ଯାଦୁକରୀ ଶକ୍ତି

0
138

ସାଧୁସନ୍ଥ, ମହାମନୀଷୀମାନଙ୍କର ବୈଶିଷ୍ଟ୍ୟ ହେଲା- ସେମାନେ ନିଜେ ସବୁ ଆଘାତ ସହି ନେଇଥାନ୍ତି, କିନ୍ତୁ ଅନ୍ୟକୁ ପ୍ରତିଘାତ ଦେଇନଥାନ୍ତି। ନୀଳକଣ୍ଠ ସଦୃଶ ସଂସାରର ସକଳ ଗରଳ ହସିହସି ପାନ କରିଥାନ୍ତି, କିନ୍ତୁ ସଂସାରବାସୀଙ୍କୁ ବିଷଜ୍ବାଳାରେ ଛଟପଟ ହେବାକୁ ଦେଇ ନଥାନ୍ତି। ସମାଜର ବଡ଼ପଣ୍ଡା ତଥା ନୀତିନିର୍ଦ୍ଧାରକମାନେ ସେମାନଙ୍କୁ ବନ୍ଦୀଶାଳାର କାଳକୋଠରିରେ ପୂରାଇଥାନ୍ତି, ଗୁଳିବିଦ୍ଧ କରି ମୃତ୍ୟୁଦଣ୍ଡ ଦେଇଥାନ୍ତି; ହେଲେ କାହାରି ଲାଞ୍ଛନା, ନିର୍ଯାତନା, ଦଣ୍ଡ ଭୟରେ ସେମାନେ ସତ୍ୟଚ୍ୟୁତ କି ଆଦର୍ଶରହିତ ହୋଇ ନଥାନ୍ତି। ବିଳମ୍ବରେ ହେଲେ ମଧ ସତ୍ୟ ଉଦ୍‌ଘାଟିତ ହୋଇଥାଏ ଓ ସେମାନଙ୍କ ମହନୀୟତା, ଚରିତ୍ରବତ୍ତା ପ୍ରତିପାଦିତ ହୋଇଥାଏ।
ସନ୍ଥ କବୀର ଦାସଙ୍କ ସମ୍ପର୍କିତ ଏହିଭଳି ଏକ ପ୍ରସଙ୍ଗ। କବୀରଙ୍କ ଖ୍ୟାତି ଚତୁର୍ଦିଗରେ ବ୍ୟାପିଯିବାରୁ ଏହା ତତ୍କାଳୀନ ସମାଜର କିଛି ବ୍ୟକ୍ତିଙ୍କ ଚକ୍ଷୁଶୂଳ ହୋଇଥିଲା। ସେମାନେ ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚନା କଲେ। ତଦନୁଯାୟୀ ଏକ ସୁନ୍ଦରୀ ନର୍ତ୍ତକୀକୁ ପ୍ରଚୁର ଧନ ଦେଇ ବଶୀଭୂତ କଲେ। ତାକୁ ନିର୍ଦେଶ ଦେଲେ ସତ୍‌ସଙ୍ଗ୍‌ ଚାଲିଥିବା ସମୟରେ ତୁ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ନିକଟକୁ ଯାଇ ସନ୍ଥଙ୍କ ଚରିତ୍ରରେ ମିଥ୍ୟା ଆରୋପ ଲଗାଇବୁ ସେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି। ସତ୍‌ସଙ୍ଗରେ ଏହା ପ୍ରଘଟ କରିବାକୁ ତାକୁ କୁହାଯାଇଥିଲା।
ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହେଲା। ସତସଙ୍ଗରେ ଶ୍ରଦ୍ଧାଳୁଙ୍କୁ ସନ୍ଥ କବୀର ପ୍ରବଚନ ଦେଉଥିବା ସମୟରେ ନର୍ତ୍ତକୀ ସେଠାରେ ପ୍ରବେଶ କରି ଜୋରରେ ଚିତ୍କାର କରି କହିଲା- ଏ ଜଣେ ଭଣ୍ଡ ସାଧୁ, ପ୍ରତାରକ। ମୋତେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ମୋ ସହ ପ୍ରତାରଣା କରିଛନ୍ତି। ଜଣେ କଳୁଷିତ ଚରିତ୍ରର ବ୍ୟକ୍ତି। ସନ୍ଥଙ୍କୁ ଭଲଭାବରେ ଜାଣିଥିବା ଶ୍ରଦ୍ଧାଳୁମାନେ ତାଙ୍କ ବିରୋଧରେ ଏଭଳି ଏକ ଅବିଶ୍ବସନୀୟ ଆରୋପ ନର୍ତ୍ତକୀ ମୁହଁରୁ ଶୁଣି ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନବାଚୀ ମୁଦ୍ରାରେ ସେହି ନର୍ତ୍ତକୀ ଆଡ଼କୁ ଅନାଇଥାନ୍ତି।
ସେମାନଙ୍କର ମନୋଭାବ ଲକ୍ଷ୍ୟକରି କବୀର ଶ୍ରଦ୍ଧାଳୁମାନଙ୍କୁ କହିଥିଲେ- ଭାଇମାନେ! ଏହାଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ହେବ। ତୁମେମାନେ ନିଜନିଜ ଘରକୁ ଚାଲିଯାଅ। ସତସଙ୍ଗ ଆଉ ହେବନାହିଁ।
ଶ୍ରଦ୍ଧାଳୁମାନେ ସେହିସ୍ଥାନରୁ ଚାଲିଯାଇଥିଲେ। ସେମାନେ ସେଠାରୁ ଚାଲିଯିିବାପରେ କବୀର ନର୍ତ୍ତକୀଙ୍କ ଉଦ୍ଦେଶ୍ୟରେ କହିଥିଲେ- ଯା’ ହେଉ ତୁମେ ମୋ ପାଇଁ ଖୁବ୍‌ ଭଲ କାମଟିଏ କଲ ଯାହା ଯୋଗୁ ଏଠି ଏକାଠି ହୋଇଥିବା ଲୋକମାନେ ଖୁବ୍‌ ସହଜରେ ପଳାଇଗଲେ। ମୋ ପାଖରେ ସବୁବେଳେ ଲୋକଙ୍କ ଭିଡ଼ ଜମୁଥିଲା। ସେମାନଙ୍କ କାରଣରୁ ମୁଁ ନିରୋଳାରେ ହରିଭଜନ-ଜଣାଣ କରିପାରୁ ନଥିଲି। ଏବେ ସେଇ ସୁଯୋଗ ମିଳିଛି। ଆସ, ଆମେ ଦୁହେଁ ଏକତ୍ର ହୋଇ ଭଜନ-ଜଣାଣ ଗାନ କରିବା।
ନର୍ତ୍ତକୀ କବୀର ଦାସଙ୍କ ଏଭଳି ବ୍ୟବହାରରେ ଅାଶ୍ଚର୍ଯ୍ୟ ହୋଇଯାଇଥିଲା। ମହାତ୍ମାଙ୍କ ବାଣୀର ଯାଦୁକରୀ ଶକ୍ତିରେ ତା’ଠାରେ ଥିବା ସକଳ ଦୁର୍ଭାବନା, କୁତ୍ସିତ ଗୁଣ, ମିଥ୍ୟାଚାର ଆକସ୍ମିକ ଭାବରେ ଦୂରୀଭୂତ ହୋଇଯାଇଥିଲା। ସନ୍ଥଙ୍କ ଉଚ୍ଚ ଚରିତ୍ରବତ୍ତା ତା’ର କଳୁଷକାଳିମାକୁ ଧୋଇ ଦେଇଥିଲା। ନିଜନିଜ ଘରକୁ ଚାଲିଯାଉଥିବା ଶ୍ରଦ୍ଧାଳୁଙ୍କ ନିକଟକୁ ଆସି ସେ କ୍ଷମା ମାଗିବାସହ ସତ୍ୟପ୍ରକାଶ କରିଥିଲା। କିଛି ବିରୋଧୀ ଅର୍ଥଦେଇ ତାକୁ ପ୍ରଲୋଭିତ କରି ଏପରି ନାଟକ ମାଧ୍ୟମରେ ସନ୍ଥଙ୍କୁ ନିନ୍ଦିତ କରାଇବାକୁ ପ୍ରବର୍ତ୍ତାଇଥିଲେ ବୋଲି ମାନି ନେଇଥିଲା। ନର୍ତ୍ତକୀର ହୃଦୟ ପରିବର୍ତ୍ତନ ହେବାରୁ ସେ କବୀରଙ୍କୁ ନିବେଦନ କରିଥିଲା ନିଜକୁ ଶିଷ୍ୟା ଭାବରେ ଗ୍ରହଣ କରିନେବାକୁ।