ପୂର୍ବଜନ୍ମ ବୃତ୍ତାନ୍ତ ସ୍ମରଣକ୍ଷମ ବ୍ୟକ୍ତିବର୍ଗ ଜାତିସ୍ମର କି?

0
97

ପ୍ରଶ୍ନ: ବିରଳ ଘଟଣାକ୍ରମେ “ଜାତିସ୍ମର” ମାନେ ଜନ୍ମ ହୋଇ ନିଜନିଜ ପୂର୍ବଜନ୍ମ ବୃତ୍ତାନ୍ତ ଶୁଣାଇଥା’ନ୍ତି, ଯାହା କି ସତ୍ୟ ବୋଲି ପ୍ରମାଣିତ ହେବାର ଖବର ଆମେ ପତ୍ରପତ୍ରିକାରେ ପଢ଼ିବାକୁ ପାଉଁ। ଏହା ବିଶ୍ୱାସଯୋଗ୍ୟ କି ?
ସୌରଭ କେଶରୀ ଦାସ, ଧଳସାହି, ଚରମ୍ପା
ଉତ୍ତର: ଜଣେ ନିଜ ପୂର୍ବଜନ୍ମ ସମ୍ପର୍କରେ ସଚେତନ ରହିଥିବା ତତ୍ତ୍ୱ ଦୃଷ୍ଟିରୁ ଅବାସ୍ତବ ନୁହେଁ; କିନ୍ତୁ ଜଣେ ନିଜ ପୂର୍ବଜନ୍ମର ଏକ ନିର୍ଦିଷ୍ଟ ପର୍ଯ୍ୟାୟର କେତେକ ଘଟଣା ସ୍ମରଣ କରିବା ଏବଂ ସେସବୁ ବାସ୍ତବରେ ଘଟିଥିବା ପ୍ରମାଣିତ ହେବାର ଯେଉଁସବୁ ଚମକପ୍ରଦ ଘଟଣା ଆମେ ପତ୍ରପତ୍ରିକାରେ ପଢୁ, ସେସବୁ ପଛରେ ଥିବା ବାସ୍ତବତା ଭିନ୍ନ। ସେ ସମ୍ପର୍କରେ ଆପଣ ଯେତେ ବିବରଣୀ ପତ୍ରପତ୍ରିକାରେ ପଢ଼ିଥିବେ, ମନେପକାଇଲେ ଦେଖିବେ ସେସବୁ ଘଟଣାର ନାୟକନାୟିକା ବାଳକବାଳିକାମାନେ। ହଠାତ୍ ଜଣେ ବାଳକ ଦୂର ଗାଁରୁ ଆଗନ୍ତୁକ ସମ୍ପୂର୍ଣ୍ଣ ଅପରିଚିତ ଜଣେ ବ୍ୟକ୍ତିଙ୍କୁ ଦେଖିପକାଇ ତାଙ୍କ ପାଖକୁ ଦୌଡ଼ିଯିବ ଏବଂ ଦ୍ୱିଧା ଓ ଅଭିମାନମିଶା ଦୃଷ୍ଟିରେ ଆପାଦମସ୍ତକ ନିରୀକ୍ଷଣ କରି ହୁଏତ ତାଙ୍କୁ କୁଣ୍ଢାଇ ପକାଇବ ଏବଂ କାନ୍ଦିପକାଇ ଅଭିଯୋଗ କରିବ, “ତୁମେ କୁଆଡ଼େ ଥିଲ ? ବୋଉ କୁଆଡ଼େ ଗଲା ? ମୋତେ ତା’ ପାଖକୁ ଏହିକ୍ଷଣି ନେଇଚାଲ ! ”
ଦୂରାନ୍ତରାଗତ ଅପରିଚିତ ଜଣକ କାବା ହୋଇଯିବେ। ବାଳକ ଗୋଟାଏ କୁନିଝିଅର ନାମ କହି ସେ କାହିଁ ବୋଲି ପ୍ରଶ୍ନ କରିବ। ଏଥର ଭଦ୍ରଲୋକ ଚମକି ପଡ଼ିବେ; କାରଣ ସେ ଶୁଣିବେ ତାଙ୍କରି ଝିଅର ନାମ। ସେ ଯଦି ପିଲାଟିକୁ ତା’ ନାମ ପଚାରିବେ,ଉତ୍ତର ତାଙ୍କୁ ହତବମ୍ବ ବନାଇଦେବ; କାରଣ ସେହି ନାମ ଥିବା ତାଙ୍କ ପୁଅ କିଛିବର୍ଷ ତଳେ ଇହଧାମରୁ ବିଦାୟ ନେଇଛି।
ପିଲାଟି ନିଜ ଘର ଛାଡ଼ି ସେ ଭଦ୍ରଲୋକଙ୍କ ସହିତ ଯିବାକୁ ଜିଗର କରିବ; ଅଗତ୍ୟା ତା’କୁ ଧରି ତା’ ଜନ୍ମିତ ପରିବାରର ଅବାକ୍ ଅଭିଭାବକ ଦୁଇଚାରି ଜଣ ଗ୍ରାମବାସୀଙ୍କ ସହ ଦୂରାନ୍ତରେ ସେ ଅପରିଚିତ ଭଦ୍ରଲୋକଙ୍କ ଗାଁରେ ପ୍ରବେଶ କରିବେ। ତତ୍‌କ୍ଷଣାତ୍ ପିଲାଟି ଯେଉଁ ବରଗଛ ତଳେ ଖେଳୁଥିଲା, ଯେଉଁ ଚାହାଳିରେ ପଢୁଥିଲା, ସେସବୁ ଦେଖି ସେ ସାଥୀମାନଙ୍କୁ ଖୋଜିବ। କହିବା ବାହୁଲ୍ୟ, ପରବର୍ତ୍ତୀ କିଛିଦିନ ଉଭୟ ପରିବାର ସକାଶେ ହେବ ହର୍ଷବିଷାଦ ଓ କିଂକର୍ତ୍ତବ୍ୟବିମୂଢ଼ତାର ସମୟ। ପିଲାଟି ଯେ ତା’ ପୂର୍ବଜନ୍ମରେ ସେ ଭଦ୍ରଲୋକଙ୍କ ଅକାଳରେ ମୃତ୍ୟୁବରଣ କରିଥିବା ପୁତ୍ର ହିଁ ଥିଲା, ଏଥିରେ ସନ୍ଦେହର ଅବକାଶ ରହିବ ନାହିଁ। କିଛିଦିନ ପର୍ଯ୍ୟନ୍ତ ପିଲାଟି ଭଦ୍ରଲୋକଙ୍କ ଘରେ ହିଁ ରହିବ; ପରେ ଜନ୍ମିତ ପରିବାର ଏବଂ ପୂର୍ବଜନ୍ମର ପରିବାର ଭିତରେ ଯିବାଆସିବା କରିବ ଏବଂ ଦିନେ ଜନ୍ମିତ ପରିବାରକୁ ଯାଇ ଆଉ ଲେଉଟିବ ନାହିଁ; ଏପରିକି ସେ ଯାହା ସବୁ କହୁଥିଲା, ସେସବୁ ତା’ ନିଜକୁ ବି ସ୍ୱପ୍ନ ଭଳି ମନେହେବ।
ଏହି ଅତିଭୌତିକ ନାଟକର ଊଣାଅଧିକ ଏକାପ୍ରକାର ବହୁ ସଂସ୍କରଣ ରହିଛି। ସେସବୁରେ କୃତ୍ରିମତା କିଛି ନାହିଁ; କାହାରି କଳକୌଶଳ ନାହିଁ। ରହସ୍ୟ ହେଲା, କେବେକେବେ – ସର୍ବଦା ନୁହେଁ – ଅକାଳରେ ମୃତ ଜଣେ ବାଳକ ବା ବାଳିକାର ପ୍ରାଣସତ୍ତା (ଆତ୍ମା ନୁହେଁ) ବାତାବରଣରେ ରହିଥାଏ ଏବଂ ସମବୟସୀ ତଥା ପ୍ରାଣ ସ୍ତରରେ ସୂକ୍ଷ୍ମ ସାମଞ୍ଜସ୍ୟ ଥିବା ଜଣେ ବାଳକ ବା ବାଳିକାର ବହିର୍ବ୍ୟକ୍ତିତ୍ବକୁ ଆୟତ୍ତ କରିନିଏ। ପୂର୍ବଜନ୍ମର ସ୍ମୃତିରେ କିଛିଦିନ ମଜ୍ଜି ରହିବା ପରେ ସେ କ୍ରମେକ୍ରମେ ସେ ରୋମାଞ୍ଚରୁ ମୁକ୍ତ ହୋଇଯାଏ, ଅର୍ଥାତ୍ ମୃତର ପ୍ରାଣସତ୍ତା ପ୍ରାଣ ଜଗତରେ ବିଲୀନ ହୋଇଯାଏ। ସେ ସତ୍ତାର ଆୟତ୍ତାଧୀନ ହୋଇପଡ଼ିଥିବା ପିଲାଟି ପୁଣି ସ୍ୱାଭାବିକ ଆଚରଣ କରେ। କହିବା ବାହୁଲ୍ୟ, ଏମାନେ “ଜାତିସ୍ମର”ର ଦୃଷ୍ଟାନ୍ତ ନୁହନ୍ତି।
ଜାତିସ୍ମର ଜଡ଼ ଭରତ ସମ୍ପର୍କୀୟ ପୌରାଣିକ କିମ୍ବଦନ୍ତୀ ଅନେକଙ୍କୁ ଜଣା। ତପସ୍ୟାରତ ଋଷି ଜଣକ ନଦୀରେ ସ୍ନାନ କରୁଥିବାବେଳେ ଦେଖିଲେ, ସିଂହ ଭୟରେ ନଈକୁ ଡେଇଁ ପଡ଼ିଥିବା ଗୋଟିଏ ଗର୍ଭିଣୀ ମୃଗୀ କୂଳକୁ ଉଠିବା ପ୍ରୟାସ ଭିତରେ ଶାବକଟିଏ ଜନ୍ମ ଦେଇ ମରିଗଲା ଓ ଭାସିଗଲା। ଶାବକ ଗୋଟିକୁ ଋଷି କୋଳ କରି ନିଜ କୁଟିର ଭିତରକୁ ଆଣି କ୍ରମେ ତା’ ପ୍ରତି ଏମିତି ଆସକ୍ତ ହୋଇପଡ଼ିଲେ ଯେ ତାହାରି ଶୁଶ୍ରୂଷାରେ ବ୍ୟସ୍ତ ରହି ନିଜ ସାଧନା ଭୁଲିଗଲେ। ନିଜ ଅନ୍ତିମ ମୁହୂର୍ତ୍ତ ଉପନୀତ ହେବାବେଳେ ସେ ତାହାରି ଉପରେ ଦୃଷ୍ଟିନିବଦ୍ଧ ରଖି ପ୍ରାଣତ୍ୟାଗ କଲେ।
ଫଳରେ ଋଷି ଏକ ମୃଗ ରୂପେ ଜନ୍ମ ଗ୍ରହଣକରି ଅଳ୍ପକାଳ ବିତାଇବା ଅନ୍ତେ ପୁନର୍ବାର ମାନବ ଜନ୍ମଗ୍ରହଣ କଲେ ଏବଂ ପୂର୍ବାର୍ଜିତ ତପଃଶକ୍ତିର ପ୍ରତିକ୍ରିୟାରେ ଜାତିସ୍ମର ହୋଇଥିବାରୁ ନିଜ ବିଚ୍ୟୁତି ସ୍ମରଣ କରି ସର୍ବଦା ସବୁଥିରୁ ଉଦାସୀନ ରହିବା ଫଳରେ ତାଙ୍କ ନାମ ଭରତ ସହିତ “ଜଡ଼” ବିଶେଷଣ ଯୋଗ କରି, ମୁଠିଏ ଖାଇବାକୁ ଦେଇ ଚତୁର ବ୍ୟକ୍ତିବର୍ଗ ତାଙ୍କୁ ନିର୍ମମ ଭାବରେ ଖଟାଉଥାଆନ୍ତି। ତେବେ ସେ ନିୟତ ଆତ୍ମସ୍ଥ ରହି ଯଥା ସମୟରେ ମୋକ୍ଷପ୍ରାପ୍ତ ହେଲେ। ତତ୍ତ୍ୱତଃ ଏଭଳି ଘଟଣା ସମ୍ଭବପର। ତେବେ ମାନବାତ୍ମା ପଶୁ ଭାବରେ ଜନ୍ମ ନିଏ ନାହିଁ। ଋଷିଙ୍କ ପ୍ରାଣସତ୍ତା କିଛିବର୍ଷ ଗୋଟିଏ ମୃଗ ଚେତନାରେ ସାମିଲ୍ ରହିଥିଲା।
ଆମ ସମସ୍ତଙ୍କ ଚେତନା ଗହନରେ ପୂର୍ବ ଜନ୍ମସମୂହର ଅଭିଜ୍ଞତାର ନିର୍ଯ୍ୟାସ ନିହିତ; ଘଟଣାର ବିବରଣୀ ନୁହେଁ; ନିର୍ଯ୍ୟାସ। ଜଣେଜଣେ ମହାନ୍ ଯୋଗୀ ପ୍ରୟାସ କଲେ ଆପଣା ପୂର୍ବଜନ୍ମର ବା ଅନ୍ୟ କାହାରି ପୂର୍ବଜନ୍ମର କୌଣସି ଏକ ବୃତ୍ତାନ୍ତ ଅବଶ୍ୟ ଜାଣିପାରିବେ; କିନ୍ତୁ ତାହା ଏକାନ୍ତ ବିରଳ ସ୍ତରର ବିଭୂତି। ସାଧାରଣତଃ ଅବଚେତନରୁ ବା କଳ୍ପନାରୁ ଆହରିତ କିଛିକିଛି କଥାକୁ କେହିକେହି ପୂର୍ବଜନ୍ମର ବୃତ୍ତାନ୍ତ ଭାବରେ ବର୍ଣ୍ଣନା କରନ୍ତି। ତାହା ଭ୍ରାନ୍ତି। ନିକଟ ଅତୀତରେ ପାଶ୍ଚାତ୍ୟରେ କେତେକ ଧୂରନ୍ଧର ମନୋଚିକିତ୍ସକ ନାନାଦି ମାନସିକ ବିକଳତା ଦୂର କରିବା ନିମନ୍ତେ ସେମାନଙ୍କ ଚିକିତ୍ସାଧୀନ ବ୍ୟକ୍ତିଙ୍କୁ ସମ୍ମୋହିତ (hypnotise) କରି ସେମାନଙ୍କ ଭିତରେ ପୂର୍ବଜନ୍ମର ସ୍ମୃତି ଉଜ୍ଜୀବିତ କରି ସେମାନଙ୍କ ସମସ୍ୟାର ଉତ୍ସ ଠାବ କରୁଥିବାର ଏବଂ ସେମାନଙ୍କୁ ନିରାମୟ କରୁଥିବା ବ୍ୟାପାର ପ୍ରଚାରିତ ହେଉଛି; କିନ୍ତୁ ସେ ସ୍ମୃତିଚାରଣ ଅବଚେତନର ଖେଳ। ନିରାମୟ ହେବା ପଶ୍ଚାତରେ ଅନ୍ୟାନ୍ୟ ହେତୁ (ବିଶ୍ୱାସାରୋପଣ ବା Suggestion ସମେତ) କାର୍ଯ୍ୟ କରୁଥାଇପାରେ। କିନ୍ତୁ ପୂର୍ବ ଜନ୍ମସମୂହର ଅଭିଜ୍ଞତା ଆମର ଯେଉଁ ଚୈତ୍ୟସତ୍ତାରେ ସଞ୍ଚିତ, ତା’ର ସୀମାନ୍ତ ମଧ୍ୟ ଛୁଇଁ ପାରିବନାହିଁ କୌଣସି ମନୋଚିକିତ୍ସକର ସନ୍ଧାନୀ ପ୍ରକ୍ରିୟା।
ପ୍ରତିଭା ଅସାଧାରଣ; କିନ୍ତୁ ଚରିତ୍ର ନିହାତି ସାଧାରଣ !
ପ୍ରଶ୍ନ: ଖୋଲାଖୋଲି ଗୋଟାଏ ପ୍ରଶ୍ନ ପଚାରିବି। କିଛି ମନେ କରିବେ ନାହିଁ। ଜଣେଜଣେ ବିଖ୍ୟାତ ସାହିତ୍ୟିକ, ଶିଳ୍ପୀ ବା ସଙ୍ଗୀତଜ୍ଞ ସେମାନଙ୍କ ପ୍ରତିଭା ଦ୍ୱାରା ଆମକୁ ମୁଗ୍ଧ କରନ୍ତି। ମୁଁ ଆଶା କରୁଥାଏ ଯେ ସେମାନେ ସତ୍ୟବାଦୀ, ଉଦାର ଏବଂ ମହତ୍ ହୋଇଥିବେ; କିନ୍ତୁ ଦଶବର୍ଷ କାଳ ବଡ଼ ବଡ଼ ସହରରେ ଜୀବନ ବିତାଇବା ଭିତରେ ସେଭଳି କୋଡ଼ିଏ ସରିକି ବିଖ୍ୟାତଗୁଣୀ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସମ୍ପର୍କରେ ଆସି ହତାଶ ହୋଇଛି। ସେମାନେ ନିହାତି ମାମୁଲି ମଣିଷ। ଏହା କିପରି ସମ୍ଭବ ?
“ଉତ୍ତର ପ୍ରତ୍ୟାଶୀ”
ଉତ୍ତର: ଆପଣ ଯେମିତି ପ୍ରତିଭାବନ୍ତ ସାହିତ୍ୟିକ, ଶିଳ୍ପୀ ଓ ସଙ୍ଗୀତଜ୍ଞଙ୍କ ସମ୍ପର୍କରେ ଆସିଛନ୍ତି, ସେମିତି କେହିକେହି ସତ୍ୟବାଦୀ, ଉଦାର ଏବଂ ମହତ୍ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ଆସିଥିବେ। ସେ ମହତ୍ ବ୍ୟକ୍ତିବର୍ଗ ସାହିତ୍ୟିକ, ଶିଳ୍ପୀ ଓ ସଙ୍ଗୀତଜ୍ଞ ହୋଇନଥିବାରୁ ଆପଣ ହତାଶ ହୋଇଛନ୍ତି କି ? ତେବେ ?
ଏତକ ପଚାରି ଆପଣଙ୍କୁ ଗୋଟାଏ ବାସ୍ତବତା ସୂଚାଇଦେବା ସଙ୍ଗେସଙ୍ଗେ ମୁଁ କିନ୍ତୁ ସ୍ୱୀକାର କରୁଛି ଯେ ଆପଣଙ୍କ ପ୍ରତ୍ୟାଶାରେ ଯଥାର୍ଥତା ରହିଥିଲା। ସାହିତ୍ୟ, ଶିଳ୍ପକଳା, ସଙ୍ଗୀତ – ଏସବୁ ମହତ୍ ଗୁଣ। ଯାହାଠାରେ ଏସବୁ ଗୁଣ ଥିବ, ସେ ମହତ୍ ହୋଇଥିବ – ଆପଣଙ୍କର ଏଭଳି ଧାରଣା ଅସ୍ୱାଭାବିକ ନୁହେଁ, କିନ୍ତୁ ପ୍ରକୃତିର ବୈଚିତ୍ର୍ୟ ଦେଖନ୍ତୁ: ପଙ୍କରୁ ବି ପଦ୍ମ ବିକଶିତ ହୋଇପାରେ। ରୁକ୍ଷ ଶିଳା ରନ୍ଧ୍ରରୁ ଫୁଟି ବାହାରିଥାଏ କୋମଳ ଗୁଳ୍ମ। ବାସ୍ତବିକ, ସୃଜନ ଲୀଳାରେ ମାନସିକ ଯୁକ୍ତିର ସ୍ଥାନ ସାମାନ୍ୟ। ଜଣେ ଦୁରାଚାରୀ ଘରେ ଜଣେ ଭାବୀ ସନ୍ଥ ଜନ୍ମଗ୍ରହଣ କରିପାରନ୍ତି; ଜଣେ ସନ୍ଥଙ୍କ ସନ୍ତାନ ଦୁରାଚାରୀ ହୋଇପାରେ। କଥା ହେଲା, ଅସାଧାରଣ ସୃଜନୀ ପ୍ରେରଣା କୌଣସି ଅଜ୍ଞାତ କାରଣରୁ ଜଣେଜଣେ ସାଧାରଣ ବ୍ୟକ୍ତିର ଚେତନା ଭିତରକୁ ଏକ ଧାରା ଭଳି ବହମାନ ହୋଇଆସେ। ଯେଉଁ ସମୟରେ ଜଣେ ସଂଗୀତଜ୍ଞ ଗୋଟାଏ ଶାସ୍ତ୍ରୀୟ ରାଗର ପ୍ରେରଣା-ନିଃଶୃତ ସଙ୍ଗୀତ ରଚନା କରିବାରେ ନିମଜ୍ଜିତ ଥିବ, ସେତେବେଳେ ସେ ଅସାଧାରଣ। ସେ ସମୟତକ ବିତିଯିବା ପରେ ସେ କିନ୍ତୁ ଜଣେ ସାଧାରଣ ମଣିଷ। ସେ ଜଣେ ଉତ୍ତମ ମଣିଷ ହୋଇଥାଇପାରେ– ପୃଥିବୀରେ ଅନେକ ଉତ୍ତମ ମଣିଷ ଅଛନ୍ତି – କିନ୍ତୁ ସେ ଜଣେ କଳାକାର ବୋଲି ଉତ୍ତମ ମଣିଷ ହେବ, ଏହା ଆମେ ଆଶା କରିପାରିବା ନାହିଁ। ସେ ଜଣେ ମାମୁଲି ମଣିଷ ଭାବରେ ହିଁ ରହିପାରେ ଏବଂ ଦୁଇଟି ବିପଦ ମଧ୍ୟ ବରଣ କରିପାରେ। ପ୍ରଥମତଃ ତା’ ଚେତନାର ଏକ ବାତାୟନ ପ୍ରେରଣାର ଅବତରଣ ନିମନ୍ତେ ଉନ୍ମୋଚିତ ଥାଏ। ପ୍ରେରଣା ସର୍ବଦା ଆସେ ନାହିଁ। ସେହି ଉନ୍ମୋଚିତ ବାତାୟନ ଦେଇ ଅନ୍ୟ ବେଳେ ଅବାଞ୍ଛିତ ଶକ୍ତି ପଶିଆସି ତା’ ଜୀବନଶୈଳୀର ଭାରସାମ୍ୟରେ ବିଭ୍ରାଟ ସୃଜିପାରନ୍ତି। ଦ୍ୱିତୀୟ ବିପଦ, ତା’ ସୁନ୍ଦର କଳାର ପ୍ରଶଂସାକୁ ତା’ର ଅସୁନ୍ଦର ଅହଂସତ୍ତା ଆତ୍ମସାତ୍ କରିନେଇପାରେ। ଅହଂକାର ଓ ମୂଢ଼ତା ଯାଆଁଳା ଭାଇ।
ତେବେ ଏ ଲେଖକ ମନରେ ଗୋଟାଏ ସନ୍ଦେହ ରହିଯାଉଛି (ଏହା ମୋଚନ କରିବା ଦିଗରେ ଚେଷ୍ଟା କରିବାରୁ ଆପଣଙ୍କୁ ଛୁଟି ଦେଉଛି); ଆପଣ ମାତ୍ର ଦଶବର୍ଷ ଭିତରେ କୋଡ଼ିଏ ଜଣ ସରିକି ବିଖ୍ୟାତ ଗୁଣୀ ବ୍ୟକ୍ତିଙ୍କୁ ଭେଟିଛନ୍ତି। ଏ ସଂଖ୍ୟା କମ୍ ନୁହେଁ। କିନ୍ତୁ ସେମାନେ ସଭିଏଁ ପ୍ରକୃତରେ ସୃଜନୀ-ପ୍ରେରଣା-ଚାଳିତ ଗୁଣୀ ନା ସେ ତାଲିକାରୁ ଅନେକେ ଖାଲି ବିଖ୍ୟାତ ମାତ୍ର ? ସେ ଯାହା ହେଉ, କୋଡିଏ ଜଣ ଆପଣଙ୍କୁ ହତାଶ କରିଥିଲେ ବି ଏକବିଂଶ ବା ଦ୍ୱାବିଂଶ ଜଣକ ଆପଣଙ୍କୁ ହତାଶ ନ କରିପାରନ୍ତି। ତେବେ ହତାଶ ନ ହେବାର ନିରାପଦ ଉପାୟ ହେଲା, ପ୍ରତିଭାବାନର ଅବଦାନ ସ୍ୱୀକାର କରି ସେଥିରେ ସନ୍ତୁଷ୍ଟ ରହିବା, ତ’ଠାରୁ ଅନ୍ୟ କିଛି ଆଦର୍ଶ ଆଶା କରିବାରୁ ବିରତ ରହିବା।
email: queriesandresponses@gmail.com

Facebook Comments

READ  ଭୋଟର ସ୍ବାସ୍ଥ୍ୟଚିନ୍ତା