ଗିରିଶ କର୍ଣ୍ଣାଡ଼: ମୂକଜନତାର ସ୍ବର

ତାଙ୍କ ଆଦର୍ଶ ଓ କାର୍ଯ୍ୟ ଉତ୍ତରପିଢ଼ିକୁ ଅବଶ୍ୟ ଅନୁପ୍ରାଣିତ କରିବ

0
57

ତପନ ମିଶ୍ର

୧୯.୫.୧୯୩୮ – ୧୦.୬.୨୦୧୯

ବହୁମୁଖୀ ପ୍ରତିଭାର ଅଧିକାରୀ ଗିରିଶ କର୍ଣ୍ଣାଡଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଏକାଧାରରେ ଜଣେ ଉଚ୍ଚକୋଟୀର ଲେଖକ, ନାଟ୍ୟକାର, ଅଭିନେତା, ନିର୍ଦେଶକ, ସମାଜ ସଂସ୍କାରକ, ବୁଦ୍ଧିଜୀବୀ ଓ ନିର୍ଭୀକ ସାମାଜିକ-ରାଜନୈତିକ କାର୍ଯ୍ୟକର୍ତ୍ତା ଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ସେ ପରିଣତ ବୟସରେ ତାଙ୍କର ସାରସ୍ବତ ପ୍ରତିଭା ଓ ଲୋକପ୍ରିୟତାକୁୁ ଜନକଲ୍ୟାଣ କାର୍ଯ୍ୟରେ ଆନୁଷ୍ଠାନିକ ଭାବେ ନିୟୋଜିତ କରି ଜଣେ ସାର୍ବଜନିକ ବୁଦ୍ଧିଜୀବୀ (ପବ୍ଲିକ ଇଣ୍ଟେଲେକ୍‌ଚୁଆଲ) ଭାବେ ନିଜକୁ ସ୍ଥାପିତ କରିପାରିଥିଲେ। ତାଙ୍କର ନାଟକ, ସିନେମା ଓ ଲେଖାରେ ଧାର୍ମିକ ମୌଳବାଦ ତଥା କୁସଂସ୍କାର ବିରୋଧରେ ସେ କେବଳ ସ୍ବର ଉଠାଇନଥିଲେ, ମୌଳବାଦ ବିରୋଧରେ ଲଢ଼େଇ କରିବାସହ ବାକ୍‌ ସ୍ବାଧୀନତାର ସୁରକ୍ଷା ପାଇଁ ଏକ ମଞ୍ଚ ଗଢ଼ି ବୃଦ୍ଧାବସ୍ଥାରେ ମଧ୍ୟ କାର୍ଯ୍ୟ କରୁଥିଲେ। ଏଥିପାଇଁ ତାଙ୍କୁ ହତ୍ୟାଧମକ ମିଳିଥିଲେ ମଧ୍ୟ ସେଥିପ୍ରତି ସେ ଭ୍ରୂକ୍ଷେପ କରୁନଥିଲେ।
ଥରେ ସେ କହିଥିଲେ ‘ବିବାଦ ଓ ଧମକ ନେଇ ମୁଁ ବିବ୍ରତ ନୁହେଁ, ଆମ ଗଣତନ୍ତ୍ର ଯଦି ପରିପକ୍ବ ହୋଇଥାଏ ତା’ହେଲେ ଏହା ଆମକୁ ଏକ ପୋଖତ, ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ
ସୁଯୋଗ ଦେବ।’ ସେ ସାଧାରଣ ଜନତାଙ୍କର ପ୍ରିୟଭାଜନ ଥିଲେ ହେଁ ମୌଳବାଦୀ ଓ ଦକ୍ଷିଣପନ୍ଥୀଙ୍କ ଦ୍ବାରା ତୀବ୍ର ସମାଲୋଚିତ ହେଉଥିଲେ। ଏହା ସତ୍ତ୍ବେ ସେ ଥିଲେ ସାଧାରଣ ଜନତାର ମୁଖପାତ୍ର ଓ ମୂକ ଜନତାର ସ୍ବର।
ସେ ତାଙ୍କର ଜୀବନକାଳ ମଧ୍ୟରେ ପଦ୍ମଶ୍ରୀ, ପଦ୍ମଭୂଷଣ, ଜ୍ଞାନପୀଠ ସମେତ ଅନେକ ପୁରସ୍କାର ଓ ସମ୍ମାନ ପାଇଥିଲେ। ତାଙ୍କର ବହୁମୁଖୀ ଅବଦାନ ଦ୍ବାରା ଭାରତର ସାଂସ୍କୃତିକ ଜଗତ ବିଭିନ୍ନ ଭାବେ ପୁଷ୍କଳିତ। ଭାରତର ଉଦାରବାଦୀ ପରମ୍ପରାକୁ ଋଦ୍ଧିମନ୍ତ କରିବାରେ ତାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସେ ଆମ ସାଂସ୍କୃତିକ, ସାମାଜିକ, ଶୈକ୍ଷିକ ଓ ମନୋରଞ୍ଜନ ଦୁନିଆରେ ଦୀର୍ଘକାଳ ଏକ କଲୋସସ୍‌ ପରି ଛିଡ଼ାହୋଇ ରହିଥିଲେ। ଅଳ୍ପରେ ତାଙ୍କ ବହୁମୁଖୀ ଜୀବନର ବର୍ଣ୍ଣନା ସହଜ ନୁହେଁ। ସେ କାର୍ଯ୍ୟ କରୁଥିବା ବିିଭିନ୍ନ କ୍ଷେତ୍ରରେ ଯେଉଁ ସର୍ଜନାତ୍ମକ ଉତ୍କର୍ଷର ମାନ ଛାଡ଼ି ଯାଇଛନ୍ତି ତାକୁ ଅତିକ୍ରମ କରିବା ସହଜ ନୁହେଁ। ଏହା ନିଶ୍ଚୟ ଆମ ପାଇଁ ଏକ ବଳିଷ୍ଠ ବେଞ୍ଚମାର୍କ। ତାକୁ ଅତିକ୍ରମ କରିବାର ଆମର ଲକ୍ଷ୍ୟ ହେବା ଉଚିତ୍‌।
ତାଙ୍କର ଅନେକ ଐତିହାସିକ ନାଟକରେ ଚରିତ୍ରମାନଙ୍କର ଆଗମନ ଓ ବିଦାୟ ସମ୍ପର୍କରେ ଦୂତ ଆସି ସାମୟିକ ଭାବେ ଘୋଷଣା କରିଥାନ୍ତି। ତାଙ୍କ ଜୀବନ ନାଟକରେ ସେମିତି ତାଙ୍କ ବିଦାୟର ଉଦ୍‌ଘୋଷଣା ଗଣମାଧ୍ୟମ କରିଛନ୍ତି। ପରିଣତ ବୟସରେ (୮୧) ବେଙ୍ଗାଲୁରଠାରେ ସେ ଏକ ଅଜ୍ଞାତ ଦୁନିଆକୁ ଚାଲିଯାଇଛନ୍ତି ଯେଉଁଠୁ କେହି କେବେ ଫେରିନଥାଏ। ତାଙ୍କ ଭଳି ପ୍ରତିଭାବାନଙ୍କ ମୃତ୍ୟୁ ଦେଶ ପାଇଁ ନିଶ୍ଚିତ ଏକ ଅପୂରଣୀୟ କ୍ଷତି। ତାଙ୍କ ଆଦର୍ଶ ଓ କାର୍ଯ୍ୟ ଉତ୍ତରପିଢ଼ିକୁ ଅବଶ୍ୟ ଅନୁପ୍ରାଣିତ କରିବ।
ଗୋପବନ୍ଧୁ ଭବନ, ବକ୍ସିବଜାର, କଟକ