ଜାତୀୟ ସାହସିକତା ପୁରସ୍କାର ପାଇଁ ସିତୁ ମନୋନୀତ

0

ରାଜନଗର: ରାଜନଗର ବ୍ଲକ କଣ୍ଡିରାର ସାହସୀ ପୁଅ ସିତୁ ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀଠାରେ ତାଙ୍କୁ ଏହି ପୁରସ୍କାର ଦିଆଯିବ। ମେଘନାଦ ମଳିକ ଓ ମାତା ଅବଳୀ ମଳିକଙ୍କ ପୁଅ ସିତୁ ୨୦୧୮ ଫେବୃଆରୀ ୧୯ତାରିଖରେ ତାଙ୍କ ଦାଦା ବିନୋଦଙ୍କ ସହ ଧାନଖଳା ଜଗିବାକୁ ଯାଇଥିଲେ। ଏହି ସମୟରେ ପାଟଶାଳା ସେତୁ ନିକଟ ଦାରୁଓରା ନାଳରେ ରାତି ୯ଟାରେ କୁମ୍ଭୀର ତାଙ୍କ ଦାଦା ବିନୋଦଙ୍କୁ ଟାଣି ନେଉଥିବା ବେଳେ ସେ ସାହସର ସହ ଟର୍ଚ୍ଚ ପକାଇ ଟେକା ଫିଙ୍ଗିଥିଲେ। ପରେ ବାଡିରେ ବାଡେଇବାରୁ କୁମ୍ଭୀର ବିନୋଦଙ୍କୁ ଛାଡି ପଳାଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସିତୁର ସାହସିକତାକୁ ସମସ୍ତେ ପ୍ରଶଂସା କରିଥିଲେ। ତାଙ୍କୁ ସ୍ଥାନୀୟ ବାସୁଦେବ ନୋଡାଲ ଉଚ୍ଚବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ମହେଶ୍ୱର ରାଉତଙ୍କ ନେତୃତ୍ୱରେ ପ୍ରଥମେ ସମ୍ବର୍ଦ୍ଧିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜିଲା ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ୧୦ ତାରିଖରେ ଜାତୀୟ ଶିଶୁ ମଙ୍ଗଳ ପରିଷଦ ପକ୍ଷରୁ ତାଙ୍କୁ ଆସନ୍ତା ଜାନୁଆରୀ ୧୬ ସୁଦ୍ଧା ଦିଲ୍ଲୀରେ ପହଞ୍ଚିବା ପାଇଁ ଚିଠି କରାଯାଇଛି। ଏ ନେଇ ଜିଲା ଏବଂ ବ୍ଲକ ପ୍ରଶାସନକୁ ମଧ୍ୟ ଜଣାଇ ଦିଆଯାଇଛି।
ଜିଲାପାଳ ଦାଶରଥି ଶତପଥୀ ସିତୁଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହାଛଡା ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟକେତନ ସାହୁ, ବିଡିଓ ମନ୍ଦରଧର ମହାଳିକ, ବାସୁଦେବ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମହେଶ୍ୱର ରାଉତଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସମ୍ବର୍ଦ୍ଧନା ଜଣାଇ ସିତୁ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗ୍ରାମର ମମତା ଦଳାଇ ତାର ବଡ ଭଉଣୀ ଅଶାନ୍ତି ଦଳାଇକୁ କୁମ୍ଭୀର କବଳରୁ ଉଦ୍ଧାର କରି ଜାତୀୟ ପୁରସ୍କାର ପାଇସାରିଛି।

Leave A Reply