ଆଜି ବିଜେପୁର ଫଳ: ବିଜୟ ଆଶାରେ ତିନି ଦଳ

0

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ୧୪ ଟେବୁଲ୍‌ରେ ହେବ ୨୧ ରାଉଣ୍ଡ ଭୋଟ ଗଣତି

 ଭୁବନେଶ୍ୱର/ସୋହେଲା/ବରଗଡ : ଆସନ୍ତାକାଲି ସକାଳୁ ହେବ ବିଜେପୁର ଉପନିର୍ବାଚନ ଭୋଟ ଗଣତି। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି। ସମୁଦାୟ ୧୪ଟି ଟେବୁଲରେ ୨୧ ରାଉଣ୍ଡରେ ଭୋଟଗଣତି ହେବ। ୫୦ ଜଣ ଅଧିକାରୀ ନିୟୋଜିତ ହେବେ। ପ୍ରତ୍ୟେକ ଟେବୁଲରେ ଦୁଇ ଜଣ ଅଧିକାରୀ ବସିବେ। ପ୍ରଥମେ ଟେବୁଲରେ ଭୋଟ ଗଣତି ପରେ ସେଣ୍ଟ୍ରାଲ ଟେବୁଲ୍‌ରେ ଏହାକୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ପଠାଯିବ। ସେଠାରେ ରିଟର୍ଣ୍ଣିଂ ଅଫିସର ଯାଞ୍ଚ କରିବେ ଏବଂ ଶେଷରେ ନିର୍ବାଚନ ପର୍ଯ୍ୟବେକ୍ଷକ ଏହାକୁ ଯାଞ୍ଚ କରିବା ପରେ ଫଳାଫଳ ଘୋଷଣା ହେବ। ଏହି ସମୟରେ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟ ଉପସ୍ଥିତ ରହିବେ। ପ୍ରତ୍ୟେକ ରାଉଣ୍ଡ ଭୋଟଗଣତି ପାଇଁ ପାଖାପାଖି ୨୦ ମିନିଟ୍‌ ଲାଗିବ ଓ ଦିନ ୧୨ଟା ସୁଦ୍ଧା ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଇଛି।
ରିଟଣ୍ଣିଂ ଅଫିସର ତପିରାମ ମାଝିଙ୍କ ସୂଚନା ଅନୁସାରେ ଭୋଟଗଣତି ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ପ୍ରତି କଲେଜରେ ପରୀକ୍ଷା ଚାଲିଥିବା ଦୃଷ୍ଟିରୁ ଗୋଟିଏ ଫାଟକରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କୁ ଛଡ଼ାଯିବ ଏବଂ ଅନ୍ୟଗୋଟିଏ ଫାଟକ କେବଳ
ଭୋଟ ଗଣତି ପାଇଁ ବ୍ୟବହାର ହେବ। ପ୍ରଥମ ସୁରକ୍ଷା ଘେର ଓଡିଶା ପୋଲିସର ଦାୟିତ୍ୱରେ ଥିବାବେଳେ ଏହା ମଧ୍ୟକୁ କେବଳ ଭୋଟଗଣତି ପାଇଁ ନିୟୋଜିତ କର୍ମଚାରୀ, ପୋଲିଂ ଏଜେଣ୍ଟ ଓ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ। ଦ୍ୱିତୀୟସ୍ତରର ସୁରକ୍ଷା ବ୍ୟବସ୍ଥାରେ ମେଟାଲ ଡିଟେକ୍ଟର ଲଗାଯାଇଛି ଏବଂ ଏହି ଘେର ଅତିକ୍ରମ କରିବାକୁ କେବଳ ଗଣତି କର୍ମଚାରୀ ଓ ପୋଲିଂ ଏଜେଣ୍ଟମାନଙ୍କ ପାଇଁ ଅନୁମତି ଅଛି। ଶେଷ ପର୍ଯ୍ୟୟ ସୁରକ୍ଷା ଘେରା ଯଥା ଷ୍ଟ୍ରଙ୍ଗରୁମକୁ ସମ୍ପୂର୍ଣ୍ଣ ଭାବରେ ସିଆପିଏଫର ଅଧିନରେ ରଖାଯାଇଛି ଏବଂ ଏଠାରେ ସିଆର୍‌ପିଏଫ୍‌ ଜବାନଙ୍କୁ ମୁତୟନ କରାଯାଇଛି ବୋଲି ସେ କହିଛନ୍ତି।
ରାଜନୈତିକ ଗଣିତଜ୍ଞମାନେ ବିଜେପୁରର ବିଜୟୀ ଦଳର ଭୋଟ ବ୍ୟବଧାନ ଖୁବ୍‌ କମ୍‌ ରହିବ ବୋଲି କହୁଥିବା ବେଳେ ବିଜେପି ଓ ବିଜେଡ଼ି ବହୁ ବ୍ୟବଧାନରେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି। ଏପରିକି କଂଗ୍ରେସ ମଧ୍ୟ ବିଜୟୀ ହେବ ବୋଲି ଆଶା କରୁଛି। ତିନି ଦଳ ସାମାଜିକ ଗଣମାଧ୍ୟମରେ ନିଜନିଜ ସପକ୍ଷରେ ବିଜୟର ପ୍ରଚାର ଚଳାଇଛନ୍ତି। ଫଳ ପ୍ରକାଶ ପାଇବାର ଶେଷ ମୁହୂର୍ତ୍ତରେ ବି ଜିତିବାର ଦମ୍ଭରୁ ବିରୋଧୀ କିମ୍ବା ଶାସକ କେହି ପଛକୁ ହଟିନାହାନ୍ତି। ବିଜେଡ଼ି ପ୍ରାର୍ଥୀ ୩୦ରୁ ୪୦ ହଜାର ଭୋଟରେ ଜିତିବେ ବୋଲି ଦମ୍ଭୋକ୍ତି କରିଥିବାବେଳେ ବିଜେପି ୨୦ ହଜାର ଏବଂ କଂଗ୍ରେସ ପ୍ରାର୍ଥୀ ୫ରୁ ୧୦ ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି କହିଛନ୍ତି।
ଗୋଟିଏ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ବିଜେପୁର ଉପନିର୍ବାଚନରେ ବିଜେପି ୪୩%, ବିଜେଡ଼ି ୪୧% ଓ କଂଗ୍ରେସ ୧୨% ଭୋଟ ପାଇବ ବୋଲି ଦର୍ଶାଯାଇଥିବାବେଳେ ଅନ୍ୟଏକ ପୋଷ୍ଟିଂରେ ବିଜେଡ଼ି ୪୬%, ବିଜେପି ୩୩% ଓ ପଂକ୍ରେସ ୧୮% ପାଇବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଉ ଗୋଟିଏ ପୋଷ୍ଟରେ କଂଗ୍ରେସକୁ ୩୭% , ବିଜେଡିକୁ ୩୪% ଏବଂ ବିଜେପିକୁ ୨୭% ମତ ଯାଉଛି ବୋଲି ଦର୍ଶାଯାଇଛି। ତିନି ଦଳ ନିଜନିଜ ଆକଳନରେ ବିଜେପୁରରେ ବିଜୟୀ ହୋଇ ସାରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପୁର ଉପନିର୍ବାଚନ ବେଶ୍‌ ମହତ୍ତ୍ୱ ରଖୁଛି। ତିନି ପ୍ରମୁଖ ରାଜନୈତିକ ପାଇଁ ଏହା ଏବେ ସମ୍ମାନର ପ୍ରଶ୍ନ ହୋଇଛି। ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରିତାଙ୍କୁ ପ୍ରାର୍ଥୀ କରିଥିବା ବିଜେଡ଼ି ଆରମ୍ଭରୁ ଏ ପର୍ଯ୍ୟନ୍ତ ଜିତିବା ପାଇଁ ସବୁ କଳ ବଳ ଖଟାଇଥିବାବେଳେ ଗତ ପଞ୍ଚାୟତ ନିର୍ବାଚନରେ ବରଗଡ଼ ଜିଲାରେ ବେଶ ଭଲ ପ୍ରଦର୍ଶନ କରିଥିବା ବିଜେପି ଏ ଉପନିର୍ବାଚନରେ ବାଜି ମାରିନେବା ଲକ୍ଷ୍ୟ ରଖିଛି। ଅନ୍ୟ ପକ୍ଷରେ ତିନି ତିନି ଥର ବିଜେପୁରରେ ଜିତିଥିବା କଂଗ୍ରେସ ଏଥର ନିଜ ଗଡ଼ ରକ୍ଷା କରିବାର ଚେଷ୍ଟା କରିଛି।
ବିଜେପୁରର ବିଜେଡ଼ି ପ୍ରାର୍ଥୀ ରିତା ସାହୁ ୩୦ରୁ ୪୦ ହଜାର ବ୍ୟବଧାନରେ ବିଜେଡ଼ି ଜିତିବ ବୋଲି ଦମ୍ଭୋକ୍ତି କରିଥିବାବେଳେ ବିଜେଡ଼ି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ବିଜେଡ଼ି ବହୁ ଭୋଟ ବ୍ୟବଧାନରେ ଜିତିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କରିଥିବା ଆକଳନକୁ ଦୋହରାଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପୂର୍ବରୁ ୩୦ ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି ଦମ୍ଭୋକ୍ତି କରିଥିବାବେଳେ ଏବେ ୨୦ ହଜାରରେ ନିଶ୍ଚିତ ଜିତିବେ ବୋଲି କହିଛନ୍ତି। ତେବେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ଜିତବା ନେଇ କୌଣସି ଶଙ୍କା, ଆଶଙ୍କା ନାହିଁ। ବିଜେପି ନିଶ୍ଚିତ ଜିତିବ ବୋଲି ତାଙ୍କର ବିଶ୍ୱାସ ରହିଛି।
ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ତାଙ୍କ ଜିତିବାର ବ୍ୟବଧାନ କମାଇ ଦେଇଛନ୍ତି। ସେ କହିଛନ୍ତି ଯେ ସେ ୫ରୁ ୧୦ ହଜାର ବ୍ୟବଧାନରେ ଜିତିବେ। ତେବେ କଂଗ୍ରେସ ନେତାମାନେ ଦଳର ଜିତିବା ନେଇ ଭିନ୍ନ ଭିନ୍ନ ଟିପ୍ପଣୀ ରଖିଛନ୍ତି। କିଛି ଦଳୀୟ ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ କରିଛନ୍ତି ଏବଂ କଂଗ୍ରେସ ପ୍ରାର୍ଥୀକୁ ହରାଇବା ପାଇଁ ଚକ୍ରାନ୍ତ କରିଥିଲେ ବି ତଥାପି ଦଳ ଦେଢ଼ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି କହିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ।
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି କଂଗ୍ରେସ ଜିତିବା ବଡ଼ କଷ୍ଟକର ବ୍ୟାପାର। କାରଣ ଉପନିର୍ବାଚନରେ ଦଳ ଯେପରି ଲଢ଼ିବା କଥା ସେଥିରେ ବିଳମ୍ବ ହେଲା, ଫଳ ଆମ ସପକ୍ଷରେ ଯିବା ଭଳି ମନେ ହେଉନାହିଁ। ଦଳର ଅନ୍ୟତମ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଛନ୍ତି କଂଗ୍ରେସ ଯଦି ମାସକ ଆଗରୁ ପ୍ରସ୍ତୁତି କରିଥାନ୍ତା ତେବେ ଭଲ ଫଳ ହୋଇଥାନ୍ତା। ମାତ୍ର ପ୍ରସ୍ତୁତିରେ ବିଳମ୍ବ ଓ ଅର୍ଥାଭାବ ଦଳ ପାଇଁ ସମସ୍ୟା ହେଲା।
ଚଳିତ ନିର୍ବାଚନରେ ଭୋଟ କିଏ ଜିତିବ ଓ ଭୋଟ ବ୍ୟବଧାନ କେତେହେବ ତାହା କଳନା କରିବା ଆପାତତଃ କଷ୍ଟକର ହୋଇଛି। ୨,୨୧,୧୪୪ ଭୋଟରଙ୍କ ମଧ୍ୟରୁ ୧,୮୧,୭୧୬ ଜଣ ଭୋଟ ଦେଇଛନ୍ତି। ଏହା ବିଜେପୁର ଇତିହାସରେ ସର୍ବକାଳୀନ ରେକର୍ଡ଼। ସେହିପରି ୧,୦୫,୭୬୮ ଜଣ ମହିଳାଙ୍କ ମଧ୍ୟରୁ ୮୬,୩୪୦ମତଦାନ ସାବ୍ୟସ୍ତ କରିଛନ୍ତି। ସଂଖ୍ୟାଧିକ ମହିଳା ଭୋଟ ଦେବା ରାଜନୀତିରେ ଶୁଭଲକ୍ଷଣ ବୋଲି କୁହାଯାଉଥିଲେ ବି ଏହା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବିଜେଡ଼ିକୁ ନା ଉଜ୍ୱଳା ଯୋଜନା ପାଇଁ ବିଜେପି ସପକ୍ଷରେ ଯିବ ତାହା ଫଳାଫଳ ପ୍ରକାଶ ପରେ ସ୍ପଷ୍ଟ ହେବ। ଏକପକ୍ଷରେ ସରକାରରେ ନ ଥିବାରୁ କଂଗ୍ରେସ ଭୋଟରଙ୍କର ସହୃଦୟତା ଲାଭ କରିପାରିନାହିଁ ଏବଂ ସୁବଳଙ୍କ ପତ୍ନୀ ବିଜେଡ଼ି ପ୍ରାର୍ଥୀ ହୋଇଥିବାରୁ ଅନୁକମ୍ପା ଭୋଟ ମଧ୍ୟ କଂଗ୍ରେସକୁ ଯାଇଥିବା ଆଶା କ୍ଷୀଣ।

Leave A Reply