ସୀମାରେ ୨୧୦୦ କିଲୋମିଟରର ୪୪ଟି ସଡ଼କ ନିର୍ମାଣ କରିବ ଭାରତ

0

ନୂଆଦିଲ୍ଲୀ : ଚୀନ ଏବଂ ପାକିସ୍ତାନ ସୀମାରେ ଭାରତୀୟ ସେନାର ପ୍ରତିରକ୍ଷାକୁ ମଜଭୁତ କରିବା ପାଇଁ ଭାରତ ସରକାର ୨୧୦୦ କିଲୋମିଟରର ୪୪ଟି ସଡ଼କ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗଠରୁ ପ୍ରାପ୍ତ ସୂଚନା ଅନୁସାରେ ଋଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ଅଞ୍ଚଳକୁ ସଂଯୋଗ କରିବା ପାଇଁ ୪୪ଟି ସଡ଼କ ନିର୍ମାଣ କରାଯିବ। ଚୀନ ସଂଲଗ୍ନ ସୀମା ଏବଂ ପାକିସ୍ତାନ ସଂଲଗ୍ନ ରାଜସ୍ଥାନ ଏବଂ ପଞ୍ଜାବ ସୀମାକୁ ସଂଯୋଗ କରିବା ପାଇଁ ଏହି ସଡ଼କମାନ ନିର୍ମାଣ ହେବ।
ଲୋକ ନିର୍ମାଣ ବିଭାଗ (ସିପିଡବ୍ଲ୍ୟୁଡି) ବାର୍ଷିକ ରିପୋର୍ଟ ଅନୁସାରେ ସରକାର ଚୀନ ଏବଂ ପାକିସ୍ତାନ ସଂଲଗ୍ନ ସୀମାରେ ୪୪ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ତତ୍କାଳ ସୀମାରେ ପହଞ୍ଚିବା ଏହି ସଡ଼କ ନିର୍ମାଣର ଉଦେଶ୍ୟ ବୋଲି କୁହାଯାଇଛି। ଅରୁଣାଚଳପ୍ରଦେଶ ସଂଲଗ୍ନ ସୀମାରେ ଚୀନର ସାମରିକ ଶକ୍ତି ବୃଦ୍ଧି ଭାରତ ପାଇଁ ଚିନ୍ତାର ବଷୟ ହୋଇଛି। ତେଣୁ ଏହି ସଡ଼କ ନିର୍ମାଣ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ପ୍ରକାଶଯୋଗ୍ୟ ଯେ ଜାମ୍ମୁ କାଶ୍ମୀରରୁ ନେଇ ଅରୁଣାଚଳ ପ୍ରଦେଶ ମଧ୍ୟରେ ଚୀନ ସହ ଭାରତର ୪,୦୦୦ କିଲୋମିଟର ସୀମା ରହିଛି। ରିପୋର୍ଟ ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ୨୧,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଚୀନ ସଂଲଗ୍ନ ଜାମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଉତ୍ତରଖାଣ୍ଡ, ସିକିମ ଏବଂ ଅରୁଣାଚଳପ୍ରଦେଶରେ ଏହି ସଡ଼କ ନିର୍ମାଣ କରାଯିବ।

Leave A Reply