ଜୀବନ ହାରିଲେ ଆଉ ଜଣେ ଚାଷୀ

0

ପାଇକମାଲ: ଚାଷ ଉଜୁଡ଼ିଗଲା, ଫସଲ ବୀମା ବି ମିଳିଲାନି। ଦୁଇ ପର୍ଯ୍ୟାୟରେ ଚାଷୀଙ୍କ ବୀମା ଟଙ୍କା ଆସିଥିବା ବେଳେ ତାଲିକାରେ ପାଇକମାଲ ବ୍ଲକ ମାଣ୍ଡିଆଢ଼ିପା ପଞ୍ଚାୟତ ମୁଣ୍ଡେଲା ଗ୍ରାମର ଉପେନ୍ଦ୍ର ବାଗ(୫୦)ଙ୍କ ନାମ ନଥିଲା। ଫଳରେ ଚିନ୍ତାରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଉପେନ୍ଦ୍ର। ଆଜି ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଉପେନ୍ଦ୍ର ବୀମା ଟଙ୍କା ପାଇଁ ସବୁବେଳେ ବିଭିନ୍ନ ଆନ୍ଦୋଳନ, ବିଭିନ୍ନ କାର୍ଯ୍ୟାଳୟକୁ ଧାଉଁଥିଲେ। ସେ ତିନି ଏକର ଚାଷ ପାଇଁ ପାଇକମାଲ ସମବାୟ ସମିତିରୁ ୩୮ ହଜାର ୫୮୫ ଟଙ୍କା ଏବଂ ମହାଜନୀ ଠାରୁ ୩୦ ହଜାର ଟଙ୍କା ଋଣ କରିଥିଲେ। ତେବେ ବୀମା ଟଙ୍କା ମିଳିଗଲେ ସବୁ ଋଣତକ ପରିଶୋଧ କରିଦେବାକୁ ସେ ବୀମା ଟଙ୍କା ଚାହିଁ ରହିଥିଲେ। କିଛିଦିନ ତଳେ ପାଇକମାଲ ସେବା ସମିତିକୁ ୧୬୩୬ଜଣ ଚାଷୀଙ୍କ ବୀମା ଟଙ୍କା ଆସିଥିଲା ବେଳେ ୬୯ଜଣ ଚାଷୀଙ୍କ ବୀମା ଟଙ୍କା ଆସି ନ ଥିଲା। ତେବେ ପୁଣି ଗତକାଲି ବଞ୍ଚିତ ୬୯ଜଣ ଚାଷୀଙ୍କ ମଧ୍ୟରୁ ୨୦ଜଣ ଚାଷୀଙ୍କ ବୀମା ଟଙ୍କା ଆସିଥିଲା। କିନ୍ତୁ ସେଥିରେ ମଧ୍ୟ ଉପେନ୍ଦ୍ରଙ୍କ ନାମ ନ ଥିଲା। ଏହାପରେ ସେ ସମ୍ପୂର୍ଣ୍ଣ ରୂପେ ବୀମା ଆଶା ଛାଡ଼ିଦେଇ ଅଧିକ ଚିନ୍ତାଗ୍ରସ୍ତ ଥିଲେ। ଶୁକ୍ରବାର ସେ ଗୁରୁତର ଅସୁସ୍ଥ ଅନୁଭବ କରି ପରିବାରବର୍ଗଙ୍କୁ ‘ମତେ ବୁର୍ଲା ଡାକ୍ତରଖାନା ନିଅ’ ବୋଲି କହିଥିଲେ। ପରିବାରବର୍ଗ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇଥିବା ବେଳେ ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅ କିଛି କାମ ଧନ୍ଦା କରୁନଥିବାରୁ ସେ ସବୁବେଳେ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ। ଏଣେ ଶସ୍ୟବୀମା ଟଙ୍କା ମିଳୁ ନ ଥିବାରୁ ଚିନ୍ତା ବଢ଼ି ବଢ଼ି ଚାଲିଥିଲା। ତାଙ୍କ ପୁଅ ମନୋଜଙ୍କ କହିବା ଅନୁସାରେ ବାପା ବୀମା ଟଙ୍କା ନ ପାଇବାରୁ ହତାଶ ହୋଇ ହଠାତ୍‍ ଅସୁସ୍ଥ ହୋଇପଡ଼ିଥିଲେ। ଆମେ ତାଙ୍କୁ ବୁର୍ଲା ନେଇଥିଲୁ, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ମୃତ ଚାଷୀଙ୍କ ପରିବାରକୁ ଶୀଘ୍ର ଶସ୍ୟବୀମା ଟଙ୍କା ସହ ତାଙ୍କର ସବୁ ଋଣ ଛାଡ଼, ୧୦ଲକ୍ଷ ଟଙ୍କାର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଚାରିମାସରୁ ଊର୍ଦ୍ଧ୍ବ ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପାଇବା ପାଇଁ ବରଗଡ଼ ଜିଲାର ଚାଷୀ ଆନ୍ଦୋଳନ କରିଆସୁଛି। ୨୮ ତାରିଖରେ ବୀମା ରାଶି ଦାବିରେ ବରଗଡ଼ ଜିଲା ପାଇକମାଲ ବ୍ଲକ ପସଲଦା ସେବା ସମିତିରେ ଆନ୍ଦୋଳନ କରୁଥିବା ଚାଷୀ ଗୋବିନ୍ଦ ବିଶ୍ୱାଳ (୫୦)ସନ୍ଧ୍ୟାରେ ଘରକୁ ଯାଇ ଝିଅର ହାତରୁ ପାଣି ଟିକିଏ ପିଇ ମୃତ୍ୟୁମୁଖରେ ପଡ଼ିଥିଲେ। ଆଜି ଆଉଜଣେ ଚାଷୀ ପାଇକମାଲ ବ୍ଲକ ମାଣ୍ଡିଆଢ଼ିପା ପଞ୍ଚାୟତ ମୁଣ୍ଡେଲା ଗ୍ରାମର ଉପେନ୍ଦ୍ର ବାଗ ବୀମା ଚିନ୍ତାରେ ମୃତ୍ୟୁମୁଖରେ ପଡ଼ିଥିବା ଜଣାପଡ଼ିଛି।

Leave A Reply