କେନ୍ଦ୍ରୀୟ ସଡ଼କ ଗବେଷଣା ପ୍ରତିଷ୍ଠାନକୁ ଦାୟିତ୍ୱ

0

ଭୁବନେଶ୍ୱର : କେନ୍ଦ୍ରୀୟ ସଡ଼କ ଗବେଷଣା ପ୍ରତିଷ୍ଠାନ ଗୁରୁପ୍ରିୟା ସେତୁର ଗୁଣାତ୍ମକ ମାନ ଓ ସୁରକ୍ଷାର ଯାଞ୍ଚ କରିବ। ଏ ନେଇ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ ସଂପୃକ୍ତ ପ୍ରତିଷ୍ଠାନ ସମ୍ମତି ପ୍ରଦାନ କରିଛି। ଚଳିତମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାର ୬ ଜଣିଆ ବିଶେଷଜ୍ଞ ଦଳ ମାଲକାନଗିରିରେ ପହଞ୍ଚି ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବେ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି। ମାଓବାଦୀ ସେତୁ ନିର୍ମାଣକୁ ବିରୋଧ କରୁଥିବାରୁ ସେତୁର ତଳ ପଟେ ୪ଟି ଏବଂ ଦୁଇ ପାର୍ଶ୍ବରେ ୨ଟି ସିସିଟିଭି ଲଗାଯାଇଛି। ବିଭିନ୍ନ ସମୟରେ ରାଜ୍ୟର କେତେକ ସ୍ଥାନରେ ପୋଲ ଭୁଶୁଡିବା ଘଟଣାରେ ଜନସାଧାରଣ ନିର୍ମାଣ କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକଟ କରୁଥିବାରୁ ତୃତୀୟ ପକ୍ଷ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ସେତୁର ଯାଞ୍ଚ କରାଯିବ। ରାଜ୍ୟରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଏହି ସଂସ୍ଥା ଗୁରୁପ୍ରିୟା ସେତୁର ଯାଞ୍ଚ କରିବ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି।
୯୧୦ ମିଟର ଦୀର୍ଘ ଏହି ସେତୁର ନିର୍ମାଣ କାର୍ଯ୍ୟ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା। ଗୁରୁପ୍ରିୟା ନଦୀ ଉପରେ ସେତୁ ନିର୍ମାଣ କରାଯାଇ ଥିବାବେଳେ ଜାନବାଇରୁ ଚିତ୍ରକୋଣ୍ଡା ପେପର ମେଟଲା ପର୍ଯ୍ୟନ୍ତ ୧୨୫୦ ମିଟର ଦୀର୍ଘ ସଂଯୋଗୀକରଣ ରାସ୍ତା ନିର୍ମିତ ହୋଇଛି। ଏଥିରେ ୧୮୨କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେତୁ ନିର୍ମାଣ ଫଳରେ ମାଲକାନଗିରି ବଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତର ୧୫୧ ଖଣ୍ଡ ଗ୍ରାମର ୨୫ ହଜାରରୁ ଅଧିକ ଜନସାଧାରଣ ସ୍ଥଳପଥରେ ଗମନାଗମନ ସୁବିଧା ପାଇବେ। ପୂର୍ବରୁ ଲଞ୍ଚ ଯୋଗେ ବାଲିମେଳା ଜଳଭଣ୍ଡାର ଦେଇ ସେମାନେ ଯିବା ଆସିବା କରୁଥିଲେ।
ବହୁ ପ୍ରତିକ୍ଷୀତ ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ସେତୁର ଗୁଣାତ୍ମକ ମାନ ଓ ସୁରକ୍ଷାକୁ ସରକାର ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଭାଗର ଯାଞ୍ଚକାରୀ ଦଳ ନିୟମିତ ଯାଞ୍ଚ କାର୍ଯ୍ୟ କରୁଥିବା ବେଳେ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ ନିଷ୍ପତ୍ତି ନିଆଯାଇଥିଲା। ବମିଖାଲ ଓଭରବ୍ରିଜ ଦୁର୍ଘଟଣା ପରେ ବିଭିନ୍ନ ବ୍ରିଜର ଗୁଣାତ୍ମକ ମାନ ଯାଞ୍ଚ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଥିଲେ। ଏହି ଆଧାରରେ ବମିଖାଲ ବ୍ରିଜର ନିର୍ମାଣକାରୀ ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଥିବା ସମସ୍ତ ଚାରିଟି ବ୍ରିଜର ଯାଞ୍ଚ କାର୍ଯ୍ୟ କରିବାକୁ ବିଭାଗ ସ୍ଥିର କରିଛି। ଏହାବ୍ୟତୀତ ଯେଉଁସବୁ ସ୍ଥାନରେ ନିର୍ମାଣ ଶୈଳୀରେ ତ୍ରୁଟି ଓ ମାନକୁ ନେଇ ଅଭିଯୋଗ ପହଞ୍ଚୁଛି ସେସବୁର ତୁରନ୍ତ ଅନୁଧ୍ୟାନ କରାଯାଉଛି ଏବଂ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ ବ୍ୟବସ୍ଥା ହାତକୁ ନିଆଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply