କୃଷକଙ୍କ ସର୍ବନିମ୍ନ ଦାବି

ଆତ୍ମହତ୍ୟା ବଦଳରେ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି କୃଷକ

0
120

କିଶୋର ଜେନା

ଦେଶର ୨୨୦ଟି କୃଷକ କ୍ଷେତମଜଦୁର ଓ ସାମାଜିକ ସଂଗଠନକୁ ନେଇ ଗଠିତ ଅଖିଳ ଭାରତ କିଷାନ ସଂଘର୍ଷ ସମିତି ସମ୍ପ୍ରତି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ‌େ​ଘାଷଣା କରି ସ୍ପଷ୍ଟ ଜଣାଇଛନ୍ତି ଯେ, ରାଜନୈତିକ ଦଳର ପ୍ରାର୍ଥୀମାନେ ଗାଁ ଗାଁକୁ ଭୋଟ ମାଗିବାକୁ ଆସିଲେ, ସେମାନଙ୍କଠାରୁ ଏହି ଅଙ୍ଗୀକାର ଆଦାୟ କରିବାକୁ ପଡ଼ିବ- ନିର୍ବାଚନରେ ବିଜୟୀ ହେଲେ ସଂସଦରେ ‘କୃଷକଙ୍କ ଉତ୍ପାଦିତ ଫସଲର ଉଚିତ ଦାମ’ ଓ ‘ନିଶ୍ଚିତ ଋଣମୁକ୍ତି’ ପରି ଦୁଇଟି ଆଇନ ପାରିତ କରିବେ। ଅନ୍ୟଥା ଭୋଟ ମିଳିବ ନାହିଁଁ।
ଦେଶସାରା ଯେତେବେଳେ ଭୟଙ୍କର କୃଷି ସଂକଟରେ ପଡ଼ି ଲକ୍ଷଲକ୍ଷ ଅସହାୟ କୃଷକ ଆତ୍ମହତ୍ୟା କରୁଛନ୍ତି, ସେତେବେଳେ ଏହି ସଂଗ୍ରାମୀ କୃଷକମାନଙ୍କର କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଅଭିନବ। ଏଥର ଆଉ କାହା କଥାରେ ଭୁଲିବାକୁ ଚାହାନ୍ତି ନାହିଁ କୃଷକମାନେ। ଦେଶ ସାରା ବିଭିନ୍ନ ପ୍ରାନ୍ତରେ ଗୋଟିଏ ପରେ ଗୋଟିଏ ଘଟିଛି ପ୍ରବଳ କୃଷକ ବିକ୍ଷୋଭ। ଏହି ମର୍ମରେ ଦୁଇଟି ପୃଥକ ଘରୋଇ ବିଲ୍‌ ବିଗତ ଦିନରେ ସଂସଦରେ ଉତ୍‌ଥାପିତ ହୋଇଥିଲେ ହେଁ ପାରିତ ହୋଇପାରିନଥିଲା। ଫଳରେ ନୂତନ ଲୋକସଭାରେ ଏହି ଆଇନକୁ ପାରିତ କରିବାକୁ କୃଷକ ସମାଜ ଦାବି ଉପସ୍ଥାପନ କରିଛନ୍ତି।
ସ୍ବାଧୀନତା ପରଠାରୁ ଏ ଦେଶର କୃଷିକ୍ଷେତ୍ରରେ ତଥା ଖାଦ୍ୟ ଉତ୍ପାଦନକୁ ସ୍ବନିର୍ଭରଶୀଳ କରିବାର ଯେଉଁ ସ୍ବପ୍ନ ଆରମ୍ଭ ହୋଇଥିଲା ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ହାତଗଣତି କେତେଜଣ ବଡ଼ଚାଷୀଙ୍କୁ ଛାଡ଼ିଦେଲେ ବିପୁଳ ସଂଖ୍ୟକ କୃଷକଙ୍କ କୃଷିକାର୍ଯ୍ୟ ବ୍ୟାପକ କ୍ଷତି ସହୁଛି। କୃଷକମାନଙ୍କ କ୍ଷତି ଯୋଗୁଁ ଖାଦ୍ୟ ଉତ୍ପାଦନ ବ୍ୟବସ୍ଥା ଧ୍ବଂସ ହେବାର ଆଶଙ୍କା ଦେଖାଦେଇଛି। ଏକ ଦିଗରେ ଏ ଦେଶର କୃଷକ ତା’ର ଉତ୍ପାଦିତ ଫସଲର ଦାମ୍‌ ନ ପାଇ ଚାଷ ପ୍ରତି ଉତ୍ସାହ ଦେଖାଉ ନାହାନ୍ତି। ଅନ୍ୟଦିଗରେ କ୍ଷତିରେ ଜର୍ଜରିତ ହୋଇ କୃଷକମାନେ ଆତ୍ମହତ୍ୟା କରୁଛନ୍ତି। କୃଷି କ୍ଷେତ୍ର ହେଉଛି ଦେଶର କର୍ମସଂସ୍ଥାନର ସବୁଠାରୁ ବଡ଼କ୍ଷେତ୍ର। ଏହି କ୍ଷେତ୍ରଟି ସାରା ଦେଶକୁୁ ଖାଦ୍ୟ ଯୋଗାଏ। ଏ ଦେଶର କୃଷି ବ୍ୟବସ୍ଥା ଧ୍ବଂସ ହୋଇଗଲେ, କେବଳ କୃଷକ ଓ କ୍ଷେତମୂଲିଆ ନୁହଁନ୍ତି, ଅଦୂର ଭବିଷ୍ୟତରେ ଦେଶବାସୀ ନିଶ୍ଚିତ ବିପଦର ମୁହଁରେ ପଡ଼ିବେ। କିଛିମାସ ପୂର୍ବେ, ଖୋଦ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଯାଇ ସ୍ବୀକାର କରିଛନ୍ତି ଯେ, ଗତ ଚାରିବର୍ଷରେ ପ୍ରଧାନତଃ କୃଷିଜନିତ କ୍ଷତି ଏବଂ ଋଣରେ ଭାରାକ୍ରାନ୍ତ ହୋଇ ୪୮ ହଜାର କୃଷକ ଆତ୍ମହତ୍ୟା କରିଛନ୍ତି।
ସ୍ବାମୀନାଥନ କମିସନର ସୁପାରିସ ଅନୁସାରେ ଧାନର ପ୍ରତି କୁଇଣ୍ଟାଲ ସଂଗ୍ରହ ମୂଲ୍ୟ ହେବା କଥା ୨୨୨୬ଟଙ୍କା, କିନ୍ତୁ ଏହା ଏବେ ଅଛି କୁଇଣ୍ଟାଲ ପିଛା ୧୭୫୦ଟଙ୍କା। ପ୍ରତି କୁଇଣ୍ଟାଲରେ ୪୭୬ଟଙ୍କା କମ୍‌। ୧୪ଟି ଫସଲ ମଧ୍ୟରୁ ବାଜରା ଛଡ଼ା ପ୍ରାୟ ଆଉ ସବୁ ଫସଲରେ ସ୍ବାମୀନାଥନ କମିସନର ସୁପାରିସଠାରୁ କମ୍‌ ସଂଗ୍ରହ ମୂଲ୍ୟ ଘୋଷଣା କରାଯାଇଛି। ପ୍ରତିବର୍ଷ ବଜେଟରେ କର୍ପୋରେଟ ସଂସ୍ଥାଗୁଡ଼ିକ ପାଇଁ ବିପୁଳ ପରିମାଣର କରଛାଡ଼ ଘୋଷଣା କରାଯାଉଛି। କେବଳ କର୍ପୋରେଟ ଓ ବୃହତ୍‌ ବ୍ୟବସାୟୀଙ୍କ ଉପରେ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ ପଡ଼ିରହିଛି ୧୦ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ। ଅପରପକ୍ଷରେ ବିପୁଳ ସଂଖ୍ୟକ ଗରିବ କୃଷକ ଓ ଭାଗଚାଷୀଙ୍କ ପାଇଁ ବ୍ୟାଙ୍କମାନେ କଠୋର ହେଉଥିବା ଦେଖାଯାଉଛି।
କୃଷି ବିଶେଷଜ୍ଞମାନେ ଏ ସମ୍ପର୍କରେ ଏକମତ ଯେ ସରକାରୀ ବିନିଯୋଗ ନ ବଢ଼ିଲେ ଭାରତରେ କୃଷି କ୍ଷେତ୍ରକୁ ବଞ୍ଚାଇବାର କୌଣସି ଆଶା ନାହିଁ। କିନ୍ତୁ କର୍ପୋରେଟମୁଖୀ ନୀତି ଯୋଗୁଁ ପ୍ରକୃତ ଅର୍ଥରେ କୃଷିରେ ବରାଦ କମିଛି। ଫଳରେ ୨୦୨୨ ମଧ୍ୟରେ କୃଷକର ଆୟ ଦ୍ବିଗୁଣ କରିବା କଥା ଯାହା କୁହାଯାଉଛି ତାହା ବାସ୍ତବବାଦୀ ନୁହେଁ ବୋଲି ଜଣାପଡ଼ୁଛି। କୃଷକଙ୍କ ଆୟ ବୃଦ୍ଧିର ହାର କମିଆସିଛି ମାତ୍ର ୨.୬୭ ପ୍ରତିଶତକୁ। ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ ଗ୍ରାମୀଣ ମଜୁରି ବଢ଼ିଛି ମାତ୍ର ୦.୫ ପ୍ରତିଶତ। ତଥ୍ୟ କହୁଛି ୨୦୧୪ ଡିସେମ୍ବରଠାରୁ ୨୦୧୮ ଡିସେମ୍ବର ମାସ ପର୍ଯ୍ୟନ୍ତ ବାର୍ଷିକ ମଜୁରି ବୃଦ୍ଧିର ହାର ଥିଲା ୪.୭ ପ୍ରତିଶତ। ଏହି ସମୟରେ ୪.୨ ପ୍ରତିଶତ ମୁଦ୍ରାସ୍ଫୀତିକୁ ହିସାବ ମଧ୍ୟରେ ଧରିଲେ ପ୍ରକୃତ ବୃଦ୍ଧିର ହାର ହେବ ୦.୫ ପ୍ରତିଶତ।
ନୋଟ ଅଚଳ ଯୋଗୁ ମାରାତ୍ମକ ନେତିବାଚକ ପ୍ରଭାବ ପଡ଼ିଛି କୃଷି କ୍ଷେତ୍ରରେ। ରାଷ୍ଟ୍ରୀୟ କୃଷି ବୀମା ଯୋଜନାରୁ ମଧ୍ୟ ଚାଷୀମାନେ ସେତେଟା ଉପକୃତ ହୋଇଥିବା ଦେଖାଯାଉନାହିଁ। ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ପ୍ରାୟ ଆଠଟି ସଂସ୍ଥା ପାଖରେ କୃ​‌ଷି ବୀମା ବାବଦରେ କେନ୍ଦ୍ର ଓ ରାଜ୍ୟର ସରକାରମାନେ ଜମା କରିଛନ୍ତି ୨୧,୫୦୦କୋଟି ଟଙ୍କା। ଅଥଚ ଫସଲର କ୍ଷତିପୂରଣ ବାବଦରେ କୃଷକମାନେ ପାଇଛନ୍ତି ମାତ୍ର ୭୧୪.୧୪ କୋଟି ଟଙ୍କା। ଏହା ସହ ‘କୃଷିଋଣ’ର ସଂଜ୍ଞା ମଧ୍ୟ ବଦଳାଇ ଦିଆଯାଇଛି। ଫଳରେ କୃଷି କ୍ଷେତ୍ର ପାଇଁ ବ୍ୟୟବରାଦ ଋଣର ଅଧିକାଂଶ ଭାଗ ଅଣକୃଷକ ଓ କର୍ପୋରେଟଙ୍କ ପକେଟକୁ ଚାଲିଯାଉଛି।
ଜନଗଣନାର ତଥ୍ୟ ଜଣାଇଛି, ୨୦୦୧ରୁ ୨୦୧୧ ମଧ୍ୟରେ ୬୦ଲକ୍ଷ କୃଷକ ଚାଷ ଛାଡ଼ିଛନ୍ତି। ଏହି ସମୟରେ ନୂଆକରି କ୍ଷେତମୂଲିଆରେ ପରିଣତ ହୋଇଛନ୍ତି ୩କୋଟି ୭୫ଲକ୍ଷ କୃଷକ, ବୃଦ୍ଧିର ହାର ୩୫ ପ୍ରତିଶତ। ଦିଲ୍ଲୀର ‘ଦି ସେଣ୍ଟର ଫର୍‌ ଷ୍ଟଡି ଅଫ୍‌ ଡେଭଲପିଙ୍ଗ ସୋସାଇଟି’ (ସିଏସଡିଏସ)ର ସାମ୍ପ୍ରତିକ ସମୀକ୍ଷା ଦର୍ଶାଇଛି, ଏବେ ଦେଶର ୭୫ ପ୍ରତିଶତ କୃଷକ କହିଛନ୍ତି, ଅନ୍ୟ କୌଣସି କାମ ପାଇଲେ ସେମାନେ ଚାଷ ଛାଡ଼ିଦେବେ। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର କଥା ଶୁଣିନାହାନ୍ତି ୬୨ ପ୍ରତିଶତ କୃଷକ। ତେଣୁ ଆତ୍ମହତ୍ୟା ବଦଳରେ ଏଥର ଏକତ୍ରିତ ହୋଇଛନ୍ତି ଦେଶର ପ୍ରାୟ ସବୁ କୃଷକ ସଂଗଠନ।
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର,
ଚାଉଳିଆଗଞ୍ଜ, କଟକ