ଅଣ ବିଜେପି, ଅଣ କଂଗ୍ରେସ ମେଣ୍ଟ ଗଠନ ଦିଗରେ କେସିଆର

0

ନୂଆଦିଲ୍ଲୀ: ଆଞ୍ଚଳିକ ଦଳଗୁଡିକୁ ଏକଜୁଟ୍‌ କରି କଂଗ୍ରେସ ଓ ବିଜେପିର ବିକଳ୍ପ ମେଣ୍ଟ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)। ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ମୁଖ୍ୟ କେସିଆର କହିଛନ୍ତି ଯେ ଆଗାମୀ ଦିନରେ ସମସ୍ତ ଆଞ୍ଚଳିଳ ଦଳଗୁଡିକୁ ଏକଜୁଟ କରି ଦେଶର ରାଜନୈତିକ ଦୃଶ୍ୟପଟରେ ଏକ ବଡଧରଣର ପରିବର୍ତ୍ତନ ଅଣାଯିବ। ଶୁକ୍ରବାର ଟିଆରଏସର ୧୭ତମ ପ୍ରତିଷ୍ଠା ଦିବସ ବୈଠକରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ ଆଗାମୀ ଦୁଇ ତିନିମାସରେ ସମସ୍ତ ଆଞ୍ଚଳିକ ଦଳଗୁଡିକୁ ଏକଜୁଟ କରାଯିବ। ଏ ଦିଗରେ ଟିଆରଏସ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ। ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ଦେଶର ରାଜନୈତିକ ଦୃଶ୍ୟପଟରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ। ମେଣ୍ଟ ଗଠନ ପ୍ରୟାସ ପୂର୍ବକ ଏପ୍ରିଲ ୨୯ରେ ସେ ଡିଏମ୍‌କେର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ୍‌ କେ ଷ୍ଟାଲିନଙ୍କୁ ଭେଟିବେ ବୋଲି କହିଛନ୍ତି। ଉଭୟ କଂଗ୍ରେସ ଓ ବିଜେପିକୁ ସମାଲୋଚନା କରି କେସିଆର କହିଛନ୍ତି ଯେ କାବେରୀ ନଦୀ ଜଳ ବିବାଦକୁ ନେଇ ଦୁଇ ଦଳ ନାଟକ ଚଳାଇଛନ୍ତି। ପ୍ରତ୍ୟେକ ଚାଷୀ ଓ ପ୍ରତ୍ୟେକ ଜମିକୁ ପାଣି ଯୋଗାଇବା ନୂଆ ମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି କେସିଆର କହିଛନ୍ତି। କଂଗ୍ରେସ ଓ ବିଜେପିକୁ ଛାଡି ଆଞ୍ଚଳିକ ଦଳଗୁଡିକୁ ଏକଜୁଟ କରିବା ପାଇଁ ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ଡେରା ପକାଇଥିଲେ। ମାର୍ଚ୍ଚ ୨୭ରେ ମମତା ଦିଲ୍ଲୀରେ ବିଭିନ୍ନ ଆଞ୍ଚଳିକ ଦଳର ନେତାମାନଙ୍କୁ ଭେଟି ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ କଥାବାର୍ତ୍ତା କରିଥିଲେ। ସେହିପରି ଡିଏମ୍‌କେ ନେତା ଷ୍ଟାଲିନ ମଧ୍ୟ ମାର୍ଚ୍ଚ ୨୧ରେ ସମସ୍ତ ଅଣ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି।

Leave A Reply