ମୌନତାର ମହତ୍ତ୍ବ

0

ମହାଭାରତ ଗ୍ରନ୍ଥ ରଚନା ସମୟର ଘଟଣା। ମହର୍ଷି ବେଦବ୍ୟାସ ମହାଭାରତର ଶ୍ଳୋକସବୁ ଏକନିଷ୍ଠ ଭାବରେ କହୁଥାନ୍ତି ଓ ନିକଟରେ ବସିଥିବା କ୍ଷିପ୍ର ଲେଖକ ବିଘ୍ନବିନାଶକ ଗଣନାଥ ସେ ସବୁ ଭୂର୍ଜପତ୍ରରେ ଲେଖନୀ ସାହାଯ୍ୟରେ ଲେଖି ଚାଲିଥାନ୍ତି। ଅନ୍ତିମ ଶ୍ଳୋକ ମହର୍ଷିଙ୍କ ମୁଖରୁ ନିଃସୃତ ହୋଇ ଲେଖାସରିବା ପରେ ବେଦବ୍ୟାସ ପ୍ରଶ୍ନ କରିଥିଲେ- ହେ ବିଘ୍ନେଶ୍ବର ! ଆପଣଙ୍କ ଲେଖନୀ ଧନ୍ୟ, ବସ୍ତୁତଃ ମହାଭାରତର ସୃଜନ ତ ଆପଣ ହିଁ କରିଛନ୍ତି। ହେଲେ ଆପଣଙ୍କ ଲେଖନୀଠାରୁ ଅତୀବ ବିସ୍ମୟକର ବୋଧ ହେଉଥିଲା ଆପଣଙ୍କ ମୌନତା, ଅନେକ ସମୟ ଧରି ଆପଣ ମୋ ସହିତ ରହିଲେ। ଏହି ପବିତ୍ର ଗ୍ରନ୍ଥ ରଚନା ଲାଗି ମୋ ମୁହଁରୁ ସହସ୍ରାଧିକଶ୍ଳୋକ ନିଃସୃତ ହୋଇଛି। ହେଲେ ଏଇ ସମୟ ମଧ୍ୟରେ ଆପଣଙ୍କ ମୁହଁରୁ ଗୋଟିଏ ହେଲେ ଶବ୍ଦ ନିଃସୃତ ହେବାର ଶୁଣିନାହିଁ। ଏହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି।
ବିଘ୍ନରାଜ ନିଜ ମୌନାବତାର ସମ୍ପର୍କରେ ସୂଚନାଦେଇ କହିଥିଲେ ଦାନବ, ମାନବ ତଥା ଯେତେପ୍ରକାର ଜୀବ ଅଛନ୍ତି ସେମାନଙ୍କ ଜୀବନୀଶକ୍ତି କାହାର କମ୍‌, କାହାର ଅଧିକ। ସେହି ପ୍ରାଣଶକ୍ତିରୁ ପରିପୂର୍ଣ୍ଣ ଲାଭ ସେ ହିଁ ପାଇଥାନ୍ତି ଯିଏ ସଂଯମ ସହକାରେ ଏହାର ଉପଯୋଗ କରିଥାନ୍ତି। ସଂଯମ ସକଳ ସିଦ୍ଧିର ଆଧାର ଓ ଏହାର ପ୍ରଥମ ସୋପାନ ହେଉଛି ବାକ୍‌ସଂଯମ। ଯିଏ ବାକ୍‌ସଂଯମୀ ନୁହନ୍ତି ତାଙ୍କର ଜିହ୍ବା ସର୍ବଦା କିଛି ନା କିଛି ଉଚ୍ଚାରଣ କରୁଥାଏ। ଅନେକ କଥା କହୁଥିବା ଜିହ୍ବା ସ୍ଥଳବିଶେଷରେ କିଛିକିଛି ଅନାବଶ୍ୟକ ଶବ୍ଦ ମଧ୍ୟ ଉଚ୍ଚାରଣ କରିଥାଏ। ଏହି ଅନାବଶ୍ୟକ ଶବ୍ଦସମୂହ ସମୟେସମୟେ ଅତି ସଂକଟଜନକ ସ୍ଥିତିକୁ ଆମନ୍ତ୍ରଣ କରି ଆଣିଥାଏ ଯାହା ପ୍ରାଣଶକ୍ତିକୁ ଶୋଷି ନେଇଥାଏ। ଏହି କାରଣରୁ ମୁଁ ମୌନ ରହିବାକୁ ଉଚିତ ମଣିଥିଲି। ମୌନ ରହିବା ଦ୍ବାରା ମୋର ଲେଖିବାରେ ଅଧିକ ନିଷ୍ଠା ଆସିଥିଲା ଓ ଏକାଗ୍ରତା ରକ୍ଷାରେ ଏହା ସହାୟକ ହୋଇଥିଲା।
ଏହା ସତ୍ୟ ଯେ ମୌନ ରହିବା ଦ୍ବାରା ଏକାଗ୍ରତା- ନିଷ୍ଠା ଅଧିକ ଆସିଥାଏ। ମୌନବ୍ରତ ଅବଲମ୍ବନ ଦ୍ବାରା ମନକୁ ଅପାର-ଶକ୍ତି ମିଳିଥାଏ ଓ ଧ୍ୟାନ କରିବାରେ ଆଗ୍ରହ ଆସିଥାଏ। ଏହାମଧ୍ୟ କୁହାଯାଇଥାଏ, ମୌନବ୍ରତ ଅବଲମ୍ବନ ଦ୍ବାରା ମାନସିିିକ ଶାନ୍ତି ମିଳିବା ସହ କେତେକ ରୋଗର ଉପଶମ ହୋଇଥାଏ। ମାନସିକ ଉଦ୍‌ବେଗ, ଅବସାଦ ଦୂର ନିମନ୍ତେ ମୌନତା ସହାୟକ ହୋଇଥାଏ, ଏହାଦ୍ବାରା ଶକ୍ତିର ସୁରକ୍ଷା, ସଂକଳ୍ପ ବଳର ବୃଦ୍ଧି ହେବାସହ ବାଣୀର ଆବେଗକୁ ନିୟନ୍ତ୍ରଣରେ ରଖିହୁଏ, ଶାରୀରିକ ଓ ମାନସିକ କାର୍ଯ୍ୟଦକ୍ଷତା ବୃଦ୍ଧିପାଏ।
ମୌନତା ଏକ ସରଳ କିନ୍ତୁ ଦୁର୍ଲଭ ତପସ୍ୟା। ଏହା ସତ୍ୟ ଯେ କହିବା ଏକ କଳା। ଏହି କଳାଦ୍ବାରା ଲକ୍ଷଲକ୍ଷ ଶ୍ରୋତାଙ୍କୁ ଅାକର୍ଷିତ କରାଯାଇପାରେ, ସେମାନଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦିଆଯାଇପାରେ। ହେଲେ ଅନାବଶ୍ୟକ କଥନ ଶ୍ରୋତାମହଲରେ ବକ୍ତାଙ୍କ ଗୁରୁତ୍ବ ହ୍ରାସ କରାଇଥାଏ। ମୌନ ରହିବା ମଧ୍ୟ ଏକ କଳା। ବାଣୀରେ ସଂଯମ ଅବଲମ୍ବନ ନିମନ୍ତେ ମୌନତା ହିଁ ସର୍ବୋତ୍କୃଷ୍ଟ ପନ୍ଥା, ସର୍ବୋତ୍ତମ ଭୂଷଣ।

Leave A Reply