ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

0

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆଜି ଅନୁଷ୍ଠିତ ହେବ। ପାରମ୍ପରିକ ରୀତିନୀତି ସମ୍ପନ୍ନ ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ। ଏହି ଅବସରରେ ଶୁକ୍ରବାର ନେତ୍ରୋତ୍ସବ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରାଯିବାକୁ ସବୁପ୍ରକାର ପଦକ୍ଷେପ ନିଆଯାଇଛି। ଏଥର ରଥର ଗତିବିଧି ଉପରେ ନଜର ରଖିବାକୁ ପ୍ରାୟ ୩୨ଜଣ ଖରଡ଼ା ସେବାୟତଙ୍କୁ ନିୟୋଜିତ କରାଯିବ। ଶ୍ରଦ୍ଧାଳୁମାନେ ରଥକୁ ଚଢ଼ି ଠାକୁରଙ୍କ ଦର୍ଶନ କରିବା ପାଇଁ ଦୁଇଟି ସିଡ଼ି କରାଯିବ। ଗୋଟିଏ ସିଡ଼ି ରଥର ସମ୍ମୁଖରେ ଓ ଅନ୍ୟଟି ରଥର ପଛ ପାର୍ଶ୍ବରେ ଲାଗିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ନେତ୍ରୋତ୍ସବ ଅବସରରେ ମନ୍ଦିର ଖୋଲିବାପରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହୋଇଥିଲା। ଏହାପରେ ସାହାଣ ମେଲା ଦର୍ଶନ ହୋଇଥିଲା।
କୋଠରୋଷ ଧୋପକାଳ, କୋଠରୋଷ ଓ ପାକକାର୍ଯ୍ୟ ଆରମ୍ଭ, ମହାସ୍ନାନ ସକାଳ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ, ବଲ୍ଲଭ, ଠାକୁରାଣୀ ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ ଓ ଠାକୁରାଣୀଙ୍କ ସକାଳ ଧୂପ, ବଲ୍ଲଭ ଦ୍ୱିପ୍ରହର ଧୂପ ଓ ଠାକୁରାଣୀ ଦ୍ୱିପ୍ରହର ଧୂପ, ସନ୍ଧ୍ୟା ଆଳତି, ଟେରା ପିଠା, ବେଶ, ସନ୍ଧ୍ୟା ଧୂପ, ଠାକୁରାଣୀଙ୍କ ସନ୍ଧ୍ୟା ଧୂପ, ରଥ ପ୍ରତିଷ୍ଠା, ବଡ଼ ସିଂହାର, ପଞ୍ଚବକ୍ର ବିଜେ, ପୁଷ୍ପାଞ୍ଜଳି, ପହୁଡ଼ ରାତି ଇତ୍ୟାଦି ପାରମ୍ପରିକ ରୀତିନୀତି ନୀତିନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ କାର୍ଯ୍ୟନିର୍ବାହୀ ରାଜୀବ ଲୋଚନ ପରିଡ଼ା ସୂଚନା ଦେଇଛନ୍ତି।

Leave A Reply