କେନ୍ଦ୍ର ସରକାର, ନିର୍ବାଚନ ଆୟୋଗଙ୍କୁ ନୋଟିସ

0

ନୂଆଦିଲ୍ଲୀ: ଖାଲି ପଡ଼ିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ଉପନିର୍ବାଚନ କରାଇବା ପାଇଁ ଏକ ମାମଲାର ଶୁଣାଣି କରି ଦିଲ୍ଳୀ ହାଇକୋର୍ଟ ଭାରତୀୟ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବାଙ୍କୀ କୁସପଙ୍ଗୀ ଅଞ୍ଚଳର ସମରେନ୍ଦ୍ର ବେଉରାଙ୍କ ଆବେଦନକୁ ଗ୍ରହଣ କରି ଦିଲ୍ଲୀ ହାଇକୋର୍ଟର ବିଚାରପତି ସିଦ୍ଧାର୍ଥ ମୃଦୁଲଙ୍କ ଜଣିକିଆ ଖଣ୍ଡପୀଠ ନୋଟିସ ଜାରି କରିଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ସୁଦର୍ଶ ମେନନ ଦର୍ଶାଇଥିଲେ ଯେ
ନିୟମନୁଯାୟୀ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଖାଲି ପଡ଼ିଥିବା ଆସନରେ ଉପନିର୍ବାଚନ କରାଇବା ଭାରତୀୟ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ। ଗତ ମଇ ୨୮ରେ ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। କୌଣସି ନିର୍ବାଚିତ ଜନପ୍ରତିନିଧି ସ୍ୱେଛାକୃତ ଭାବେ ଦଳ ତ୍ୟାଗ କଲେ ଅଥବା ଦଳୀୟ ହୁଇପ ଅମାନ୍ୟ କଲେ ଉଭୟ କ୍ଷେତ୍ରରେ ସଂପୃକ୍ତ ଜନପ୍ରତିନିଧିଙ୍କ ସଭ୍ୟପଦ ଆପେ ଆପେ ରଦ୍ଦ ହୋଇଯିବ। ସଂବିଧାନର ପରିଛେଦ-୨ ଅନୁଯାୟୀ ସଂପୃକ୍ତ ଜନପ୍ରତିନିଧି ସଭ୍ୟପଦ ହରାଇବେ। ଏଭଳି କ୍ଷେତ୍ରରେ ଚଳିତ ଷୋଡ଼ଶ ଲୋକସଭା କାର୍ୟ୍ୟକାଳ ଶେଷ ହେବାର ଏକ ବର୍ଷ ପୂର୍ବରୁ ବୈଜୟନ୍ତ ପଣ୍ଡା ସଭ୍ୟପଦ ହରାଇଛନ୍ତି ବୋଲି ପିଟିସନକାରୀଙ୍କ ଓକିଲ ଶ୍ରୀ ମେନନ ଯୁକ୍ତି ଉପସ୍ଥାପନ କରିଥିଲେ। ଚଳିତ ଲୋକସଭା କାର୍ୟ୍ୟକାଳ ସରିବାର ଏକ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ଆସନ ଖାଲି ହୋଇଥିବାରୁ ଭାରତୀୟ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୫୧(କ) ଅନୁଯାୟୀ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆଡଭୋକେଟ ମେନନ ନିବେଦନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ରେ ହେବ।

Leave A Reply