ଗୋଆରେ ବିଜେପି ସାଧାରଣ ସମ୍ପାଦକ ରାମଲାଲ ଓ ବି.ଏଲ୍‍ ସନ୍ତୋଷ

0

ପାଣାଜି : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାବେଳେ ବିଜେପି ପକ୍ଷରୁ ତାଙ୍କର ବିକଳ୍ପ ସନ୍ଧାନ ଆରମ୍ଭ ହୋଇଛି। ପାରିକର ସମ୍ପ୍ରତି ଦିଲ୍ଲୀ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଚିକିତ୍ସାଧୀନ ଅଛନ୍ତି। ରବିବାର ବିଜେପି ସାଧାରଣ ସମ୍ପାଦକ ରାମ ଲାଲ ଓ ବି.ଏଲ ସନ୍ତୋଷ ପାଣାଜିରେ ପହଞ୍ଚି ଦଳୀୟ ନେତାଙ୍କ ସହ ପାରିକରଙ୍କ ଉତ୍ତରାଧିକାରୀ ବାଛିବା ନେଇ ଆଲୋଚନା କରିଛନ୍ତି। ଏଥିସହିତ ସେମାନେ ମେଣ୍ଟ ସରକାରର ଅଂଶୀଦାର ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି(ଏମ୍‍ଜିପି) ଓ ଗୋଆ ଫରୱାର୍ଡ ପାର୍ଟି(ଜିଏଫ୍‍ପି) ନେତାଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।
ଏ ସମ୍ପର୍କରେ ବିଧାନସଭାର ଉପବାଚସ୍ପତି ତଥା ବିଜେପି ନେତା ମାଇକେଲ ଲୋବୋ ସୂଚନା ଦେଇଛନ୍ତି ଯେ ଦୁଇ ଦଳଙ୍କୁ ବିଜେପି ସହିତ ମିଶାଇବା ସମ୍ପର୍କରେ କଥାବାର୍ତ୍ତା ଚାଲିଛି। ବିଧାନସଭାରେ ବିଜେପିର ସଂଖ୍ୟା ୧୪ ଥିବାବେଳେ ଏହାକୁ ଅନ୍ୟୂନ ୧୭କୁ ବୃଦ୍ଧି କରାଯିବା ଉପରେ ପ୍ରାଥମିକତା ଦିଆଯାଉଛି। ଏହା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମନୋନୟନ କରାଯିବ ବୋଲି ଲୋବୋ କହିଛନ୍ତି। ଏ ସମ୍ପର୍କରେ ଜିଏଫ୍‍ପି ମୁଖ୍ୟ ବିଜୟ ସରଦେଶାଇଙ୍କଠାରୁ କୌଣସି ଜବାବ ମିଳିପାରି ନଥିବାବେଳେ ଏମ୍‍ଜିପି ମୁଖ୍ୟ ଦୀପକ ଦାଭଲିକର ବିଜେପି ସହିତ ମିଶ୍ରଣକୁ ଅସ୍ୱୀକାର କରିଛନ୍ତି। ରାଜ୍ୟରେ ତାଙ୍କ ଦଳର ପ୍ରାୟ ୧୩ ପ୍ରତିଶତ ଭୋଟ ରହିଥିବାବେଳେ ବିଜେପି ସହିତ ମିଶ୍ରଣର ପ୍ରଶ୍ନ ଉଠୁନାହିଁ ବୋଲି ଦୀପକ କହିଛନ୍ତି।
ଉଲ୍ଲେଖଯୋଗ୍ୟ କି ଉପରୋକ୍ତ ଦୁଇ ଦଳର ସଦସ୍ୟ ସଂଖ୍ୟା ଯଥାକ୍ରମେ ୩ ଲେଖାଏଁ ରହିଛି। ସେମାନଙ୍କ ସମର୍ଥନରେ ହିଁ ଗୋଆରେ ବିଜେପି ସରକାର ଗଠନ କରିଛି। ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୪୦ ଥିବାବେଳେ କଂଗ୍ରେସ ସର୍ବବୃହତ୍‍ ଦଳ ଓ ଏହାର ସଦସ୍ୟ ସଂଖ୍ୟା ୧୬ ରହିଛି। ଏନ୍‍ସିପିର ଜଣେ ଓ ତିନି ଜଣ ସ୍ୱାଧୀନ ସଦସ୍ୟ ଅଛନ୍ତି। ଶନିବାର ଏମ୍‍ଜିପି ପକ୍ଷରୁ କୁହାଯାଇଥିଲା କି ‘ଯଥେଷ୍ଟ ହୋଇଗଲାଣି; ଅସୁସ୍ଥ ପାରିକର ଏବେ ମନ୍ତ୍ରିମଣ୍ଡଳର ବରିଷ୍ଠତମ ସଦସ୍ୟଙ୍କ ଦାୟିତ୍ୱ ହସ୍ତାନ୍ତର କରିବା ଉଚିତ।’

Leave A Reply