ଉଦ୍‍ଭାବନ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଉପାଦାନ: ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଅଧୁନା ଉଦ୍‍ଭାବନ ଶିକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ ଭାବରେ ପରିଗଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରିବା ଅବସରରେ କହିଛନ୍ତି।
ସ୍ଥାନୀୟ ବିଜ୍ଞାନ ଭବନଠାରେ ‘ଶିକ୍ଷା ପୁନରୁତ୍ଥାନରେ ଶୈକ୍ଷିକ ନେତୃତ୍ୱ’ ଶୀର୍ଷକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‍ଘାଟନ କରିଛନ୍ତି। ୟୁଜିସି, ଏଆଇସିଟିଇ, ଆଇସିଏସ୍‍ଏସ୍‍ଆର, ଇଗ୍‍ନକା, ଇଗ୍ନୌ, ଜେଏନ୍‍ୟୁ, ଏସ୍‍ଜିଟି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ୩୫୦ରୁ ଊଦ୍ଧ୍ୱର୍ କୁଳପତି ଓ ନିର୍ଦେଶକ ଯୋଗ ଦେଇଥିଲେ। ସମ୍ମିଳନୀରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର ଓ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂହ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନର ଅବତାରଣା କରି କହିଥିଲେ ଯେ ଆତ୍ମପୁନରୁତ୍ଥାନ, ଚରିତ୍ର ଗଠନ ଓ ମାନବର ମୂଲ୍ୟାୟନ ହିଁ ଶିକ୍ଷାର ମୂଳ ଉପାଦାନ। ଜ୍ଞାନ ବିନା ଆମର ସମାଜ, ଦେଶ ଓ ଜୀବନଧାରଣର ପରିକଳ୍ପନା ଅସମ୍ଭବ। ପୁରୁଣା କାଳରେ ନାଳନ୍ଦା, ତକ୍ଷଶିଳା, ବିକ୍ରମଶିଲାରେ ମୌଳିକ ଜ୍ଞାନଭିତ୍ତିକ ଶିକ୍ଷା ଦିଆଯାଉଥିଲା। ଡ. ବି ଆର ଆମ୍ବେଦକର, ଦୀନ ଦୟାଲ୍‍ ଉପାଧ୍ୟାୟ ଓ ଡ. ରାମ ମନୋହର ଲୋହିୟା ପ୍ରମୁଖଙ୍କ ଶିକ୍ଷା ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।
‘ଗ୍ଲୋବାଲ୍‍ ଭିଲେଜ୍‍’ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଏବେ ଜଣେ ଏକୁଟିଆ ରହିବା କଥା ପରିକଳ୍ପନା ସମ୍ଭବ ନୁହେଁ। ଏବେ ସୃଷ୍ଟି ହୋଇଥିବା ଆହ୍ୱାନର ସମ୍ମୁଖୀନ ହେବା ଲାଗି ପ୍ରକୃଷ୍ଟ ଶିକ୍ଷା ଦେବାକୁ ବିଶ୍ୱବିଦ୍ୟାଳୟଙ୍କୁ ସ୍ୱାଧୀନତା ଦେବା ଆବଶ୍ୟକ। ରାଇଜ୍‍(ରିଭାଇଟାଲାଇଜେସନ୍‍ ଅଫ୍‍ ଇନଫ୍ରାଷ୍ଟ୍ରକଚର ଆଣ୍ଡ ସିଷ୍ଟମ୍‍ ଇନ୍‍ ଏଜୁକେସନ୍‍ ପ୍ରୋଗ୍ରାମ୍‍) ଉଲ୍ଳେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅଧିକ ସଂଖ୍ୟକ ଶିକ୍ଷକ ସୃଷ୍ଟି, ଡିଜିଟାଲ୍‍ ଶିକ୍ଷାଦାନ, ଷ୍ଟାର୍ଟଅପ୍‍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍‍ ଇଣ୍ଡିଆ, ସ୍କିଲ୍‍ ଇଣ୍ଡିଆ ଉପରେ ଗୁରୁତ୍ୱ ଦେଇଥିଲେ। ଦେଶର ଯୁବକମାନେ ହେଉଛନ୍ତି ବ୍ରାଣ୍ଡ ଇଣ୍ଡିଆ। ସେମାନେ ହିଁ ବିଶ୍ୱରେ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହି ଅବସରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର କହିଛନ୍ତି ଯେ ଉଦ୍‍ଭାବନ ବିନା ଦେଶର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ। ଉଦ୍‍ଭାବନ ଦିଗରେ ମସ୍ତିଷ୍କକୁ କ୍ରୀୟାଶୀଳ କରିବା ପାଇଁ ‘ରାଇଜ୍‍’ ମାଧ୍ୟମରେ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କାର ବଜେଟ୍‍ ବ୍ୟବସ୍ଥା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ‘ସମଗ୍ର ଶିକ୍ଷା’ ନାମରେ ଏକ ଯୋଜନା ଆରମ୍ଭ ହୋଇଛି। କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟକୁ ଅଧିକ ସହାୟତା ଯୋଗାଇ ଦିଆଯାଉଛି। ଇମ୍‍ପ୍ରିଣ୍ଟ, ଏସ୍‍ଆଇଏଚ୍‍, ଜିଆଇଏଏନ୍‍, ସ୍ୱୟଂ, ଏନ୍‍ଡିଏଲ୍‍ ଆଦି ଯୋଜନା ହାତକୁ ନିଆଯାଇଛି।

Leave A Reply