ଜାତୀୟ ନୀତି ସପକ୍ଷରେ ଉପରାଷ୍ଟ୍ରପତି: ସବୁ ରାଜ୍ୟରେ ବିଧାନ ପରିଷଦ

0

ଭୁବନେଶ୍ୱର: ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ଆବଶ୍ୟକତାକୁ ନେଇ ବିରୋଧୀ ଆରମ୍ଭରୁ ପ୍ରଶ୍ନ ଉଠାଇଛନ୍ତି। ଏସମ୍ପର୍କରେ ଗୁରୁବାର ବିଧାନସଭାରେ ସଂକଳ୍ପ ଆଗତ ହେବ। ଏହା ଉପରେ ତିନି ଘଣ୍ଟା ଆଲୋଚନା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ସଙ୍କଳ୍ପକୁ କଂଗ୍ରେସ ଓ ବିଜେପି ଗୃହରେ ବିରୋଧ କରିବେ। ବୁଧବାର ଅନୁଷ୍ଠିତ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଉଭୟ ଦଳର ପ୍ରତିନିଧି ଏହାକୁ ବିରୋଧ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ବିରୋଧୀ ସରକାରଙ୍କ ଏହି ନିଷ୍ପତ୍ତି ବିଜେଡିର କିଛି ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ଆଣିଛନ୍ତି।
ଅନ୍ୟପକ୍ଷରେ ପ୍ରତି ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଏକ ଜାତୀୟ ନୀତିର ଆବଶ୍ୟକତା ଉପରେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଗୁରୁତ୍ବ ଦେଇଛନ୍ତି। ଏଥିସହ ରାଜନୈତିକ ଦଳଗୁଡ଼ିକରୁ ପ୍ରତିନିଧିତ୍ବ କରୁଥିବା ବ୍ୟବସ୍ଥାପକ ସଭାର ପ୍ରତିନିଧିଙ୍କ ସମେତ ସମସ୍ତ ସଦସ୍ୟଙ୍କ ପାଇଁ ସହମତି ଭିତ୍ତିର ଏକ ଆଦର୍ଶ ଆଚରଣ ବିଧି ପ୍ରଣୟନ ପାଇଁ ଆହ୍ବାନ ଦେଇଛନ୍ତି। ଉପ ରାଷ୍ଟ୍ରପତି ଶ୍ରୀ ନାଇଡୁ ଗତ ୨ ତାରିଖରେ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ
ଦ୍ବାରା ନିଜ ରଚିତ ପୁସ୍ତକ ଉନ୍ମୋଚନ ଅବସରରେ ଏହି ବକ୍ତବ୍ୟ ରଖିଛନ୍ତି। ଏହାକୁ ନେଇ ଜାତୀୟସ୍ତରରେ ବିତର୍କ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ଅଧିକ ଗୁରୁତ୍ବ ବହନ କରୁଛି।
ସୂଚନାଯୋଗ୍ୟ ଯେ ଓଡ଼ିଶାରେ ବିଧାନ ପରିଷଦ ଗଠନ ହେଲେ ଏହା ୪୯ ସଦସ୍ୟ ବିଶିଷ୍ଟ ହେବ। ବିଧାୟକଙ୍କ ଦ୍ବାରା ୧୬ଜଣ, ଜିଲା ପରିଷଦ ଓ ପୌରାଞ୍ଚଳରୁ ୧୬ଜଣ, ୪ଜଣ ଗ୍ରାଜୁଏଟ ଏବଂ ୪ଜଣ ଶିକ୍ଷକ ନିର୍ବାଚିତ ହେବେ। ପରିଷଦକୁ ରାଜ୍ୟପାଳ ୯ ଜଣ ସଦସ୍ୟଙ୍କୁ ମନୋନୀତ କରିବେ। ବିଧାନ ପରିଷଦ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ନାହିଁ।
ଅଧିବେଶନ ବସିବା ବେଳେ ଏକ ସଙ୍ଗରେ ବିଧାନସଭା ଓ ବିଧାନ ପରିଷଦର ବୈଠକ ବସିବ। ବିଧାନସଭା ସଦସ୍ୟଙ୍କ ପରି ବିଧାନ ପରିଷଦ ସଦସ୍ୟଙ୍କୁ ଦରମା, ଭତ୍ତା, ବିଧାୟକ ପାଣ୍ଠି ଅର୍ଥ, ସରକାରୀ ଘର ଓ ପେନସନ ଆଦି ସମସ୍ତ ସୁବିଧା ସୁଯୋଗ ମିଳିବ।
ବିଧାନ ପରିଷଦ ଗଠନ ହେଲେ ବିଧାନସଭାକୁ ସିଧାସଳଖ ନିର୍ବାଚିତ ହୋଇପାରୁନଥିବା ବିଭିନ୍ନ କ୍ଷେତ୍ରରୁ ଅଧିକ ପ୍ରତିନିଧିତ୍ବ ମିଳିବ। ବିଭିନ୍ନ ଯୋଜନା ଏବଂ ନୀତି ନିୟମ ପ୍ରଣୟନ କ୍ଷେତ୍ରରେ ବିଧାନ ପରିଷଦର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିବ।

Leave A Reply