ଡେବ୍ରିଗଡ଼ ବାଘ ବ୍ୟବଚ୍ଛେଦ ସରିଲା; ପ୍ରଜାତି ଅସ୍ପଷ୍ଟ

0

ଭଟଲି/ବରଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟ ପାର୍ଶ୍ବବର୍ତ୍ତୀ ଖଜୁରିଆରୁ ମିଳିଥିବା ଗଳିତ ବାଘ ମୁଣ୍ଡକୁ ଆଜି ବ୍ୟବଚ୍ଛେଦ କରାଯାଇଛି। ବରଗଡ଼ ବନ ବିଭାଗ ଓ ସମ୍ବଲପୁର ବନ୍ୟପ୍ରାଣୀ ଡିଭିଜନର ଅଧିକାରୀମାନଙ୍କ ଉପସ୍ଥିତିରେ ବାଘର କଟାମୁଣ୍ଡକୁ ଭଟଲିର ପ୍ରାଣୀଧନ ଚିକିତ୍ସାଧିକାରୀ ବିଶ୍ୱରଞ୍ଜନ ପଧାନ ବ୍ୟବଚ୍ଛେଦ କରିଥିଲେ। ତେବେ କଟା ମୁଣ୍ଡଟି ପଚିସଢ଼ି ଯାଇଥିବାରୁ ଏହା ମହାବଳ ବାଘର ନା କଲରାପତରିଆର ମୁଣ୍ଡ ତାହା ସ୍ପଷ୍ଟ ହୋଇପାରିନାହିଁ। ଏଣୁ ସଂପୃକ୍ତ ଡାକ୍ତରଙ୍କ ସୁପାରିସ କ୍ରମେ ଏହାର କିଛି ଅଂଶ ଡେରାଡୁନ ବନ୍ୟପ୍ରାଣୀ ଡିଭିଜନକୁ ପଠାଯିବ ବୋଲି ଜଣାପଡ଼ିଛି। ଏହାପରେ ଜଙ୍ଗଲ ବିଭାଗର ଉପସ୍ଥିତିରେ ପଚା ମୁଣ୍ଡର ଅଂଶ ବିଶେଷକୁ ପୋଡ଼ି ଦିଆଯାଇଥିବା ଜଣାଡ଼ିଛି। ବାଘର ପ୍ରଜାତି ଓ ମୃତ୍ୟୁର କାରଣ ସମ୍ପର୍କରେ ଏବେବି ବନବିଭାଗ ପରସ୍ପରକୁ ଦୋଷାରୋପ କରୁଛି। ବନବିଭାଗ ଏହାକୁ ଡେବ୍ରିଗଡ଼ ବନ୍ୟପ୍ରାଣୀ ଡିଭିଜନ ଅଧିକାରୀଙ୍କ ଅପାରଗତା ବୋଲି କହୁଥିବା ସମୟରେ ଡେବ୍ରିଗଡ଼ ବନ୍ୟପ୍ରାଣୀ ଡିଭିଜନ ଏହାକୁ ଟେରିଟୋରି ଫରେଷ୍ଟ ଅଧିକାରୀଙ୍କ ଦୁର୍ବଳତା ବୋଲି କହୁଛନ୍ତି।
ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲା ହେବାର ୨୦ ବର୍ଷ ବିତିଯାଇଥିଲେ ସୁଦ୍ଧା ବରଗଡ଼ ରାଜସ୍ୱ ଜିଲାରେ ରହିଥିବା ଡେବ୍ରିଗଡ଼ ଅଭୟାରଣ୍ୟ ଏବେବି ସମ୍ବଲପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ରହିଛି। ଏହାର ସମସ୍ତ କାର୍ଯ୍ୟକ୍ରମ ସମ୍ବଲପୁରର ନିୟନ୍ତ୍ରିତ ହୋଇଥାଏ। ଏପରିକି ଏଠାରୁ ସଂଗୃହୀତ ରାଜସ୍ୱ ମଧ୍ୟ ବରଗଡ଼ ପରିବର୍ତ୍ତେ ସମ୍ବଲପୁର ରାଜସ୍ୱ ଦର୍ଶାଯାଇଥାଏ। ଅତୀତରେ ଏ ପ୍ରସଙ୍ଗ ନେଇ ବରଗଡ଼ର ପୂର୍ବତନ ବିଧାୟକ ଆନନ୍ଦ ଆଚାର୍ଯ୍ୟ ବିଧାନସଭାରେ ପ୍ରଶ୍ନ ଉତ୍‍ଥାପିତ କରିଥିଲେ।

ରିପୋର୍ଟ ମାଗିଲା ଏନଟିସିଏ

ନୂଆଦିଲ୍ଲୀ: ଡେବ୍ରିଗଡ଼ ବାଘ ଶିକାର ଘଟଣାରେ ଜାତୀୟ ବାଘ୍ର୍ୟ ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ରାଜ୍ୟ ମୁଖ୍ୟ ବନ୍ୟଜନ୍ତୁ ସଂରକ୍ଷକଙ୍କୁ ରିପୋର୍ଟ ମାଗିଛନ୍ତି। ସମାଜ’ରେ ପ୍ରକାଶିତ ରିପୋର୍ଟ ଭିତ୍ତିରେ ଏନଟିସିଏ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି। କେଉଁ ପରିସ୍ଥିତିରେ ବରଗଡ଼ ଜିଲା ଭଟଲି ବନ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ଖଜୁରିଆ ଗ୍ରାମ ନିକଟସ୍ଥ ଦାମୋଦରପଡ଼ା ଗ୍ରାମରେ ଏକ ବାଘର ଗଣ୍ଡିବିହୀନ ମୁଣ୍ଡ ଗଳିତ ଅବସ୍ଥାରେ ମିଳିଛି ସେବିଷୟରେ ସମସ୍ତ ତଥ୍ୟ ଦେବାକୁ ଏନଟିସିଏ ଚିଠିରେ କୁହାଯାଇଛି।

Leave A Reply