କୁମାରସ୍ୱାମୀଙ୍କ ଶପଥରେ କାହିଁକି ଦୃଶ୍ୟମାନ ହେଲେନି ନବୀନ

0

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଚନ୍ଦ୍ରବାବୁ ନାଇଡ଼ୁ ଓ ମମତା ବାନାର୍ଜୀ ପରି ନେତା ଉପସ୍ଥିତ ହୋଇଥିଲେ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଭବ୍ୟ ଉତ୍ସବରେ ଦୃଶ୍ୟମାନ ହୋଇ ନଥିଲେ। ବିଜେଡ଼ି ସୁପ୍ରିମୋଙ୍କ ଏଭଳି ନିଷ୍ପତ୍ତିକୁ ନେଇ ରାଜନୈତିକ ସମୀକ୍ଷକ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଅବଶ୍ୟ ଦୀର୍ଘ ୧୮ବର୍ଷର ଶାସନ କାଳରେ ନବୀନ ପଟ୍ଟନାୟକ କୌଣସି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ନାହାନ୍ତି। ତେବେ କେତେବେଳେ କେମିତି ତାଙ୍କ ପ୍ରତିନିଧି ଭାବରେ ଜଣେ ବରିଷ୍ଠ ବିଜେଡି ନେତାଙ୍କୁ ଏଭଳି ଉତ୍ସବରେ ଯୋଗ ଦେବାକୁ ପଠାଇ ଥାନ୍ତି। ତେବେ କୁମାରସ୍ୱାମୀଙ୍କ କ୍ଷେତ୍ରରେ ତାହା ମଧ୍ୟ ଦୃଶ୍ୟମାନ ହୋଇ ନଥିଲା। କର୍ଣ୍ଣାଟକ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବକୁ ରାଜନୈତିକ ସମୀକ୍ଷକ ବିଜେପି ବିରୋଧରେ ଶକ୍ତି ପ୍ରଦର୍ଶନ ଭାବରେ ତୁଳନା କରୁଛନ୍ତି। ଏଭଳି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୂର୍ବରୁ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରକ୍ଷା କରି ଆସୁଛନ୍ତି। ଏଭଳି କ୍ଷେତ୍ରରେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ଓଡ଼ିଶାରେ ଅଣ ବିଜେପି ତଥା କଂଗ୍ରେସକୁ ପରୋକ୍ଷରେ ସମର୍ଥନ ହୋଇଥାନ୍ତା। ଆସନ୍ନ ନିର୍ବାଚନରେ ବିଜେପି ବିରୋଧରେ ମହାମେଣ୍ଟ କରିବାର ଏକ ମାଧ୍ୟମ ଭାବରେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବ ପାଲଟି ଥିବାବେଳେ ରାଜ୍ୟରେ ଏଭଳି କୌଣସି ମେଣ୍ଟକୁ ପ୍ରୋତ୍ସାହନ ଦେବାକୁ ମୁଖ୍ୟମନ୍ତ୍ରୀ ଚାହୁଁ ନାହାନ୍ତି। ତେଣୁ କେବଳ ଏକ ଔପଚାରିକ ଫୋନ ଦ୍ୱାରା କୁମାରସ୍ୱାମୀଙ୍କୁ ଅଭିବାଦନ ଜ୍ଞାପନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦାୟିତ୍ୱ ସମ୍ପନ୍ନ କରିଛନ୍ତି।
୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେଡିକୁ ଜାତୀୟ ଦଳ ଉଭୟ କଂଗ୍ରେସ ଓ ବିଜେପି ସହିତ ମୁକାବିଲା କରିବାକୁ ପଡ଼ିବ। ତେଣୁ ନିର୍ବାଚନ ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେପି ସହ କୌଣସି ମଞ୍ଚରେ ସ୍ଥାନିତ କରିବାକୁ ବିଜେଡି ସୁପ୍ରିମୋ ଏଡ଼ାଇ ଯାଉଛନ୍ତି।
ଏହା ବ୍ୟତୀତ ରାଜ୍ୟରେ ଚିଟଫଣ୍ଡ ପରି ଦୁର୍ନୀତିରେ ସିବିଆଇ ତଦନ୍ତ କରୁଛି। ଖଣି ଦୁର୍ନୀତିକୁ ନେଇ ମଧ୍ୟ ସିବିଆଇ ରାଜ୍ୟରେ ନିଜ କାୟା ବିସ୍ତାର କରି ସାରିଛି। ଏଭଳି ସମୟରେ ବିଜେଡି ସୁପ୍ରିମୋ ସିଧାସଳଖ ଫେଡ଼ରାଲ ଫ୍ରଣ୍ଟରେ ଯୋଗ ଦେଇ ବିପଦକୁ ଡାକିବାର ଆବଶ୍ୟକତା କିଛି ନାହିଁ।

Leave A Reply