ଓଭରଥ୍ରୋରେ ୪ ରନ୍‌ ନଦେବାକୁ ଅମ୍ପାୟାରଙ୍କୁ କହିଥିଲେ ଷ୍ଟୋକ୍‌ସ

ଲଣ୍ଡନ୍‌ : ଇଂଲଣ୍ଡରେ ସଦ୍ୟସମାପ୍ତ ହୋଇଥିବା କ୍ରିକେଟ୍ ବିଶ୍ବକପ୍‌ରେ ଆୟୋଜକ ଇଂଲଣ୍ଡ ଦଳ ଚମ୍ପିଆନ୍‌ ହୋଇଥିଲା। ଫାଇନାଲରେ ଇଂଲଣ୍ଡର ମୁକାବିଲା ନ୍ୟୁଜିଲାଣ୍ଡ ସହ ହୋଇଥିଲା। ମ୍ୟାଚ୍‌ ଟାଏ ହେବାରୁ ସୁପର ଓଭର ଖେଳାଯାଇଥିଲା। ସୁପର ଓଭର ମଧ୍ୟ ଟାଏ ରହିବାରୁ ଅଧିକ ବାଉଣ୍ଡ୍ରି ହାସଲ କରିଥିବା ଇଂଲଣ୍ଡ ଦଳକୁ ବିଜେତା ଘୋଷଣା କରାଯାଇଥିଲା।
ବିଜୟ ପାଇଁ ୨୪୨ ରନ୍‌ ଆବଶ୍ୟକ କରୁଥିବା ଇଂଲଣ୍ଡ ଇନିଂସର ଶେଷଭାଗକୁ ଏକ ନାଟକୀୟ ଘଟଣା ଘଟିଥିଲା। ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ଦୁଇରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରୁଥିବା ବେଳେ ନ୍ୟୁଜିଲାଣ୍ଡ ଫିଲଡର୍‌ ମାର୍ଟିନ୍‌ ଗପଟିଲ୍‌ଙ୍କ ଥ୍ରୋ ଦୌଡୁଥିବା ଷ୍ଟୋକ୍‌ସଙ୍କ ବ୍ୟାଟ୍‌ରେ ବାଜି ବାଉଣ୍ଡରୀ ବାହାରକୁ ଚାଲି ଯାଇଥିଲା। ଫଳରେ ଷ୍ଟୋକ୍‌ସଙ୍କୁ ୬ ରନ୍ ମିଳିଥିଲା। ଓଭରଥ୍ରୋରେ ବଲ୍‌ ବାଉଣ୍ଡରୀ ବାହାରକୁ ଯାଇନଥିଲେ ହୁଏତ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥାନ୍ତା ବୋଲି ଆଲୋଚନା ହେଉଛି। ସେହିପରି ଇଂଲଣ୍ଡକୁ ୬ ନୁହେଁ; ୫ ରନ୍‌ ମିଳିବା ଉଚିତ୍‌ ଥିଲା ବୋଲି କେତେକ ମହଲରେ ମତ ପ୍ରକାଶ ପାଇଛି। ଗପଟିଲ୍‌ ଥ୍ରୋ କରିଥିବା ବଲ୍‌ ବ୍ୟାଟ୍‌ରେ ମାଡ଼ ହୋଇ ବାଉଣ୍ଡ୍ରି ଅତିକ୍ରମ କରିବା ପରେ ଷ୍ଟୋକ୍‌ସ ଏଥିରେ ତାଙ୍କର କୌଣସି ଦୋଷ ନ ଥିବା ଅମ୍ପାୟାରଙ୍କୁ ଜଣାଇବା ସହ ଓଭରଥ୍ରୋରେ ମିଳିଥିବା ୪ ରନ୍‌ ପ୍ରଦାନ ନ କରିବାକୁ ଅମ୍ପାୟାରଙ୍କୁ କହିଥିବା ଇଂଲଣ୍ଡ ଟେଷ୍ଟ ଦଳର କ୍ରିକେଟର୍‌ ଜିମି ଆଣ୍ଡରସନ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଆଇସିସିର ନିୟମ ଅନୁଯାୟୀ ଅମ୍ପାୟାରମାନେ ଇଂଲଣ୍ଡକୁ ଓଭର ଥ୍ରୋ ବାବଦକୁ ୪ ରନ୍‌ ପ୍ରଦାନ କରିଥିଲେ। ଯାହା ଘଟିଗଲା ତାହା ଅକସ୍ମାତ୍‌ ଥିଲା ଏବଂ ଏଥିପାଇଁ କେହି ଦାୟୀ ନୁହନ୍ତ୍ି ବୋଲି ଆଣ୍ଡରସନ୍‌ ସ୍ପଷ୍ଟ କରି ଦେଇଛନ୍ତି।

Comments are closed.