ତୀବ୍ର ଅବପାତରେ ପରିଣତ ହେଲା ଲଘୁଚାପ; ଝଡ଼ ତୋଫାନ ଆଶଙ୍କା

0

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏବେ ତୀବ୍ର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏପରିକି ଉପକୂଳର କିଛି ଅଞ୍ଚଳରେ ଝଡ଼ ତୋଫାନର ଆଶଙ୍କା ରହିଛି।
ଆଜି ସକାଳୁ ଲଘୁଚାପ ବଳୟ ପଶ୍ଚିମ ଦିଗରେ ଘଣ୍ଟାକୁ ୧୫ କିମି ବେଗରେ ଗତି କରି କଳିଙ୍ଗପଟ୍ଟନ୍‍ମ ନିକଟରେ ସମୁଦ୍ର ଉପରେ ଗୋପାଳପୁରଠାରୁ ୩୦୦ କିମି ଦୂର ପୂର୍ବ-ଦକ୍ଷିଣ ଦିଗରେ ଘନୀଭୂତ ହୋଇଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍‍ ଓ ଓଡ଼ିଶାର ପୁରୀ ଓ ଗୋପାଳପୁର ଉପକୂଳ ଦେଇ ଗତି କରିବ। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଘଣ୍ଟାକୁ ୬୦ ରୁ ୮୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।
ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ବିଶାଖାପଟ୍ଟନମ୍‍, ଶ୍ରୀକାକୁଲମ୍‍, ବିଜୟନଗରମ୍‍ ସମେତ ଓଡ଼ିଶାର ନୟାଗଡ଼,ପୁରୀ, ଗଜପତି, ଗଞ୍ଜାମ ଓ ଖୋର୍ଦ୍ଧା ଜିଲାରେ ବଡ଼ ଗଛ ଭାଙ୍ଗିବାର ଆଶଙ୍କା ଥିବାରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସତର୍କ ସୂଚନା ଜାରି କରାଯାଇଛି। ସେହି ସବୁ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାହତ ହେବାର ଆଶଙ୍କା ରହିଛି।

Leave A Reply