼ିଗଲା। ସାଧୁ ଜାଗ୍ରତ ହେଲେ। ଚୋରଠାରୁ ସମସ୍ତ କଥାଶୁଣି କହିଲେ- ଦେଖ ଭାଇ! ତମେ ଭାରି ଭାଗ୍ୟଶାଳୀ। ତୁମେ ଯେଉଁ ଧନୁର୍ଦ୍ଧାରୀ ରକ୍ଷକ ଦ୍ବୟଙ୍କ ଦର୍ଶନ କରିଛ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ତାଙ୍କର ଅନୁଜ ଲକ୍ଷଣ। ଏହା କହି ସାଧୁ ବିଛଣାରୁ ଉଠି ଚୋରକୁ ଆଲିଙ୍ଗନ କରିଥିଲେ- ଚୋରଟିର ଜ୍ଞା​‌େ​‌ନାଦୟ ହେଲା। ସେ ଚୌର୍ଯ୍ୟବୃତ୍ତି ଛାଡ଼ି ପ୍ରଭୁ ଶ୍ରୀରାମ- ଜାନକୀଙ୍କ ଆଶ୍ରା ନେବାକୁ ସାଧୁଙ୍କ ପାଦଛୁଇଁ ଶପଥ କରିଥିଲା। ସେହି ସାଧୁମହାତ୍ମା ଜଣକ ଆଉ କେହି ନୁହନ୍ତି- ସେ ଥିଲେ ରାମଭକ୍ତ ଗୋସ୍ବାମୀ ତୁଳସୀ ଦାସ।

Leave A Reply