ଆୟୁଷ୍ମାନ ଭାରତ: କାହା ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ?

0

କିଶୋର ଜେନା

ଉତ୍କଳମଣିମାର୍ଗ, ଅପର୍ଣ୍ଣାନଗର, କଟକ

କିଛିଦିନ ମଧ୍ୟରେ ଭାରତର ଅନ୍ତତଃ ୫୦କୋଟି ଜନତାଙ୍କ ପାଖରେ ପହଞ୍ଚିଯିବ ଏକ ସୁଦୃଶ୍ୟକାର୍ଡ, ଠିକ ବ୍ୟାଙ୍କର ଏଟିଏମ କାର୍ଡ ପରି। ଏଥରେ ଥିବ ଆପଣଙ୍କ ନାମ, ଠିକଣା, ବୟସ, କେଉଁକେଉଁ ବଜାର ଓ ଦୋକାନରୁ ଆପଣ ସ୍ବାସ୍ଥ୍ୟସେବା କ୍ରୟ କରିପାରିବେ। ଆପଣଙ୍କ ସ୍ବାସ୍ଥ୍ୟ ଓ ଆପଣଙ୍କୁ ଏଣିକି ସ୍ବାସ୍ଥ୍ୟ କ୍ରୟ କରିବାକୁ ହେବ। ପୂର୍ବେ ମଧ୍ୟ କିଛିଟା କିଣା ଯାଉଥିଲା, କିନ୍ତୁ ଏଣିକି କିଣାଟା ହେବ ଆପଣଙ୍କ ଦପ୍ତର, ବିକିବେ କର୍ପୋରେଟ। ତେବେ ସିଧା କ୍ରୟର ଅଧିକାର ଆପଣଙ୍କର ରହିବ ନାହିଁ। ମଝିରେ କିଛି ମଧ୍ୟସ୍ଥ ରହିବେ। ଏମାନଙ୍କ ନାମ ଇନସ୍ୟୁରାନ୍ସ ବା ବୀମାସଂସ୍ଥା। ଏମାନଙ୍କ ପେଟ ପାଇଁ ତ ଭାତର ବ୍ୟବସ୍ଥା କରିବାକୁ ହେବ, କିନ୍ତୁ ଗୋଳମାଳ ଯେ କାହାର ଛବି ରହିବ, ଆଉ ଯାହା ହେଉ ଆପଣଙ୍କ ଛବି ରହୁନାହିଁ; ଏହା ନିଶ୍ଚିତ। କିନ୍ତୁ ବ୍ୟାନର, ଫ୍ଲେକ୍ସ, ହୋର୍ଡିଂ, ପୋଷ୍ଟର, ବିଜ୍ଞାପନ, ରାସ୍ତାର ମୋଡ଼ରେ, ଗଳିରେ, ସାଧାରଣ ସ୍ଥାନରେ ତାଙ୍କ ଛବି ରହିବ, କିନ୍ତୁ କାର୍ଡରେ ରହିବ ନାହିଁ। ଆଉ ଆମ ରାଜ୍ୟରେ ଏହି କାର୍ଡ ଚଳିବ ନାହିଁ। ଏହା ଅନ୍ୟାୟ।
ସ୍ବାଧୀନତା ପରେ ଆଉ ଯାହା ହେଉ ଆମର ବଞ୍ଚିବାର ହାରାହାରି ବୟସ ୩୨ରୁ ବଢ଼ି ଆପାତତଃ ୬୮ ବର୍ଷ ହୋଇଛି। ଯଦିଓ ପଡ଼ୋଶୀ ଶ୍ରୀଲଙ୍କା ବା ବାଂଲାଦେଶରେ ଏହା କମ୍‌ ପକ୍ଷେ ୧୦ବର୍ଷ ଅଧିକ। ଆମଦେଶରେ ପୋଲିଓ ନାହିଁ ଏବେ। ୨୦୧୯ରେ କଳାଜ୍ବର, ୨୦୨୫ରେ ଯକ୍ଷ୍ମାରୋଗ ନିର୍ମୂଳ କରିବୁ ବୋଲି ଠିକ୍‌ କରିଛୁ। ୨୦୨୦ରେ ମାତୃମୃତ୍ୟୁ, ଶିଶୁ ମୃତ୍ୟୁ ହାର କମାଇ ଆଣିବାର ସ୍ବପ୍ନ ଦେଖାଉଛନ୍ତି ଆମ ସରକାର। ୨୦୧୭ରେ ‘ନୂତନ ଜାତୀୟ ସ୍ବାସ୍ଥ୍ୟ ନୀତି’ ଘୋଷଣା କରି ଏସବୁ ଲକ୍ଷ୍ୟ ଠିକ୍‌ କରାଯାଇଛି। କେବଳ ସେତିକି ନୁହେଁ, ‘ସାର୍ବଜନୀନ ସ୍ବାସ୍ଥ୍ୟ’ ଦେବୁ ବୋଲି ଅଙ୍ଗୀକାର ପତ୍ରରେ ସ୍ବାକ୍ଷର କରିଛନ୍ତି କେନ୍ଦ୍ର ସରକାର। ତେବେ ଏହି ସବୁ ବିରାଟ ଲକ୍ଷ୍ୟହାସଲ ପାଇଁ କିନ୍ତୁୁ ଚଲାପଥ ବେଶ ବନ୍ଧୁର।
୨୦୦୫-୨୦୦୭ ନ୍ୟାସନାଲ ରୁରାଲ ହେଲ୍‌ଥ ମିଶନ ଏବଂ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମାଯୋଜନା ଆରମ୍ଭ ହୋଇ ଚାଲିଛି, କିନ୍ତୁ ତ୍ରୁଟିବିଚ୍ୟୁତି ସତ୍ତ୍ବେ ଏକ ଆଭିମୁଖ୍ୟ ଥିଲା। କିଛିଟା ଆଗେଇ ଥିଲା!
୨୦୧୦ରେ ଗଠିତ ହୁଏ ‘ହାଇଲେଭଲ ଏକ୍ସପର୍ଟ ଗ୍ରୁପ’ ଏବଂ ଏହା ଏକ ବର୍ଷ ମଧ୍ୟରେ ‘ସାର୍ବଜନୀନ ସ୍ବାସ୍ଥ୍ୟ’ରେ ପହଞ୍ଚାଇବାରେ ଏକ ଦିଶା ନିର୍ଦେଶ ଦେବାରେ ସଫଳ ହୋଇଥିଲା।
୨୦୧୪ରେ କେନ୍ଦ୍ରସରକାର ପ୍ରତିଶ୍ରୁତି ଦିଅନ୍ତି ‘ଜାତୀୟ ସ୍ବାସ୍ଥ୍ୟ ନିଶ୍ଚିତତା’ର। ୨୦୧୭ରେ କେନ୍ଦ୍ର ସରକାର ଘୋଷଣା କରନ୍ତି ନୂତନ ଜାତୀୟ ସ୍ବାସ୍ଥ୍ୟନୀତି ଏବଂ ପ୍ରତି ତିନି ବର୍ଷରେ ଆକ୍ସନ ପ୍ଲାନ ଏକଦମ ୨୦୩୨ ପର୍ଯ୍ୟନ୍ତ। ସେପ୍ଟେମ୍ବର ୨୦୧୮ରେ ଏସବୁ କିଛିକୁ ପଛରେ ପକାଇ ଆରମ୍ଭ ହୋଇଛି ‘ଆୟୁୁଷ୍ମାନ ଭାରତ’- ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା। କାହା କାହାର ଛବି ରହିବ ସେ ନେଇ ଝଗଡ଼ାଝାଟି ମଧ୍ୟରେ ବିଭିନ୍ନ କ୍ଷେତ୍ରରୁ ଉଠିଛି ହଜାର ପ୍ରଶ୍ନ – କାହାର ଟଙ୍କା କୁଆଡ଼େ ଯିବ। ଜନସାଧାରଣଙ୍କ ସ୍ବାସ୍ଥ୍ୟ କ’ଣ ଏବେ ପଣ୍ୟ ହୋଇଗଲା, କ୍ରୟଛଡ଼ା କ’ଣ ଆଉ ଉପାୟ ନାହିଁ। ତାହା ମଧ୍ୟ କ୍ରୟ କରିବାକୁ ହେବ କର୍ପୋରେଟଙ୍କଠାରୁ। ଇନସ୍ୟୁରାନ୍ସ ହାତରେ ତୋଳି ନଦେଇ ସରକାର ନିଜେ ତ କରିପାରିଥାଆନ୍ତେ ସ୍ବାସ୍ଥ୍ୟର ବ୍ୟବସ୍ଥା। ତା’ହେଲେ ଅନ୍ତତଃ ଏହି ଘରୋଇ ମଧ୍ୟସ୍ଥଙ୍କ ଉତ୍ପାତ ତ ଟିକେ କମିଥାଆନ୍ତା। ଏବେ ଆମକୁ ପରିଷ୍କୃତ ଜଳ କିଏ ଦେବ! ପିଲାପିଲି ପୁଷ୍ଟିହୀନତାର ଶିକାର ହେଲେ ଏହାର ଦାୟିତ୍ବ କିଏ ନେବେ? ଏହି ମଧ୍ୟସ୍ଥ ଟିପିଏ ଯଦି ଗୋଳମାଳ କରି କହେ ଆପଣଙ୍କ କାର୍ଡରେ ଟଙ୍କା ନାହିଁ ସେତେବେଳେ କାହାପାଖକୁ ଯିବେ। ତା’ହେଲେ ସ୍ବାସ୍ଥ୍ୟ ଭିଜନର ଘୋଷିତ ଲକ୍ଷ୍ୟ, ସମ୍ବିଧାନ ପ୍ରଦତ୍ତ ‘ସ୍ବାସ୍ଥ୍ୟର ଅଧିକାର’ ସାର୍ବଜନୀନ ସ୍ବାସ୍ଥ୍ୟ- ଏ ସବୁର ଉତ୍ତର କ’ଣ ଏବେଠାରୁ ଏହି ସୁଦୃଶ୍ୟକାର୍ଡ ଓ ସ୍ବାସ୍ଥ୍ୟବୀମା।
ଆମ ଦେଶର ସାମଗ୍ରିକ ସ୍ବାସ୍ଥ୍ୟ ସ୍ଥିିତି ଭଲ ନୁହେଁ। ୧୮ ପ୍ରତିଶତ ଗ୍ରାମୀଣ ଓ ୧୦ ପ୍ରତିଶତ ଜନସାଧାରଣ ଏବେ ମଧ୍ୟ କୌଣସି ସ୍ବାସ୍ଥ୍ୟସେବା ପାଆନ୍ତି ନାହିଁ। ୨୮ ପ୍ରତିଶତ ଗ୍ରାମୀଣ ଏବଂ ୨୦ ପ୍ରତିଶତ ସହରର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ କୌଣସି ଅର୍ଥର ବ୍ୟବସ୍ଥା ନାହିଁ। ୪୦ଭାଗ ସରକାରୀ ହାସପାତାଳରେ ଭର୍ତ୍ତି ଲୋକଙ୍କୁ ସେମାନଙ୍କ ଚିିକିତ୍ସାର ଖର୍ଚ୍ଚ ମେଣ୍ଟାଇବାକୁ ପଡ଼େ ଧାର କରଜକରି ଅଥବା ସମ୍ପତ୍ତିବାଡ଼ି ବିକ୍ରି କରି। ହାସପାତାଳରେ ଭର୍ତ୍ତି ୩୫ ପ୍ରତିଶତ ଲୋକ ଚିକିତ୍ସା ବ୍ୟୟ ପାଇଁ ଦାରିଦ୍ର୍ୟ ସୀମାତଳକୁ ମୋଟ ଜନସଂଖ୍ୟାର ୨.୨ ପ୍ରତିଶତ ପ୍ରତିବର୍ଷ କେବଳ ଚିକିତ୍ସାର ବ୍ୟୟ ପାଇଁ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଉଛନ୍ତି। ଏହା ହେଲା ଗୋଟିଏ ଦିଗ, ଅନ୍ୟଦିଗରେ ସ୍ବାସ୍ଥ୍ୟ ସୂଚକାଙ୍କରେ ସଂପ୍ରତି ଆମର ଅବସ୍ଥାନ ବିଗତ ଦଶକଗୁଡ଼ିକର ସ୍ବାସ୍ଥ୍ୟ ଆଭିମୁଖ୍ୟର ଦୁର୍ବଳତାକୁ ସୂଚିତ କରେ।
ପୃଥିବୀର ସବୁଠାରୁ ପୁଷ୍ଟିହୀନ ଏବଂ କମ୍‌ ଓଜନର ଶିଶୁଙ୍କ ବାସସ୍ଥାନ ଆମ ଦେଶ। ପୁଷ୍ଟିହୀନତା କାରଣରୁ ଆମ ଦେଶରେ ରୋଗର ଆକ୍ରମଣ ଦ୍ରୁତଭାବେ ବଢ଼ୁଛି ଏବଂ ଏହା ଚୀନଠାରୁ ୧୨ଗୁଣ ବେଶୀ। ଅଶୁଦ୍ଧଜଳ ଏବଂ ପରିଚ୍ଛନ୍ନତା ଅଭାବରୁ ରୋଗରେ ଆକ୍ରାନ୍ତ ହେବା ଅନ୍ୟତମ କାରଣ। ଏହି ଦୁଇଟି କାରଣରୁ ଆମ ଦେଶରେ ରୋଗରେ ଆକ୍ରାନ୍ତ ହେବା ଚୀନଠାରୁ ୪୦ଗୁଣ ବେଶୀହାରରେ ବଢ଼ିଛି। ପୃଥିବୀର ସବୁୁଠାରୁ ବେଶୀ ଯକ୍ଷ୍ମାରୋଗୀ ଆମ ଦେଶରେ। ଆମ ଦେଶରେ ୧ବର୍ଷରୁ କମ ଶିଶୁ ମୃତ୍ୟୁହାର ଏକ ହଜାରରେ ୪୧। ଗ୍ରାମରେ ୪୬, ସହରରେ ୨୯। ମାତୃମୃତ୍ୟୁହାର ପ୍ରତି ଲକ୍ଷରେ ୨୧୨। ଆନୁଷ୍ଠାନିକ ପ୍ରସବ ୪୭ ପ୍ରତିଶତ ଯାହା ସାରା ପୃଥିବୀରେ ସବୁଠାରୁ ନିମ୍ନରେ। ରୋଗ ସଂକ୍ରମଣ ପ୍ରତିରୋଧକାରୀ ବ୍ୟବସ୍ଥାର ହାର ୬୨ ପ୍ରତିଶତ। ଯେଉଁଠି ଆଫ୍ରିକୀୟ ଦେଶଗୁଡ଼ିକ ୯୦ ପ୍ରତିଶତ ଅର୍ଜନ କରିଛନ୍ତି।
ଏହିଭଳି ଏକ ହତାଶାଜନକ ପରିସ୍ଥିତିରେ ଭାରତ ସରକାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ବାବଦରେ ଜିଡିପିର ମାତ୍ର ୨.୧ ପ୍ରତିଶତ ବ୍ୟୟ କରେ ଯାହା ପଡ଼ୋଶୀ ଶ୍ରୀଲଙ୍କା ବା ବାଂଲାଦେଶଠାରୁ ଯଥେଷ୍ଟ କମ୍‌। ବର୍ତ୍ତମାନ ଭାରତର ଜନସାଧାରଣଙ୍କ ଚିକିତ୍ସା ପାଇଁ ବାର୍ଷିକ ଚଳିବା ଖର୍ଚ୍ଚ ପରେ ୭୦ ପ୍ରତିଶତ, ଅଥଚ, ଶ୍ରୀଲଙ୍କାରେ ଏହି ଖର୍ଚ୍ଚ ୫୪ ପ୍ରତିଶତ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଏହି ବ୍ୟୟର ୭୦ ପ୍ରତିଶତ ଖର୍ଚ୍ଚ ହୁଏ ବହିର୍ବିଭାଗ ଚିକିତ୍ସାରେ, ଔଷଧୀୟ ବା ପରୀକ୍ଷାନିରୀକ୍ଷା କରିବାରେ। ସରକାରଙ୍କ ନୀତି କାରଣରୁ ବର୍ତ୍ତମାନ ୮୦ ପ୍ରତିଶତ ଆଉଟଡୋର ବା ବହିର୍ବିଭାଗ, ୪୦ ପ୍ରତିଶତ ଇନଭୋର ବା ଅନ୍ତର୍ବିଭାଗ ଏବଂ ୯୦ ପ୍ରତିଶତ ପରୀକ୍ଷାନିରୀକ୍ଷାର ସେବା ବେସରକାରୀ କ୍ଷେତ୍ରଠାରୁ ନେବାକୁ ବାଧ୍ୟ ହୁଅନ୍ତି ଭାରତବର୍ଷର ଜନସାଧାରଣ।
ବର୍ତ୍ତମାନ ଭାରତରେ ସ୍ବାସ୍ଥ୍ୟ ପାଇଁ ଯେଉଁ ସମସ୍ତ ଅର୍ଥନୈତିକ ସୁରକ୍ଷା ପ୍ରକଳ୍ପ ଅଛି, ତାହାର କୌଣସିଟା ଜନଗଣଙ୍କ ଏହି ପକେଟରେ ବାହାରର ଖର୍ଚ୍ଚ କମାଏନା। କେବଳ ସେତିକି ନୁହେଁ, ୧୯୮୬-୮୭ରେ ଯେଉଁଠି ୩୧ ପ୍ରତିଶତ ଅତି ପ୍ରୟୋଜନୀୟ ଔଷଧ ବିନା ପଇସାରେ ଭାରତବର୍ଷର ଜନସାଧାରଣ ପାଉଥିଲେ ତାହା କମିକମି ଏବେ ଆସି ପହଞ୍ଚିଛି ୫ ପ୍ରତିଶତରେ। ଅତି ପରିଚିତ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା କେବଳ ମାତ୍ର ଦ୍ବିତୀୟ ସ୍ତରର ବ୍ୟୟର ପୂରଣ କରେ ଏବଂ କେବଳ ମାତ୍ର ୧୦ ପ୍ରତିଶତ ପ୍ରାନ୍ତିକ ଜନସାଧାରଣ ଏହାର ସୁଯୋଗ ପାଆନ୍ତି। ଜନନୀ ଶିଶୁ ସ୍ବାସ୍ଥ୍ୟ ଯୋଜନା ଧୀରେଧୀରେ ଚାଲଛି। ଗର୍ଭବତୀ ମାଆକୁ ମାତୃତ୍ବ କେନ୍ଦ୍ର ବା ହାସ୍‌ପାତାଳରେ ପହଞ୍ଚାଇଲେ ମଧ୍ୟ, ସେଠାରେ ଭିତ୍ତିଭୂମି ବା ପ୍ରୟୋଜନୀୟ ଚିକିତ୍ସକ ନଥିବା ଅଭାବରୁ ମାଆ ଓ ଶିଶୁ ଠିକ ସେବା ପାଏନା। ଅନ୍ୟାନ୍ୟ ଯେଉଁ ସମସ୍ତ ଘରୋଇ ବୀମା ସଂସ୍ଥା ରହିଛି, ଯେଉଁମାନଙ୍କୁ ମୁଖ୍ୟତଃ ଗତ କେଇବର୍ଷ ହେବ ଏହି ଦାୟିତ୍ବ ଦିଆଯାଇଛି, ସେମାନେ ସେମାନଙ୍କ ଲାଭପାଇଁ ବ୍ୟସ୍ତ। ସାରା ଭାରତରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଏହି ସ୍ବାସ୍ଥ୍ୟବୀମା ବ୍ୟବସ୍ଥା ବିଭାଜିତ କରୁଛି। ସମାଜର ଧନିକ ଓ ସମ୍ଭ୍ରାନ୍ତ ଶ୍ରେଣୀ ସ୍ବାସ୍ଥ୍ୟବୀମାର କିଛି ସୁବିଧା ପାଉଛନ୍ତି। କେବଳ ଉଚ୍ଚହାରର ପ୍ରିମିୟମ ଦେଇ ସ୍ବାସ୍ଥ୍ୟବୀମା କ୍ରୟ କରିଥିଲେ ବଞ୍ଚିହେବ, ନଚେତ ମୃତ୍ୟୁ ନିଶ୍ଚିତ। ବିଭିନ୍ନ ସମୀକ୍ଷାରୁ ଏହା ସ୍ପଷ୍ଟ ଯେ ଏହି ସ୍ବାସ୍ଥ୍ୟବୀମା ପ୍ରକଳ୍ପଗୁଡ଼ିକ ସ୍ବାସ୍ଥ୍ୟକ୍ରୟ କରିବାକୁ ଯାଇ ଦାରିଦ୍ର୍ୟ ସୀମାରେଖାତଳକୁ ଯିବାକୁ ବନ୍ଦ କରିବାରେ ସଂପୂର୍ଣ୍ଣ ବ୍ୟର୍ଥ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଭାରତରେ ପ୍ରତି ହଜାର ଜନସଂଖ୍ୟା ପାଇଁ ରୋଗୀଙ୍କ ଶଯ୍ୟା ରହିଛି ୧ରୁ କମ୍‌ ଯେଉଁଠି ଶ୍ରୀଲଙ୍କାରେ ଏହା ୩ ଉପରେ । ଆମଦେଶରେ ୧୦୦୦ଜନ ସଂଖ୍ୟାର ଲୋକଙ୍କ ପାଇଁ ଡାକ୍ତରଙ୍କ ସଂଖ୍ୟା ମାତ୍ର ୦.୭। ସମାନ ଅବସ୍ଥା ସବୁସ୍ତରର ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ନର୍ସ, ଫାର୍ମାସିଷ୍ଟ, ଟେକନିସିଆନ୍‌। ଗ୍ରାମାଞ୍ଚଳରେ ଚିକିତ୍ସକ ନଥିବା କାରଣ ହେଉଛି ସାମାଜିକ ଓ ଅର୍ଥନୈତିକ କାରଣସହ ଯୁକ୍ତ ‘ଚିକିତ୍ସା ଶିକ୍ଷା’କୁ କର୍ପୋରେଟଙ୍କ ହାତରେ ତୋଳିଦେବା। ଯେଉଁମାନେ କୋଟିଏଟଙ୍କା ଦେଇ ଡାକ୍ତରୀ ପାଠ ପଢ଼ୁଛନ୍ତି, ସେମାନେ ଗାଁକୁ ଯିବାକୁ ଚାହିଁବେ ନାହିଁ। ଏହା ସ୍ବାଭାବିକ। ଏହାଛଡ଼ା ଗ୍ରାମାଞ୍ଚଳରେ ଘରୋଇ ଚିକିତ୍ସାରେ ଉପାର୍ଜନ କମସହ ଆବଶ୍ୟକ ଭିତ୍ତିଭୂମିର ଅଭାବ। ଏହି ଅବସ୍ଥା ବୁଝାଇଦିଏ ଗ୍ରାମ ଓ ସହରର ସ୍ବାସ୍ଥ୍ୟକ୍ଷେତ୍ରର ବୈଷମ୍ୟ।
‘ସ୍ବାସ୍ଥ୍ୟର ସମ୍ବିଧାନିକ ଅଧିକାର’ ଦେବାକୁ ଗଲେ ବା ‘ସାର୍ବଜନୀନ ସ୍ବାସ୍ଥ୍ୟ’ ଦିଗରେ ଆଗେଇବାକୁ ହେଲେ, ଶ୍ରୀନାଥ ରେଡ୍ଡୀ କମିସନର (ହାଇଲେଭଲ ଏକ୍ସପର୍ଟ ଗ୍ରୁପ) ବେଶ କିଛି ସୁପାରିସକୁ ଗ୍ରହଣ କରିବା ଦରକାର, ଯେପରି… ସ୍ବାସ୍ଥ୍ୟକ୍ଷେତ୍ରରେ କେନ୍ଦ୍ରୀୟ ସ୍ବାୟତ୍ତ ବ୍ୟୟ ୨୦୧୧ ମଧ୍ୟରେ ଜିଡିପିର ୩ ପ୍ରତିଶତ କରିବା। ସମସ୍ତ ରାଜ୍ୟଗୁଡ଼ିକର ବ୍ୟୟକୁ ଯୋଡ଼ି ବଢ଼ାଇ ୮ ପ୍ରତିଶତ କରିବା, ସମସ୍ତ ଜରୁରୀ ଏବଂ ଅତି ପ୍ରୟୋଜନୀୟ ଔଷଧ ବିନାମୂଲ୍ୟରେ ସମସ୍ତ ଲୋକଙ୍କୁ ଦେବା ଏବଂ ସବୁ ପ୍ରକାରର ପରୀକ୍ଷାନରୀକ୍ଷା ବିନା ମୂଲ୍ୟରେ କରିବାର ବ୍ୟବସ୍ଥା, ଜିଡିପିର ୦.୫ ପ୍ରତିଶତ ଅର୍ଥ, ଆବଶ୍ୟକ ଔଷଧ କ୍ରୟ ପାଇଁ ବରାଦ, ପ୍ରାଥମିକ ସ୍ବାସ୍ଥ୍ୟ ବାବଦରେ ଖର୍ଚ୍ଚ ମୋଟ ଖର୍ଚ୍ଚର ୭୦ପ୍ରତିଶତ ବ୍ୟୟ, ପ୍ରାଥମିକ ସ୍ବାସ୍ଥ୍ୟର ପରିସର ବୃଦ୍ଧି ଏବଂ ଭିତ୍ତିଭୂମି ଉନ୍ନତ କରିବା। ସମସ୍ତ କ୍ଷେତ୍ରରେ ୟୁଜର୍ସ ଫି ବନ୍ଦ ହେବା ଉଚିତ୍‌, କାରଣ କାହା କ୍ଷେତ୍ରରୁ ନିଆଯିବ, ସେନେଇ ବେଶ ଦ୍ବିଧା ରହିଛି ଏବଂ ଏକ ଅନୈତିକ ଚକ୍ର ମଧ୍ୟ ସୃଷ୍ଟି କରିଛି। ଯେଉଁ ସମସ୍ତ ବୀମା ଓ ଅନ୍ୟାନ୍ୟ ପ୍ରକଳ୍ପ ଚାଲୁଛି, ସେଗୁଡ଼ିକୁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ କରିବା। ଏହା ପ୍ରମାଣିତ ସତ୍ୟ ଯେ ବୀମା ସାମାଜିକ ବୈଷମ୍ୟ ବଢ଼ାଇଥାଏ ଏବଂ ଖୋଲାବଜାରରେ କୌଣସି କମ୍ପାନୀ ହାରିଗଲେ, ତାହାର ବୀମାକାରୀର ସ୍ବାସ୍ଥ୍ୟ ବିପଜ୍ଜନକ ଗାତ ମଧ୍ୟରେ ପଡ଼ିଯିବାର ଆଶଙ୍କା ରହିଛି। ସେହି କାରଣରୁ ମଧ୍ୟବର୍ତ୍ତୀ ସମୟରେ କୌଣସି ସ୍ବାସ୍ଥ୍ୟ ଘରୋଇ କ୍ଷେତ୍ରରୁ କ୍ରୟ କରିବାକୁ ହେଲେ ସରକାର ବା ସରକାରୀ ନିୟନ୍ତ୍ରିତ ସଂସ୍ଥାରୁ କିଣିବା ଉଚିତ୍‌, ଲୋକେ ନିଜେ କିଣିବେ ନାହିଁ। ଅଣ ଚିକିତ୍ସକ ସ୍ବାସ୍ଥ୍ୟସେବାକାରୀ (ନର୍ସ, ପାରାମେଡିକାଲ) ସୃଷ୍ଟି କରିବା। କାରଣ ଏମାନେହିଁ ସ୍ବାସ୍ଥ୍ୟସେବାରେ ଆଗଧାଡ଼ିର ସୈନିକ। ଏମାନଙ୍କର ଅଭାବ ଅତ୍ୟନ୍ତ ଅଧିକ। ଗ୍ରାମୀଣ ଓ ସହରର ପ୍ରାଥମିକ ସ୍ବାସ୍ଥ୍ୟସେବାରେ ଅଧିକ ବ୍ୟୟ ବରାଦ ସହ ଏଗୁଡ଼ିକର ଭିତ୍ତିଭୂମିକୁ ଉନ୍ନତ କରିବା ଏବଂ ନିଶ୍ଚିତ କରିବା ସହ ଜନସାଧାରଣଙ୍କ ଅଂଶଗ୍ରହଣ, କିନ୍ତୁୁ କେନ୍ଦ୍ର ସରକାର ଏହି ସବୁ ସୁପାରିସର ଧାର ନଦେଇ, ବିଶୁଦ୍ଧ ଜଳ, ପରିବେଶ ପ୍ରଦ୍ୟୂଷଣକୁ ରୋକିବା, ଶିକ୍ଷା, ପୁଷ୍ଟି ଗ୍ରାମ୍ୟଉନ୍ନୟନ, ସହର ଡିଜାଇନ ପରି ବିଷୟଗୁଡ଼ିକୁ ଏଡ଼ାଇଯାଇ ଏବଂ ସର୍ବୋପରି ସ୍ବାସ୍ଥ୍ୟ ବାବଦରେ ବ୍ୟୟ ନ ବଢ଼ାଇ ଏକତରଫା ଭାବେ ଆରମ୍ଭ କରିଛନ୍ତି ‘ଆୟୁଷ୍ମାନ ଭାରତ ଯୋଜନା’। ସରକାରଙ୍କ ଭୂମିକା ଯେଉଁଠାରେ ଜାମିନଦାର ଏବଂ ନିୟନ୍ତ୍ରକ ହେବାକଥା ସେଠା​‌େ​‌ର ବୀମା କମ୍ପାନୀ ଏବଂ କର୍ପୋରେଟଙ୍କ ହାତରେ ସବୁ ଦାୟଦାୟିତ୍ବ । ସରକାରଙ୍କ ବରାଦ ଏବଂ ଜନସାଧାରଣଙ୍କଠାରୁ ସଂଗୃହୀତ ବୀମାରାଶିକୁ ଟେକିଦେଇ ନିଜର ହାତକୁ ବାନ୍ଧି ଦେଇଥିବାର ପ୍ରକଳ୍ପ ହେଉଛି ‘ଆୟୁଷ୍ମାନ ଭାରତ’ ବା ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଯୋଜନା’। ଆୟୁଷ୍ମାନ ଭାରତ ଜନଗଣଙ୍କ ସ୍ବାସ୍ଥ୍ୟ ଦେଖିବ ନା କର୍ପୋରେଟଙ୍କ ସ୍ବାସ୍ଥ୍ୟ ଦେଖିବ, କେଉଁଟା ‘ମୁଖ’ ଓ କେଉଁଟା ‘ମୁଖୋ’ ଏହି ପ୍ରଶ୍ନର ଉତ୍ତର ଆବଶ୍ୟକ।

Leave A Reply