ଏଡିଏମ୍‌ଙ୍କୁ ଟେକିନେଲେ

0

ବାରିପଦା: ତେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଏଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ଆନ୍ଦୋଳନକାରୀ କଂଗ୍ରେସ କର୍ମକର୍ତ୍ତା ଧସେଇ ପଶି ତାଙ୍କ ସ୍ଥାନରୁ ଟେକି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ବିଜେପିର ପୂର୍ବ ଭାଗ ମୟୂରଭଞ୍ଜ ଜିଲା ସଭାପତି ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ପ୍ରମୁଖ ନିନ୍ଦା କରିଛନ୍ତି। ଶାନ୍ତିପୂର୍ଣ୍ଣଭାବରେ ବନ୍ଦ ଡାକରା ଦିଆଯାଉଥିବା କଂଗ୍ରେସ ପକ୍ଷରୁ ଘୋଷଣା
କରାଯାଇଥିବାବେଳେ ବନ୍ଦ ଆଳରେ ଏହିଭଳି ଜଣେ ଜିଲାସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅପଦସ୍ତ ସହ ଅପମାନ କରିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ଅଧିକନ୍ତୁ ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ଜିଲା ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଅଧିକ ବିସ୍ମୟ ତଥା ଦୁର୍ଭାଗ୍ୟଜନକ ବୋଲି ଜିଲା ସଭାପତି ଡା. ମହାପାତ୍ର ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସକାଶେ ବିଜେପି ପକ୍ଷରୁ ଦାବି କରାଯାଇଛି। ଅନ୍ୟଥା ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇ ବିଜେଡି ଓ କଂଗ୍ରେସର ଭିତିରିଆ ବୁଝାମଣା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ମଧ୍ୟ ସେମାନେ ଦର୍ଶାଇଛନ୍ତି।
ତେବେ ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ବାରିପଦା ଟାଉନ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

Leave A Reply