ଅପହଞ୍ଚ ଇଲାକାରେ ଅନ୍‍ଲାଇନ ରୋଗୀସେବା

0

ବ୍ରହ୍ମପୁର : ଗଞ୍ଜାମ ଜିଲାର ୭ଟି ବ୍ଳକର ୧୭ ଟି ଅପହଞ୍ଚ ଇଲାକାରେ ଖୋଲିବ ଡିଜିଟାଲ ଡିସପେନ୍ସରୀ। ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୬ ଟି ସ୍ଥାନ ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେଥିରୁ ୧୭ ଟି ସ୍ଥାନରେ ଡିସପେନ୍ସରୀ ଖୋଲିବାକୁ ଅନୁମତି ମିଳିଛି। ଏହିସବୁ ସ୍ଥାନରେ ୪-ଜି ଇଣ୍ଟରନେଟ ବ୍ୟବସ୍ଥା ସହ ଆବଶ୍ୟକୀୟ ସରଞ୍ଜାମ ଓ କର୍ମଚାରୀ ନିଯୁକ୍ତି କରାଯାଇ ଖୁବଶୀଘ୍ର ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପଦକ୍ଷେପ ନିଆଯାଉଛି।
ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲାର ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠି ଗମନାଗମନ ସୁବିଧା ନାହିଁ। ବଣ ପାହାଡ଼ ଘେରା ଅଞ୍ଚଳ ସହ ୫ ରୁ ୧୦ କିମି ଗଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରଟିଏ ଦେଖିବାକୁ ମିଳୁନାହିଁ। ଫଳରେ ସେହି ଅଞ୍ଚଳର ରୋଗୀ ସ୍ୱାସ୍ଥ୍ୟସେବା ପାଇନପାରି ବେଳେ ବେଳେ ମୃତ୍ୟୁମୁଖରେ ପଡୁଛନ୍ତି। ଅପହଞ୍ଚ ଇଲାକାରେ ବାସ କରୁଥିବା ରୋଗୀଙ୍କୁ ବିକଳ୍ପ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛିମାସ ତଳେ ପଦକ୍ଷେପ ନିଆଯାଇଥିଲା। ଏକ ଘରୋଇ ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷର ହୋଇ ୫ କିମି ଦୂରତାରେ ସ୍ୱାସ୍ଥ୍ୟକେନ୍ଦ୍ର ନଥିବା ଅଞ୍ଚଳରେ ଡିଜିଟାଲ ଡିସପେନ୍ସରୀ ଖୋଲିବାକୁ ଯୋଜନା ହୋଇଥିଲା। ସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଡିଜିଟାଲ ଡିସପେନ୍ସରୀରେ ରୋଗୀ ଓ ଡାକ୍ତର ମୁହାଁମୁହିଁ ହେବେ ନାହିଁ। ଡାକ୍ତର ରହିବେ ଭୁବନେଶ୍ୱରରେ ଆଉ ରୋଗୀ ଡିସପେନ୍ସରୀରେ। ରୋଗୀମାନେ ଡିସପେନ୍ସରୀକୁ ଆସି ସେଠାରେ ଅନ୍‍ଲାଇନରେ ଚାଲୁଥିବା ଭିଡିଓ ସ୍କ୍ରିନ ସମ୍ମୁଖରେ ହାଜର ହୋଇ ଡାକ୍ତରଙ୍କୁ ନିଜ ସ୍ୱାସ୍ଥ୍ୟବସ୍ଥା ବିଷୟରେ କହିବେ। ସ୍କ୍ରିନରେ ରୋଗୀଙ୍କୁ ଦେଖି ଅନ୍‍ଲାଇନରେ ଥିବା ଡାକ୍ତର ରୋଗ ଅନୁସାରେ ଆବଶ୍ୟକୀୟ ପରାମର୍ଶ ଦେବେ ଏବଂ ଔଷଧ ଲେଖିବେ। ପ୍ରତ୍ୟେକ ଡିସପେନ୍ସରୀରେ ନିୟୋଜିତ ଥିବା ଫାର୍ମାସିଷ୍ଟ ରୋଗୀଙ୍କ ରକ୍ତଚାପ, ହୃଦସ୍ପନ୍ଦନ ଇତ୍ୟାଦି ପରୀକ୍ଷଣ କରି ଅନଲାଇନରେ ଥିବା ଡାକ୍ତରଙ୍କୁ ପୂର୍ବରୁ ଜଣାଇବେ। ପ୍ରତ୍ୟେକ ଡିସପେନ୍ସରୀରେ ଜେନେରିକ ଔଷଧ ଓ ପାଥୋଲୋଜି ସୁବିଧା ଉପଲବ୍ଧ ରହିବ। ଗଞ୍ଜାମ ଜିଲାରେ ଅପହଞ୍ଚ ସ୍ଥାନ ଚିହ୍ନଟ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ଏପ୍ରିଲ ୧୩ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ଜିଲାର ବିଭିନ୍ନ ବ୍ଳକର ୩୬ ଟି ସ୍ଥାନରେ ଡିସପେନ୍ସରୀ ଖୋଲିବା ନିମନ୍ତେ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ସେଥିରୁ ୧୭ ଟି ସ୍ଥାନରେ ଖୋଲିବାକୁ ଅନୁମତି ମିଳିଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ମ୍ୟାନେଜରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସାନଖେମୁଣ୍ଡି ବ୍ଳକର କମଳଖାଲ, ଗୋଟବଣିଆ, ସୁବର୍ଣ୍ଣଗଡ ଓ ପଦ୍ମପୁରଠାରେ ଡିଜିଟାଲ ଡିସପେନ୍ସରୀ ଖୋଲିବାକୁ ଅନୁମତି ମିଳିଥିବା ବେଳେ
ସୋରଡା ବ୍ଳକର ଲେମ୍ଭକୁମ୍ପା, ସୁନାଖଣ୍ଡି, ଲାଠିପଡା, ପଳାସପଲ୍ଲୀ, ଭଗବାନପୁର, ବୁଗୁଡ଼ା ବ୍ଳକର ମୋଟାବଡି ଓ ବେଲପୁର, କବିସୂର୍ଯ୍ୟନଗର ବ୍ଳକର ପାଇକଯମୁନା ବେଗୁନିଆପଡା ବ୍ଳକର ବାଙ୍କିମାଳ ଓ ସୋରଡାପଲୀ, ଚିକିଟି ବ୍ଳକର ଚନ୍ଦନପୁର, ଖଲ୍ଲିକୋଟ ବ୍ଳକର ବଡ଼ପଲୀ ଓ କେ. ଝୋଳମାଳାରେ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଉପରୋକ୍ତ ୧୭ଟି ସ୍ଥାନଠାରୁ ୫ କିମି ଦୂରରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଏକାଧିକ ସ୍ଥାନରେ ୪-ଜି ଇଣ୍ଟରନେଟ ସଠିକ ଭାବେ କାମ କରୁନଥିବା ଜଣାପଡ଼ିଛି। ଅନ୍‍ଲାଇନରେ ଭିଡିଓ ସ୍କ୍ରିନ୍‍ ଚାଲିବାକୁ ସ୍ପିଡ୍‍ ଇଣ୍ଟରନେଟ ସଂଯୋଗର ଆବଶ୍ୟକ ରହିଛି। ଏଥିପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଥିଲା।

Leave A Reply