ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

0

ରେଢ଼ାଖୋଲ: ଭାରତୀୟ ସେନାବାହିନୀର ଆସାମ ରାଇଫଲରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି। ସହିଦ ଯବାନ ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ଧଉରାଖମଣ ଗ୍ରାମର ଚମ୍ପେଶ୍ୱର ମହାକୁଡ଼ (୩୭) ବୋଲି ଜଣାପଡ଼ିଛି। ଶୁକ୍ରବାର ମଣିପୁରର ଜୁପିଠାରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ସେ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଖବର ପହଞ୍ଚିବା ପରେ ରେଢ଼ାଖୋଲ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଆସନ୍ତାକାଲି ତାଙ୍କ ମରଶରୀର ପହଞ୍ଚିଲା ପରେ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ସମ୍ବଲପୁର ଏସପି ସଂଜୀବ ଅରୋରା କହିଛନ୍ତି। ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଚମ୍ପେଶ୍ୱର ଗତ ୨୦୦୧ ମସିହାରେ ସେନାରେ ଭର୍ତ୍ତି ହୋଇଥିଲେ। ନିଯୁକ୍ତି ପରଠାରୁ ସେ ଆସାମ ରାଇଫଲ ରେଜିମେଣ୍ଟରେ ନିୟୋଜିତ ଥିଲେ। ସେ ସଂପ୍ରତି ସେ ମଣିପୁର ଜୁପିଠାରେ ଅବସ୍ଥାପିତ ଥିଲେ। ସେ ଶୁକ୍ରବାର ସକାଳୁ କମ୍ବିଂ ଅପରେସନରେ ବାହାରିଥିଲେ। ସାଥୀ ଯବାନମାନଙ୍କ ସହିତ ଜଙ୍ଗଲ ଭିତରେ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ଗୁଳି ବର୍ଷାରେ ଚମ୍ପେଶ୍ୱର ସହିଦ ହୋଇଯାଇଥିବା ସଂପର୍କରେ ସେନା ପକ୍ଷରୁ ତାଙ୍କ ଧର୍ମପତ୍ମୀ ମଧୁସ୍ମିତା ମହାକୁଡ଼ଙ୍କ ପାଖକୁ ଟେଲିଫୋନ ବାର୍ତ୍ତା ଆସିଛି।
ଚମ୍ପେଶ୍ୱର ଧଉରାଖମଣ ଗ୍ରାମର ସୁରଞ୍ଚି ମହାକୁଡ଼ (୭୦) ଓ ଲକ୍ଷ୍ମୀ ମହାକୁଡ଼(୬୫)ଙ୍କ ୪ ପୁଅ ଓ ୨ ଝିଅଙ୍କ ମଧ୍ୟରେ ସବା ସାନ। ମହାକୁଡ଼ ପରିବାରରେ କେବଳ ସେ ଚାକିରୀ କରୁଥିଲେ। ଅନ୍ୟ ୩ ଭାଇ ଗ୍ରାମରେ ଚାଷ କରନ୍ତି। ଚମ୍ପେଶ୍ୱର ଗତ ୨୦୦୮ ନଭେମ୍ବର ୨୧ ତାରିଖରେ ନରସିଂହପୁର ଅଞ୍ଚଳରେ ବାହା ହୋଇଥିଲେ। ସେମାନଙ୍କର ଏକ ୭ ବର୍ଷ ବୟସର ପୁଅ ଅଛି। ପୁଅକୁ ପାଠ ପଢ଼ାଇବା ପାଇଁ ମଧୁସ୍ମିତା ଏବେ ଅନୁଗୋଳରେ ଏକ ଘର ଭଡ଼ା ନେଇ ରହୁଛନ୍ତି। ପୁଅର ମୃତ୍ୟୁ ଖବର ପାଇ ଏହି ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଜ୍ୱାଇଁ ସହିଦ ହେବା ଖବର ପାଇବା ପରେ ଶ୍ୱଶୁର ଘର ଲୋକେ ମଧ୍ୟ ଧଉରାଖମଣରେ ପହଞ୍ଚିଛନ୍ତି। ରେଢ଼ାଖୋଲ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ କହିଛନ୍ତି ଯେ ଚମ୍ପେଶ୍ୱରଙ୍କ ମରଶରୀର ଏଠାରେ ପହଞ୍ଚିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Leave A Reply