ମାଟ୍ରିକ ପରୀକ୍ଷା ପରେ…

ସୁକାନ୍ତ କୁମାର ମହାନ୍ତି

ଆସନ୍ତା ମାସରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବ। ପରୀକ୍ଷାଫଳ ଆଉ ପ୍ରଭାବଶାଳୀ ହେଉନାହିଁ। ପରିବାରରେ ଉତ୍କଣ୍ଠା, ପିଲାଟି ମନରେ ବ୍ୟାକୁଳତା ଓ ଶିକ୍ଷାଳୟରେ ବ୍ୟଗ୍ରତା ହ୍ରାସ ପାଇଛି। ଦରିଦ୍ର ଓ ମଧ୍ୟବିତ୍ତ ପରିବାର ମଧ୍ୟରେ ଉତ୍କଣ୍ଠା କେବଳ ପିଲାର ପାସ୍‌ହାର ଉପରେ, ଉଚ୍ଚ ମଧ୍ୟବିତ୍ତ ଓ ଧନିକ ପରିବାର ନିଶ୍ଚିନ୍ତରେ ଅଛନ୍ତି। ଏପରି ହେବାର କାରଣ ପାସ୍‌ହାର। ୩୦% ମଧ୍ୟରେ ରହୁଥିବା ସନ୍ତାନ ଯାହା ତାହା ପଢ଼ିପାରେ, ନାହିଁ ତ ପାଠଛାଡ଼ି ଦେଇପାରେ। ୩୦%ରୁ ୪୦% ପିଲା ଓ ଅଭିଭାବକ ଅନିଶ୍ଚିତତା ମଧ୍ୟରେ, ୪୦%ରୁ ୬୦% ପିଲାଙ୍କ କ୍ଷେତ୍ରରେ ଉଚ୍ଚଶିକ୍ଷା ନେବା ନିଶ୍ଚିତ ଥିଲାବେଳେ କେଉଁ ପ୍ରକାର ଶିକ୍ଷା ନେବାକୁ ନିଷ୍ପତ୍ତି ନେବାରେ ପରୀକ୍ଷାଫଳ ତାଙ୍କୁ ବାଟ ବତାଇବ। ୬୦%ରୁ ଅଧିକ ନମ୍ବର ରଖୁଥିବା ପରିବାରର ପିଲାମାନେ ଉଚ୍ଚଶିକ୍ଷା ନେବାକୁ ସ୍ଥିର ନିଶ୍ଚିତ, ହେଲେ ସମସ୍ୟା ହେଉଛି ଉଚ୍ଚଶିକ୍ଷା କ୍ଷେତ୍ର ମନୋନୟନ କରିବାରେ। ଏହି ଯେଉଁ ପରୀକ୍ଷାଫଳ ଆସିବ ସେଥିରେ କପି କରିବା ମାର୍କ କେତେ? ବୋର୍ଡର ଗ୍ରେସମାର୍କ କେତେ/ ମୂଲ୍ୟାୟନକାରୀ ଶିକ୍ଷକମାନଙ୍କ ପାରଦର୍ଶିତା କେତେ? ଏସବୁକୁ ଦେଖିଲେ ୮୦%ରୁ ଊର୍ଦ୍ଧ୍ବ ନମ୍ବର ରଖି ପାସ୍‌ କରୁଥିବା ବିଦ୍ୟାର୍ଥୀଙ୍କର ସ୍ବଚ୍ଛତା ପ୍ରାୟ ଥାଏ। ମାଟ୍ରିକୁଲେସନ ଇଜ୍‌ ଫାଉଣ୍ଡେସନ, +୨ ଇଜ୍‌ ଡାଇଭରସନ ଆଣ୍ଡ +୩ ଇଜ୍‌ କନଭରସନ୍‌ ବୋଲି କ୍ଷେତ୍ରାବସ୍ଥାକୁ ପ୍ରଭାବିତ କରିଥାଏ। ଏପରିକି ଦେଖାଯାଏ, ସ୍କୁଲ କ୍ଷେତ୍ରରେ ଭଲ ପଢ଼ୁଥିବା ବିଦ୍ୟାର୍ଥୀ ମଧ୍ୟ କଲେଜରେ ଖରାପ କରିଥାଏ ଏବଂ କଲେଜରେ ଭଲ କରୁଥିବା ପିଲାଟି ମାଟ୍ରିକ୍‌ ପରୀକ୍ଷାରେ ମଧ୍ୟ ମନ୍ଦ କରିଥିବାର ନଜିର ଅଛି। ଏଇଥିପାଇଁ ପିଲାର ଉଜ୍ଜ୍ବଳ ଭବିଷ୍ୟତକୁ ନଜର କରି ନିଷ୍ପତ୍ତି ନେଲାବେଳେ ସଚେତନ ପରିବାରବର୍ଗଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଯାଏ।
ଏଠାରେ ଦୁଇଟି ପ୍ରଶ୍ନ ମନକୁ ଆସେ। କ’ଣ ପଢ଼ିବା ଓ କେଉଁଠି ପଢ଼ିବା? ଧନିକ ପରିବାର ବ୍ୟତୀତ ଏହି ଦୁଇଟି ନିଷ୍ପତ୍ତି ଭାରାକ୍ରାନ୍ତ କରେ ଅସ୍ବଚ୍ଛଳ ପରିବାରବର୍ଗଙ୍କୁ। କାରଣ ଏହି ଶିକ୍ଷା ଖର୍ଚ୍ଚ ବହୁଳ ଓ ବ୍ୟାବସାୟିକ। ସ୍ବଳ୍ପ ଖର୍ଚ୍ଚରେ ଭଲ କଲେଜରେ ପଢ଼ିବାକୁ ହେଲେ ପ୍ରଥମେ ଆବଶ୍ୟକ ଭଲ ମାର୍କ ସହ ବାହାରେ ରହିବା ଖର୍ଚ୍ଚ, ଏବର କଲେଜଗୁଡ଼ିକର ଗୁଣାତ୍ମକ ଦିଗକୁ ଦେଖିଲେ ନିରାଶ ହେବାକୁ ହୁଏ। ଓଡ଼ିଶାର କେତେକ ପ୍ରତିଷ୍ଠିତ କଲେଜରେ ୯୦%ରୁ ଅଧିକ ନମ୍ବର ରଖି ପଢ଼ୁଥିବା ବିଦ୍ୟାର୍ଥୀ ମଧ୍ୟ ଫେଲ୍‌ ହେଉଛନ୍ତି। କଲେଜଗୁଡ଼ିକରେ ଆଭ୍ୟନ୍ତରୀଣ ପ୍ରଶାସନଠାରୁ ଶିକ୍ଷାଦାନ, ବିଦ୍ୟାର୍ଥୀଙ୍କ ଅମନଯୋଗିତା ଓ ଦୂଷିତ ପରିବେଶ ଆଗ୍ରହୀ ଅଭିଭାବକଙ୍କୁ ମଧ୍ୟ ନିରୁତ୍ସାହିତ କରୁଛି। ଛତୁ ଫୁଟିଲାପରି କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ +୨ ଆବାସିକ ବିଜ୍ଞାନ କଲେଜ ଓ କୋଚିଂ ସେଣ୍ଟରଗୁଡ଼ିକ ଅଭିଭାବକଙ୍କର ମୁଣ୍ଡବ୍ୟଥାର କାରଣ ହୋଇଛି। ମଡେଲ କ୍ଲାସ କରି ଅଭିଭାବକଙ୍କ ଅଜ୍ଞାତରେ ମଧ୍ୟ ଗାଡ଼ି ପଠାଇ, ଲୋକ ଲଗାଇ ପିଲାଙ୍କୁ ଲୋଭ ଦେଖାଇ ପାଠ ପଢ଼ାଇଲେଣି। ଏହି କଲେଜ, କୋଚିଂ ସେଣ୍ଟର ସମସ୍ତ ପିଲାଙ୍କର ଷ୍ଟାଣ୍ଡାର୍ଡ ଭଲ ଅଛି କହି ବିଜ୍ଞାନ ପଢ଼ାଇବାକୁ ବାଧ୍ୟ କରିଥାନ୍ତି। ଯାହା ଭବିଷ୍ୟତରେ ପିଲାଙ୍କୁ ଅସୁବିଧାରେ ପକାଇଥାଏ। ଘରୋଇ ଭାବରେ ବ୍ୟବସାୟୀକରଣ ଉଦ୍ଦେଶ୍ୟରେ ଅନେକ କଲେଜ ଆଇଟିଆଇ, ଡିପ୍ଲୋମା, ଫାର୍ମାସୀ- ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇ କେବଳ ଯୋଗ୍ୟତା ପତ୍ର ବିକ୍ରି କରିବା ଉଦ୍ଦେଶ୍ୟରେ ଶିକ୍ଷାକେନ୍ଦ୍ର ଖୋଲିଥିବା ଅଭି​‌ଯୋଗ ହୁଏ। ଫଳରେ ଅଭିଭାବକବୃନ୍ଦ, ପରିବାର ଓ ନିଜ ସନ୍ତାନ ମଧ୍ୟରେ ଉଚ୍ଚଶିକ୍ଷା ପାଇବା କ୍ଷେତ୍ରରେ ମନୋମାଳିନ୍ୟ ହୋଇଥାଏ। ଏପରିକି +୨ ବିଜ୍ଞାନରେ ଫେଲ ହେବାପରେ ଛାତ୍ରଟି ପାଠ୍ୟ ବିଷୟ ଓ ଶିକ୍ଷାକେନ୍ଦ୍ର ବଦଳାଇ ସମସ୍ୟା ଆମନ୍ତ୍ରଣ କରିଥାଏ। ପାଠ୍ୟ ଖସଡ଼ା ଓ କଲେଜ ବଦଳର ମୂଳ କାରଣ ଅଭିଭାବକ ଓ ସନ୍ତାନ ମଧ୍ୟରେ ନୈତିକ ସମ୍ପର୍କ, ପାରିବାରିକ ସଂସ୍କୃତି, ଦାୟିତ୍ବବୋଧ, ସଂକଳ୍ପବଦ୍ଧ ଜୀବନ, ଏକନିଷ୍ଠ ସାଧନାର ଅଭାବ।
ବିଦ୍ୟାଳୟରେ ନାମଲେଖା ହେବା ପରଠାରୁ ପ୍ରାୟ ଅଭିଭାବକଙ୍କର ବିଦ୍ୟାଳୟ ସହ ସମ୍ପର୍କ ନ’ଥାଏ। ନିଜ ପିଲାର ଭବିଷ୍ୟତରେ ପାଠପଢ଼ାର ମନୋବୃତ୍ତି ୫ମ ଶ୍ରେଣୀଠାରୁ ଜଣାପଡ଼ିଯାଏ। ଦିଆଶିଲି କାଠିରେ ରଂଜକ ଥାଏ ଯାହାକୁ ଖୋଳସହ ଘଷି ଜାଣିଲେ ନିଆଁ ବାହାରେ। ଗୋଟିଏ ଗଛରୁ ସଂଖ୍ୟାଧିକ ଦିଆଶିଲି କାଠି ପ୍ରସ୍ତୁତ କରାଯାଏ ମାତ୍ର, ଗୋଟିଏ କାଠିର ନିଅଁାରେ ସମଗ୍ର ଜଙ୍ଗଲ ଜଳିଯାଏ। ଏଥିରେ ଆମେ ଜାଣୁ, ପ୍ରତ୍ୟେକ ଶିଶୁ ଦିବ୍ୟଗୁଣଧାରୀ, ରଂଜକ ପରି ପ୍ରତିଭାବାନ। ଯଦି ଠିକ ଭାବରେ ଏହି ପ୍ରତିଭା ପରିସ୍ଫୁଟନ ନ’ କରାଯାଏ, ତେବେ ସମଗ୍ର ପରିବାର ଓ ସନ୍ତାନର ଭବିଷ୍ୟତ ନଷ୍ଟ ହୋଇଥାଏ। ମାତ୍ର ୩ୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ଥୋମାସ୍‌ ଆଲଭା ଏଡିସନ୍‌ ବିଦ୍ୟୁତ ବଲବ୍‌ ପ୍ରସ୍ତୁତ କରି ବୈଜ୍ଞାନିକ ହୋଇପାରିଲେ।
ମୂର୍ଖ ବୋଲି ନୋଟିସ ଦେଇ ତାଙ୍କୁ ସ୍କୁଲରୁ ବାହାର କରି ଦିଆଯାଇଥିଲା। ହେଲେ, ତାଙ୍କର ମାଆଙ୍କ ଉ ତ୍ତର ଥିଲା, ‘ମୋ ପିଲା ଭଲ ପଢ଼ି ନ’ପାରେ, ହେଲେ ତା’ର ବୁଦ୍ଧି ଅଛି। ’ଘରେ ରହି ନିଜର ପ୍ରତିଭାର ଉପଯୋଗ କରି ସେ ବୈଜ୍ଞାନିକ ହେଲେ। ମହାତ୍ମାଗାନ୍ଧୀ ଇତିହାସରେ ଫେଲ ହେଉଥିଲେ ସୁଦ୍ଧା ‘ଜାତିର ପିତା’ ଭାବେ ଇତିହାସ ରଚିଲେ। ୬ଷ୍ଠ ଶ୍ରେଣୀର ଛାତ୍ର ଭାବେ ଆକାଶରେ ପକ୍ଷୀ ଉଡ଼ିବା ଦେଖି ପ୍ରଜ୍ଞାବାନ ଅବଦୁଲ କଲାମ ବୈଜ୍ଞାନିକ ହେଲେ। ଯୋଗୀ ଶ୍ରୀ ଅରବିନ୍ଦ ଓ ନେତାଜୀ ସୁଭାଷ ବୋଷ ସର୍ବୋଚ୍ଚ ପ୍ରଶାସନିକ ଆଇ.ସି.ଏସ୍‌ ଡିଗ୍ରୀ ପାଇ ମଧ୍ୟ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପିଲାଟି ଜୀବନରେ ତିନିଟି ଉପାଦାନ ସକାରାତ୍ମକ ମନୋବୃତ୍ତି ସୃଷ୍ଟି କରିଥାଏ- ପରିବେଶ, ଅନୁଭୂତି ଓ ଶିକ୍ଷା। ପରିବାର ଦିଏ ପରିବେଶ, ଅତୀତ ଜୀବନ ଦିଏ ଅନୁଭୂତି ଓ ବିଦ୍ୟାଳୟ ଦିଏ ଗୁଣାତ୍ମକ ପ୍ରଭାବଶାଳୀ ଶିକ୍ଷାଦାନ। ଏଥିରେ ମଧ୍ୟ ବଂଶଗତ ପ୍ରଭାବ କେତେକାଂଶରେ ପିଲାଟିକୁ ଭଲ ଖରାପ ହେବାରେ ପ୍ରଭାବିତ କରିଥାଏ। ଜଣେ ସପ୍ତମ ଶ୍ରେଣୀ ଛାତ୍ର ଫରାସୀ ଦାର୍ଶନିକଙ୍କୁ ପ୍ରଶ୍ନ କଲେ ‘ମୁଁ କ’ଣ କଲେ ଆପଣଙ୍କ ପରି ବୁଦ୍ଧିଆ ହୋଇପାରନ୍ତି?’ ଦାର୍ଶନିକଙ୍କ ଉତ୍ତର ଥିଲା, ‘ପ୍ରଥମେ ଭଲ ମଣିଷ ହୋଇଯାଅ, ଦେଖିବ ମୋ’ ପରି ବୁଦ୍ଧିମାନ ହୋଇଯିବ’। ମନେ ରଖିବାକୁ ହେବ ଧନିକ ପିଲା ଆବଶ୍ୟକ ହେଲେ ସାର୍ଟିଫିକେଟ୍‌ କିଣିପାରେ, ହେଲେ ଜ୍ଞାନ କିଣି ପାରିବ ନାହିଁ। ଗରିବ ପିଲା ନିଃସ୍ବ ହୋଇପାରେ, ହେଲେ ତା’ର ସୃଜନଶୀଳତା ବିଶ୍ବପ୍ରସିଦ୍ଧି ଲାଭ କରିପାରେ। ପିଲାମାନେ କୌଣସି ସାମର୍ଥ୍ୟ ଓ ବୁଦ୍ଧିର ଅଭାବ ଯୋଗୁଁ ବିଫଳ ହୁଅନ୍ତି ନାହିଁ, ବରଂ ପ୍ରକୃତ ଇଚ୍ଛା ଶକ୍ତି, ପ୍ରତିବଦ୍ଧତା, ଏକନିଷ୍ଠ ଭାବ ଓ ଶୃଙ୍ଖଳାର ଅଭାବ ଯୋଗୁ ହାରିଯାଆନ୍ତି। ପିଲାଟିର ହାରିବା ଜିତିବା ଉତ୍ତରଦାୟିତ୍ବ ଅଭିଭାବକଙ୍କର। ନିଜର ଗ୍ରହଣୀୟ ଚାଲିଚଳଣି, ମାର୍ଜିତ ବ୍ର୍ୟବହାର, ଗଠନାତ୍ମକ ଉଦ୍‌ଯୋଗ ଓ ଭଲପାଇବାରେ ପିଲାଟିର ସନ୍ଦେହ ନ’ରହୁ। ଜୀବନ ଓ ଜୀବିକା ପରସ୍ପର ପରିପୂରକ। ଜୀବନ ପାଇଁ ଆବଶ୍ୟକ ବିଦ୍ୟା ଓ ଜୀବିକା ପାଇଁ ଆବଶ୍ୟକ ଶିକ୍ଷା ଗ୍ରହଣ ପାଇଁ ପ୍ରେରିତ କରନ୍ତୁ। ଯଦି ସାଙ୍ଗସାଥୀ, ଦୂରଦର୍ଶନ ଓ ମୋବାଇଲରୁ ନୈତିକ ମୂଲ୍ୟବୋଧ ପିଲାଟି ଶିଖୁଥାଏ, ତେବେ ତା’ ସହିତ କିଛି ସମୟ ବିତାଇ ଅର୍ଥପୂର୍ଣ୍ଣ ଆଲୋଚନା କରନ୍ତୁ। ଧୀରସ୍ଥିର, ଶାନ୍ତ, ଧୈର୍ଯ୍ୟବାନ, ଅହଂକାରଶୂନ୍ୟ, ବିଚାରଶୀଳ, ବିନମ୍ରତାର ଉପଯୋଗିତା ଉପରେ ତା’ର ଧ୍ୟାନ ଆକର୍ଷଣ କରନ୍ତୁ। ଧୀ’ଶକ୍ତି ହାରିପାରେ, ହେଲେ ପ୍ରତିଭା ହାରେନା। ନକାରାତ୍ମକ ଦୃଷ୍ଟିଭଙ୍ଗୀଠାରୁ ତାକୁ ଦୂରେଇ ରଖନ୍ତୁ। ପିଲାର କୋମଳ ମନକୁ ଆଘାତ ଦିଅନ୍ତୁ ନାହିଁ। ସାମାନ୍ୟ କଥାରେ ବଚସା କରି ନିଜ କଥା ଠିକ୍‌ ବୋଲି ଜାହିର କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ସନ୍ତାନ ସହ ସାଲିସ୍‌ କରି ତା’ର ସାହସିକତା ଓ ଯୁକ୍ତିବୋଧକୁ ତାରିଫ କରନ୍ତୁ। ଆପଣ ଓ ସନ୍ତାନ ମଧ୍ୟରେ ଚୁମ୍ବକୀୟତା ସୃଷ୍ଟି କରିପାରିଲେ ନିଜ ସନ୍ତାନ ଅବୋଧ ହୋଇପାରେ, ହେଲେ ଅବାଧ୍ୟ ହେବନାହିଁ।
ଯାହାବି ପଢ଼ାନ୍ତୁ, ଯେଉଁଠି ବି ପଢ଼ାନ୍ତୁ ଜଣେ ମନ ପସନ୍ଦର ଗୁଣାତ୍ମକ ଗାଇଡ ଶିକ୍ଷକ ଦିଅନ୍ତୁ। ଏହି ଶିକ୍ଷକଙ୍କର ପୁରୋଦୃଷ୍ଟି ପିଲାଙ୍କୁ ଦେଇଥାଏ ଦୂରଦୃଷ୍ଟି। ସେ ଅନୁସନ୍ଧିତ୍ସୁ ଓ ଜିଜ୍ଞାସୁ ହେଉ- ଶୈଶବ ଓ କୈଶୋର ବୟସରେ ସେ ମଣିଷ ହେବ ଅବା ଅମଣିଷ ହେବ, ନିର୍ଭର କରେ କେବଳ ପରିବାର ଉପରେ। ବାପାମାଆ ହାତୁଡ଼ି ପରି ଭୂମିକା ନେଇ କାଚ ଖଣ୍ଡିକୁ ଭାଙ୍ଗିଲା ପରି ପିଲାଙ୍କୁ ଭାଙ୍ଗିପାରିବେ ଅଥବା ଲୁହା ଖଣ୍ଡକୁ ବାଡ଼େଇ ହାତୁଡ଼ି ଚିକ୍‌ଚିକ୍‌ କଲାପରି ଆପଣ ନିଜ ପିଲାର ଆକର୍ଷଣୀୟ ବ୍ୟକ୍ତିତ୍ବ ଗଠନ କରି ଜଣେ ଭାଗ୍ୟବାନ ବାପାମାଆ ଭାବେ ଗର୍ବ କରିବେ। ପରିବାର ଦିଏ ପ୍ରେରଣା, ବିଦ୍ୟାଳୟ ଦିଏ ଆତ୍ମବିଶ୍ବାସ ଏବଂ ସମାଜ ଦିଏ ସ୍ବୀକୃତି।

Comments
Loading...