କୋରାପୁଟ ଝିଅ ବାଂଲାଦେଶରେ ବିକ୍ରି !

0

ମାଲକାନଗିରି : ଜଣେ ଅପ୍ରାପ୍ତବୟସ୍କ ଝିଅକୁ ବାଂଲାଦେଶର ଜଣେ ନାଗରିକଙ୍କୁ ବିକ୍ରି କରିଦିଆଯାଇଥିବା ଅଭିଯୋଗ ହୋଇଛି। ଝିଅଟିକୁ ଉଦ୍ଧାର କରିବା ପାଇଁ ତା’ର ମା’ ପ୍ରଶାସନ ନିକଟରେ ଗୁହାରି କରିଛି। ଚିତ୍ରକୋଣ୍ଡା ଥାନା ଦରାଗୁଡା ପଞ୍ଚାୟତ ଅନ୍ତର୍ଗତ ମାଢିଗୁଡା ଗ୍ରାମର ଜଣେ ୧୬ ବର୍ଷର ଝିଅ ମାଟ୍ରିକ ପାସ୍‌ ପରେ ମାଲକାନଗିରିରେ ଥିବା ସିଲାଇ କେନ୍ଦ୍ରରେ ପ୍ରଶିକ୍ଷଣ ନେଇଥିଲା। ପରେ ସେ ବେଙ୍ଗାଲୁରର ଏକ ସିଲେଇ କମ୍ପାନିରେ ଗତ ବର୍ଷ ଅକ୍ଟୋବର୧୬ ତାରିଖରେ ନିଯୁକ୍ତି ପାଇଥିଲା। ଜିଲା ପ୍ରଶାସନ ଓ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ତରଫରୁ ତାଙ୍କୁ ବେଙ୍ଗାଲୁରୁ ପଠାଯାଇଥିଲା। ତେବେ ସେଠାରୁ କୌଶଳ କରି କମ୍ପାନିର କିଛି ଲୋକ ବିଭିନ୍ନ ପ୍ରଲୋଭନ ଦେଖାଇ ବିନା ପାସପୋର୍ଟରେ ତାକୁ ବାଂଲାଦେଶ ପଠାଇଦେଇଥିବା ଅଭିଯୋଗ ହୋଇଛି। ତେବେ ଝିଅଟି କୌଶଳ କ୍ରମେ ଏକ ଅଜ୍ଞାତ ସ୍ଥାନରୁ ତାଙ୍କ ଘରକୁ ଫୋନ୍‌ କରି ସେ ବାଂଲାଦେଶରେ ଥିବା ଜଣାଇଥିଲା। ଏପରିକି ତାକୁ ସେଠାରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ମଧ୍ୟ ଫୋନ୍‌ରେ ସେ ଜଣାଇଥିବା ପରିବାର ଲୋକ କହିଛନ୍ତି। ଏ ନେଇ ଝିଅର ମା’ ଜିଲା ପ୍ରଶାସନ ଓ ଚିତ୍ରକୋଣ୍ଡା ଥାନାରେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ। ଘଟଣା ସମ୍ପର୍କରେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ଚିତ୍ରକୋଣ୍ଡାର ଜଣେ ଆଦିବାସୀ ମହିଳା ଡମ୍ବୁରୀ ମାଟାମ୍‌ ଜଣାଇଛନ୍ତି। ଘଟଣା ସମ୍ପର୍କରେ ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଛନ୍ତି, ୨୦୧୭ ଜୁଲାଇରେ ଏହି ଘଟଣା ତାଙ୍କ ନଜରକୁ ଆସିବା ପରେ ସେ ଜିଲା ପ୍ରଶାସନ ଜରିଆରେ ବାଂଲାଦେଶରେ ଥିବା ଭାରତର ଦୂତାବାସ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ଏହା ଏକ ଇଣ୍ଟରପୋଲ୍‌ ମାମଲା ହୋଇଥିବାରୁ ଦୂତାବାସ ଅଧିକାରୀ ପୂରା ଘଟଣାର ଅନୁଧ୍ୟାନ କରୁଛନ୍ତି। ସେଠାରୁ ଖବର ମିଳିବା ମାତ୍ରେ ଏଠାକାର ଜିଲା ଓ ପୁଲିସ ପ୍ରଶାସନ ଝିଅଟିକୁ ଉଦ୍ଧାର କରିବାକୁ ଆବଶ୍ୟକ ପଦକ୍ଷେପ ନେବ।

Leave A Reply