ଅନୁଦାର ଗଣତନ୍ତ୍ରର ପୃଥିବୀ

0
71

୨୦୧୪ରେ ଦ୍ବିତୀୟ ଥର ନିର୍ବାଚିତ ହେବାପରେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ମିହାଲି ଓର୍ବାନ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ‘‘ମୋ ଦଳ ‘ଫିଡ୍‌ଜ’ର ମୂଳ ଉଦ୍ଦେଶ୍ୟ ହଙ୍ଗେରୀକୁ ଏକ ‘ଇଲିବରାଲ ଷ୍ଟେଟ୍’ ବା ‘ଅନୁଦାର ରାଷ୍ଟ୍ର’ରେ ପରିଣତ କରିବା, ଯାହା ସ୍ବାଧୀନତା ପରି ଉଦାରବାଦର ମୌଳିକ ସିଦ୍ଧାନ୍ତକୁ ହତାଦର କରିବ ନାହିଁ, କିନ୍ତୁ ଏହାକୁ ରାଷ୍ଟ୍ର ପରିଚାଳନା ପାଇଁ ମୁଖ୍ୟ ଉପାଦାନ ଭାବେ ମଧ୍ୟ ଗ୍ରହଣ କରିବ ନାହିଁ।’’ ଓର୍ବାନଙ୍କ ମତରେ, ତାଙ୍କ ‘ଅନୁଦାର ଗଣତନ୍ତ୍ର’ (ଇଲିବରାଲ୍ ଡେମୋକ୍ରେସି) ସଂଖ୍ୟାଲଘୁ ସହିଷ୍ଣୁତାକୁ ହେୟ ମନେକରେ, ବହୁସଂଖ୍ୟକବାଦ, ରାଷ୍ଟ୍ରବାଦ ଓ ବିଚ୍ଛିନ୍ନତାବାଦରେ ବିଶ୍ବାସ କରେ, ‘ଯାଞ୍ଚ/ପରଖ ଓ ଭାରସାମ୍ୟ’କୁ ଅଗ୍ରାହ୍ୟ କରେ।
ଦକ୍ଷିଣପନ୍ଥୀ ଓର୍ବାନ କାହିଁକି ହଙ୍ଗେରୀକୁ ‘ଅନୁଦାର ଗଣତନ୍ତ୍ର’ରେ ପରିଣତ କରିବାକୁ ଚାହିଁଲେ? କାହିଁକିନା ତାଙ୍କ ଦେଶକୁ ସେ ଭାରତ, ସିଙ୍ଗାପୁର, ରୁଷିଆ, ତୁର୍କୀ ଓ ଚୀନ ପରି ‘ସଫଳ’ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ଚାହାନ୍ତି, ଯେଉଁଗୁଡ଼ିକ, ତାଙ୍କ ଭାଷାରେ, ‘‘ଆଦୌ ଉଦାରବାଦୀ ନୁହନ୍ତି, ଏପରିକି କେତେକ ଗଣତାନ୍ତ୍ରିକ ବି ନୁହନ୍ତି’’। ଏହା ପରଠୁ ସେ ନିଜର ଓ ଦଳର ଉଦ୍ଦେଶ୍ୟ ସାଧନରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଓର୍ବାନ ସତକୁ ସତ ଦେଶର ସମ୍ବିଧାନକୁ ମଧ୍ୟ ନିଜ ମତାଦର୍ଶକୁ ସୁହାଇଲା ଭଳି ସଂପୂର୍ଣ୍ଣ ବଦଳାଇ ସାରିଛନ୍ତି, ଯାହାଦ୍ବାରା ତାଙ୍କ ସ୍ବପ୍ନର ଏକ ‘ଅନୁଦାର ଗଣତନ୍ତ୍ର’ ଗଢ଼ିହେବ।
୨୦୧୮ରେ ପୁନଃନିର୍ବାଚିତ ହୋଇଥିବା ଓର୍ବାନ ବିଶ୍ବର ପ୍ରଥମ ଶୀର୍ଷ ରାଜନେତା ଯିଏ ‘ଇଲିବରାଲ୍ ଡେମୋକ୍ରେସି’ ଶବ୍ଦ (ପ୍ରଥମେ ନବେ ଦଶକରେ ଏହାକୁ ସାମ୍ବାଦିକ ଫରିଦ ଜାକାରିଆ ଏକ ପ୍ରବନ୍ଧରେ ଉଲ୍ଲେଖ କରିଥିଲେ) ବ୍ୟବହାର କରିବା ସହ ତା’ର ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ କରିଛନ୍ତି; ତେବେ ସେ ଏକ ଉଦାର ରାଷ୍ଟ୍ରକୁ ଅନୁଦାର ରାଷ୍ଟ୍ରରେ ପରିଣତ କରିବାକୁ ଉଦ୍ୟମରତ ପ୍ରଥମ ନେତା ନୁହନ୍ତି। ୧୯୯୦ ପରଠାରୁ, ବିଶେଷତଃ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ବର ବହୁ ଦେଶରେ ଏପରି ଅନେକ ନେତୃତ୍ବର ଆବିର୍ଭାବ ଘଟିଛି, ଯାହାଙ୍କ ଲକ୍ଷ୍ୟ/ଉଦ୍ଦେଶ୍ୟ/ସିଦ୍ଧାନ୍ତ ଅଳ୍ପେବହୁତେ ଓର୍ବାନଙ୍କ ଅନୁରୂପ। ଆଇସ୍‌ଲାଣ୍ଡ, ମେକ୍ସିକୋ, ନିଉଜିଲାଣ୍ଡ, ଦକ୍ଷିଣ କୋରିଆ, ସ୍ପେନ ଓ ଉରୁଗୁଏ ଭଳି ଅଳ୍ପ କେତେକ ରାଷ୍ଟ୍ରକୁ ଛାଡ଼ିଦେଲେ ବର୍ତ୍ତମାନ ଇଉରୋପିଆନ ୟୁନିଅନ(ଇୟୁ)ର ଅଧିକାଂଶ ଦେଶ, ଆମେରିକା, ଲାଟିନ ଆମେରିକା ଓ ଏସିଆର ଅନେକ ରାଷ୍ଟ୍ରରେ ଦକ୍ଷିଣପନ୍ଥୀ ଶକ୍ତି ନିଜର ପ୍ରଭାବ ବିସ୍ତାର କରିବାରେ ସମର୍ଥ ହୋଇଛନ୍ତି। ଏହାକୁ ଏକବିଂଶ ଶତାବ୍ଦୀର ବିଶ୍ବ ରାଜନୀତିରେ ଏକ ପଟ ପରିବର୍ତ୍ତନର ବେଳ କୁହାଯାଇପାରେ। ନିକଟ ଅତୀତରେ ଅନୁଷ୍ଠିତ ବିଶ୍ବର ଦୁଇଟି ବୃହତ୍ତମ ସଂସଦୀୟ ନିର୍ବାଚନ- ୨୮ ଦେଶ ବିଶିଷ୍ଟ ଇୟୁ ଏବଂ ୯୦ କୋଟି ମତଦାତା ଥିବା ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାରତବର୍ଷରେ ଦକ୍ଷିଣପନ୍ଥୀ, ଉଗ୍ର ରାଷ୍ଟ୍ରବାଦୀ ଶକ୍ତିର ବିପୁଳ ବିଜୟ ପାଶ୍ଚାତ୍ୟ ଅବଧାରଣାର ଉଦାରବାଦୀ ଗଣତନ୍ତ୍ରକୁ ଧୂଳିସାତ୍ କରିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
କେତେକ ଉଦାହରଣ ଦେଖନ୍ତୁ। ସାଧାରଣ ନିର୍ବାଚନର ଅଳ୍ପକେଇ ମାସ ତଳେ ଗଠିତ ବ୍ରେକ୍‌ଜିଟ୍ ପାର୍ଟିର ନାଇଜେଲ୍ ଫାରେଜ୍ ବ୍ରିଟେନରେ ୩୧ ଶତାଂଶରୁ ଅଧିକ ଭୋଟ ପାଇ ସଭିଙ୍କୁ ଚମକାଇ ଦେଲେ। ଲେବର ପାର୍ଟି ୧୪ ଶତାଂଶ ଭୋଟ ହାସଲ କରିପାରିଥିବାବେଳେ ପ୍ରଧାନମନ୍ତ୍ରୀ ଟେରେଜା ମେ’ଙ୍କ ଟୋରିଜ୍ ପଞ୍ଚମ ସ୍ଥାନରେ ରହି ଐତିହାସିକ ପରାଜୟ ବରଣ କଲା। ଫାରେଜ୍ ହେଉଛନ୍ତି ଜଣେ ‘ପପୁଲିଷ୍ଟ୍’ (ଏ ଶବ୍ଦର ବ୍ୟାପକ ଅର୍ଥ ଥିଲେ ହେଁ ସାଧାରଣତଃ ଜନସମର୍ଥନ ହାସଲ ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ନିଜକୁ ଅଭିଜାତବର୍ଗଙ୍କ ବିରୋଧୀ ଏବଂ ସାଧାରଣ ଲୋକଙ୍କ ଅନୁରୂପ/ସାଥୀ ବୋଲି ପ୍ରଦର୍ଶିତ କରୁଥିବା ବ୍ୟକ୍ତିକୁ ପପୁଲିଷ୍ଟ୍ କୁହାଯାଉଛି; ଏହା ‘ପପୁଲାର’ ବା ଲୋକପ୍ରିୟଠୁ ଭିନ୍ନ) ନେତା, ଯିଏ ଜଣେ ‘ବଡ଼ ବିଭାଜନକାରୀ’ ଭାବେ ଖ୍ୟାତ। ଇୟୁରୁ ବ୍ରିଟେନକୁ ଅଲଗା କରିବା ତାଙ୍କର ଲକ୍ଷ୍ୟ।
ସେହିପରି ନିକଟରେ ଫ୍ରାନ୍ସରେ ଅନୁଷ୍ଠିତ ଇୟୁ ନିର୍ବାଚନରେ ମେରିନ୍ ଲି ପେନ୍‌ଙ୍କ ଦକ୍ଷିଣପନ୍ଥୀ ଦଳ ନେସନାଲ ରାଲି ଇମାନୁଏଲ ମାକ୍ରନଙ୍କ ଦଳକୁ ପଛରେ ପକାଇ ଦେଇଛି, ଯାହାଙ୍କୁ ଇମାନୁଏଲ୍ ଗତ ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ କରିଥିଲେ। ଇଟାଲୀରେ ପପୁଲିଷ୍ଟ୍-ନେସନାଲିଷ୍ଟ୍ ଲିଗର ମାଟିଓ ସାଲଭିନି, ପୋଲାଣ୍ଡରେ ନେସନାଲିଷ୍ଟ ଲ’ ଏଣ୍ଡ୍ ଜଷ୍ଟିସ୍ ପାର୍ଟିର ଜାରୋସ୍ଲ କାଜିନସ୍କି ପ୍ରମୁଖ ଦକ୍ଷିଣପନ୍ଥୀ ନେତୃତ୍ବ ଏହି ତାଲିକାରେ ରହିଛନ୍ତି। ‘ଅନୁଦାର’ ଏବଂ ​‌େ​‌ସ୍ବୖରାଚାର ଦୃଷ୍ଟିକୋଣସଂପନ୍ନ ଆଉ ଯେଉଁ ନେତୃବୃନ୍ଦ ବିଶ୍ବରେ ବର୍ତ୍ତମାନ ବେଶ୍ ପ୍ରସିଦ୍ଧି ହାସଲ କରିଛନ୍ତି, ସେମାନେ ହେଲେ ବ୍ରାଜିଲର ଜାଏର୍ ବୋଲ୍ସୋନାରୋ, ତୁର୍କୀର ରେସେପ୍ ତାୟିପ୍ ଏର୍ଦୋଗାନ, ରୁଷିଆର ଭ୍ଲାଦିମିର୍ ପୁତିନ, ଫିଲିପାଇନ୍ସର ରୋଡ୍ରିଗୋ ଡୁଟେର୍ଟେ, ଇଣ୍ଡୋନେସିଆର ଜୋକୋ ୱିଡୋଡୋ, ନିକାରାଗୁଆର ଡାନିଏଲ୍ ଓର୍ଟେଗା, ଭେନେଜୁଏଲାର ନିକୋଲାସ୍ ମାଦୁରୋ, ଆମେରିକାର ଡୋନାଲ୍ଡ ଟ୍ରମ୍ପ୍​, ଚୀନର ଜି ଜିନପିଙ୍ଗ୍ ପ୍ରମୁଖ। ଏହା ବ୍ୟତୀତ ଅଷ୍ଟ୍ରିଆ, ନେଦରଲାଣ୍ଡ୍, ସ୍ବିଡେନ ଆଦି ରାଷ୍ଟ୍ରରେ ଉଦାର ଗଣତନ୍ତ୍ରର କ୍ରମାଗତ ପତନ ଏବଂ ଅନୁଦାର ଦକ୍ଷିଣପନ୍ଥୀ ନେତୃତ୍ବର ଉଦୟ ଏକ ଗୁରୁତ୍ବପୂର୍ଣ୍ଣ ଘଟନା।
ପାଶ୍ଚାତ୍ୟ ଅବଧାରଣାର ଉଦାର ଗଣତନ୍ତ୍ର ମୂଳତଃ ଏକ ଜନପ୍ରତିନିଧିମୂଳକ ବ୍ୟବସ୍ଥାର ଭିତ୍ତି ଉପରେ ପ୍ରତିଷ୍ଠିତ ଏବଂ ସାମ୍ବିଧାନିକ ମୌଳିକ ନାଗରିକ ଅଧିକାରର ସଂରକ୍ଷକ। ପ୍ରତ୍ୟେକ ନାଗରିକର ସ୍ବାଧୀନତା ଓ ସମାନତା; କ୍ଷମତାର ବିକେନ୍ଦ୍ରୀକରଣ; ସ୍ବାଧୀନ ନିଷ୍ପକ୍ଷ ବିଚାର ବିଭାଗ; ମୁକ୍ତ ଓ ନିର୍ଭୀକ ଗଣମାଧ୍ୟମ; ସର୍ବୋପରି ଆଇନର ଶାସନ (ଯେଉଁଠି ଶାସକ ଓ ଶାସିତ ପାଇଁ ଆଇନର କାର୍ଯ୍ୟକାରିତା ସମାନ) ଏକ ଉଦାର ଗଣତନ୍ତ୍ରର ଅନିବାର୍ଯ୍ୟ ଉପାଦାନ। ୟୁରୋପୀୟ ନବଜାଗରଣ ଯୁଗରୁ ଆରମ୍ଭ ହୋଇଥିବା ଉଦାର ଗଣତନ୍ତ୍ରକୁ ବିଂଶ ଶତାବ୍ଦୀରେ ବହୁ ଆଧୁନିକ ରାଷ୍ଟ୍ରରେ ଭିନ୍ନଭିନ୍ନ ସ୍ବରୂପରେ ଦେଖିବାକୁ ମିଳିଥିଲାବେଳେ ଏକବିଂଶ ଶତାବ୍ଦୀ ପ୍ରାରମ୍ଭରୁ ସେଥିରେ ସ୍ପଷ୍ଟ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଅସଲ ସମସ୍ୟା ହେଲା ପ୍ରତିନିଧିମୂଳକ, ସାମ୍ବିଧାନିକ ଗଣତନ୍ତ୍ରଗୁଡ଼ିକରେ ମଧ୍ୟ ନିର୍ବାଚିତ କ୍ଷମତାଧରମାନେ ଛଳ ଉଦାରବାଦର ଆଶ୍ରୟ ନେଇ ​‌େ​‌ସ୍ବୖରାଚାରରେ ଲିପ୍ତ ରହୁଛନ୍ତି। ସାମ୍ବିଧାନକ ଉଦାରବାଦରହିତ ଗଣତନ୍ତ୍ର କ୍ଷମତା କେନ୍ଦ୍ରୀକରଣ, ନାଗରିକ ସ୍ବାଧୀନତାର ଅପହରଣ, ଘୋର ଆର୍ଥିକ ବୈଷମ୍ୟ, ଦୁର୍ବଳ ଓ ପକ୍ଷପାତପୂର୍ଣ୍ଣ ବିଚାରବ୍ୟବସ୍ଥା, ବିଭାଜିତ/ନିଷ୍କ୍ରିୟ ଗଣମାଧ୍ୟମ, ଜାତି/ଧର୍ମ/ବର୍ଣ୍ଣ/ସମ୍ପ୍ରଦାୟଗତ ସଂଘର୍ଷ, ସଂଖ୍ୟାଲଘୁ/ଶରଣାର୍ଥୀଙ୍କ ପ୍ରତି ଉଦାସୀନତା/ନିର୍ଯାତନା, ଏପରିକି ଯୁଦ୍ଧ ଆଦିକୁ ଆମନ୍ତ୍ରଣ କରେ। ଲକ୍ଷ୍ୟଣୀୟ ଯେ ଏହା ହିଁ ଅନୁଦାର ଗଣତନ୍ତ୍ରର ଲକ୍ଷଣ।
ଜନପ୍ରତିନିଧିମୂଳକ ଲୋକତନ୍ତ୍ରରେ ଯାହା ସପକ୍ଷରେ ସର୍ବାଧିକ ଜନମତ ଥାଏ, ଅର୍ଥାତ ବହୁସଂଖ୍ୟକଙ୍କ ସମର୍ଥନ ରହିଥାଏ, ସେଥିରେ ବି ସମ୍ବିଧାନ ସଂଖ୍ୟାଲଘୁଙ୍କୁ ସଂଖ୍ୟାଗରିଷ୍ଠଙ୍କ ସହ ସମାନ ସମ୍ମାନ, ଅଧିକାର ଓ ସ୍ବାଧୀନତା ପ୍ରଦାନର ପ୍ରତିଶ୍ରୁତି ଦେଇଥାଏ। ଓର୍ବାନଙ୍କ ଭଳି ‘ଅନୁଦାର’ ଶାସକମାନେ ସମ୍ଭବତଃ ସେହି କାରଣରୁ ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ସମ୍ବିଧାନର ମୌଳିକତାକୁ ନଷ୍ଟଭ୍ରଷ୍ଟ କରିବା ପ୍ରଚେଷ୍ଟାରେ ରହିଛନ୍ତି। ଜନସମର୍ଥନ ହାସଲ ପାଇଁ ଏମାନେ ସାମ-ଦାମ-ଦଣ୍ଡ-ଭେଦ ସମେତ ସମସ୍ତ ଅନୈତିକତା ଆପଣାଇ ସାଧାରଣ ଜନତାଙ୍କ ମନକୁ ଭୁଲାଇବାକୁ ଉଦ୍ୟମ କରନ୍ତି। ନିଜକୁ ସାଧାରଣ ଜନତାଙ୍କ ଭିତରୁ ଜଣେ ବୋଲି କହିବା ସହ ଆଭିଜାତ୍ୟ/ଅଭିଜାତବିରୋଧୀ ଭାବେ ଉପସ୍ଥାପିତ କରନ୍ତି; ଅଥଚ ଅଭିଜାତ/ପୁଞ୍ଜିପତିଙ୍କ ସ୍ବାର୍ଥସାଧନରେ ବ୍ରତୀ ଥାଆନ୍ତି । ଲୋକଙ୍କ ମନରେ ସର୍ବମାନ୍ୟ ନେତା ଓ ନିଜକୁ ‘ଭୋକ୍ସ ପପୁଲି’ ବା ‘ଲୋକଙ୍କ ସ୍ବର’ ଭାବେ ‘ବିଶ୍ବାସ’ ଜନ୍ମାଇବାକୁ ଏମାନେ କଳେ-ବଳେ-କୌଶଳେ ନିଜ ଚାରିପାଖରେ ଏପରି ଏକ ବ୍ୟକ୍ତିପ୍ରଭା/ବ୍ୟକ୍ତିସଂସ୍କୃତି ନିର୍ମାଣ କରନ୍ତି, ଯାହା କେବଳ ସାଧାରଣ ଲୋକ ନୁହେଁ, ବୁଦ୍ଧିଶୁଦ୍ଧି ଥିବା ଲୋକଙ୍କୁ ବି ଭ୍ରମରେ ପକାଏ। ଏମାନେ ବିଭିନ୍ନ କାଳ୍ପନିକ ଆତଙ୍କ ସୃଷ୍ଟି କରିବା ସହ ରାଷ୍ଟ୍ରକୁ ରକ୍ଷା କରିବାପାଇଁ ‘ସେ’ ହିଁ ଏକମାତ୍ର ରକ୍ଷାକର୍ତ୍ତା ବୋଲି ଧାରଣା ସୃଷ୍ଟି କରନ୍ତି। ବୁଦ୍ଧିବିବେକଶୂନ୍ୟ/ଉଦ୍‌ଭ୍ରାନ୍ତ ଭିଡ଼(ମବ୍)ର ଅବାଞ୍ଛିତ କାର୍ଯ୍ୟକୁ ପ୍ରତ୍ୟକ୍ଷ/ପରୋକ୍ଷରେ ପ୍ରୋତ୍ସାହନ ଦିଅନ୍ତି; ବିଚାରଶୀଳ/ତାର୍କିକ/ଭିନ୍ନ-ବିରୋଧୀ ମତାଦର୍ଶୀଙ୍କୁ ସହ୍ୟ କରିପାରନ୍ତି ନାହିଁ। ଏମାନେ ‘ନିର୍ବାଚନ’କୁ ହିଁ ‘ଗଣତନ୍ତ୍ର’ ମନେକରନ୍ତି; ଗଣତାନ୍ତ୍ରିକ/ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ହେୟଜ୍ଞାନ କରନ୍ତି; ଗଣମାଧ୍ୟମ, ନ୍ୟାୟିକ ସଂସ୍ଥାକୁ ମଧ୍ୟ ନିଜ ମର୍ଜିରେ ଚଳାଇବାକୁ ଚେଷ୍ଟା କରନ୍ତି। ସର୍ବୋପରି ‘ସେ’ ଓ ‘ରାଷ୍ଟ୍ର’ ଏକ ଏବଂ ଅଭିନ୍ନ ବୋଲି ପ୍ରତିପାଦିତ କରିବାକୁ ଉଦ୍ୟମ କରନ୍ତି। ଏହିଭଳି ନେତାଙ୍କୁ ଆଧୁନିକ ଭାଷାରେ ‘ପପୁଲିଷ୍ଟ୍’ କୁହାଯାଉଛି। ‘ପପୁଲିଷ୍ଟ୍’ ଓ ‘ପପୁଲାର୍’ ନେତୃତ୍ବ ଭିତରେ ମୌଳିକ ପାର୍ଥକ୍ୟ ବୁଝିବାକୁ ହେଲେ ଗୋଟିଏ ଦୃଷ୍ଟାନ୍ତ ଦିଆଯାଇପାରେ। ଜବାହରଲାଲ ନେହେରୁ ‘ପପୁଲାର’, କିନ୍ତୁ ‘ପପୁଲିଷ୍ଟ’ ନୁହନ୍ତି; ମାତ୍ର ଇନ୍ଦିରା ଗାନ୍ଧୀ ଜଣେ ‘ପପୁଲିଷ୍ଟ୍’ ନେତ୍ରୀ, ଯିଏ ଜରୁରୀ ପରିସ୍ଥିତିକୁ ବି ‘ଲୋକଙ୍କ ଇଚ୍ଛାର ପ୍ରକୃତ ଅଭିବ୍ୟକ୍ତି’ ବୋଲି ଅଭିହିତ କରିଥିଲେ।
ଛଅମାସ ତଳେ ‘ଟୋନି ବ୍ଲେୟାର୍ ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ଚେଞ୍ଜ୍’ ୧୯୯୦ରୁ ୨୦୧୮ ଭିତରେ ରାଷ୍ଟ୍ରମୁଖ୍ୟ ଥିବା ୩୩ଟି ରାଷ୍ଟ୍ରର ୪୬ ଜଣ ‘ପପୁଲିଷ୍ଟ୍’ ନେତା(ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନ୍ତର୍ଭୁକ୍ତ)ଙ୍କ ଉପରେ ଏକ ଗଭୀର ଗବେଷଣାତ୍ମକ ରିପୋର୍ଟ ପ୍ରକାଶ କରିଥିଲା। ଏହାର ନିଷ୍କର୍ଷରେ ଯାହା କୁହାଯାଇଥିଲା, ତାହା ଉଲ୍ଲେଖଯୋଗ୍ୟ: ‘‘ରାଜନୀତିକ କ୍ଷେତ୍ରରେ ସେମାନଙ୍କ ସ୍ଥିତି ଯାହା ହୋଇଥାଉନା କାହିଁକି, ‘ପପୁଲିଷ୍ଟ୍’ମାନେ ‘ନନ୍-ପପୁଲିଷ୍ଟ୍’ଙ୍କ ଅପେକ୍ଷା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ବେଶି କ୍ଷତି ପହଞ୍ଚାଇଥାଆନ୍ତି; କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକର ‘ଯାଞ୍ଚ ଓ ଭାରସାମ୍ୟ’କୁ ନଷ୍ଟ କରନ୍ତି, ଗଣତନ୍ତ୍ର ବିପଥଗାମୀ ହେବାର କାରଣ ପାଲଟନ୍ତି ଏବଂ ବ୍ୟକ୍ତି ଅଧିକାର/ସ୍ବାଧୀନତା ଉପରେ ଆକ୍ରମଣ କରନ୍ତି’’।
ସ୍ବାଧୀନତା, ଆର୍ଥନୀତିକ ସ୍ବାଧୀନତା ଏବଂ ଗଣତନ୍ତ୍ର ନେଇ ବିଶ୍ବବ୍ୟାପୀ ଯେଉଁ ଚାରିଟି ସୂଚକାଙ୍କକୁ ବେଶି ମହତ୍ତ୍ବ ଦିଆଯାଏ, ସେଗୁଡ଼ିକ ହେଲା ‘ଫ୍ରିଡମ୍ ଇନ ଦି ୱାର୍ଲଡ’ (ବିଶ୍ବରେ ସ୍ବାଧୀନତା ସୂଚକାଙ୍କ), ‘ଇଣ୍ଡେକ୍ସ ଅଫ୍ ଇକୋନୋମିକ୍ ଫ୍ରିଡମ୍’ (ଆର୍ଥନୀତିକ ସ୍ବାଧୀନତାର ସୂଚକାଙ୍କ), ‘ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ’ (ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ) ଏବଂ ‘ଡେମୋକ୍ରେସି ଇଣ୍ଡେକ୍ସ’ (ଗଣତନ୍ତ୍ର ସୂଚକାଙ୍କ)। ‘ବିଶ୍ବରେ ସ୍ବାଧୀନତା’ ୨୦୧୯ ରିପୋର୍ଟରେ ହଙ୍ଗେରୀ ୧୦୦ରୁ ୭୦ ଅଙ୍କ ହାସଲ କରି ‘ଆଂଶିକ ସ୍ବାଧୀନ’ ଭାବେ ଚିହ୍ନିତ ହୋଇଛି। ଦଶବର୍ଷ ପୂର୍ବେ ଏହା ‘ସ୍ବାଧୀନ’ ଭାବେ ଚିହ୍ନିତ ହୋଇଆସୁଥିଲା। ବିଚାରଣୀୟ ବିଷୟ ହେଲା, ଏହି ସୂଚକାଙ୍କରେ ଭାରତ ହଙ୍ଗେରୀଠୁ ମାତ୍ର ୫ ଅଙ୍କ ଅଧିକ ହାସଲ କରି ‘ସ୍ବାଧୀନ’ ଚିହ୍ନିତ ହୋଇଛି। ତେବେ କ୍ରମଶଃ ବିଭିନ୍ନ ମାନଦଣ୍ଡରେ ତା’ର ଅଧୋପତନ ଘଟିଚାଲିଛି। ସେହିପରି ଉପରୋକ୍ତ ଅନ୍ୟ ତିନିଟି ସୂଚକାଙ୍କରେ ହଙ୍ଗେରୀ ଯଥାକ୍ରମେ ‘ମଧ୍ୟମ ସ୍ବାଧୀନ’, ‘ସମସ୍ୟାଯୁକ୍ତ’ ଓ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ର ମାନ୍ୟତା ପାଇଛି। ଭାରତ କଥା ଯଦି ଦେଖିବା, ତେବେ ଏହାକୁ ‘ଅଧିକାଂଶ ପରାଧୀନ’, ‘କଠିନ ପରିସ୍ଥିତି’ ଓ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ଚିହ୍ନିତ କରାଯାଇଛି।
ସାରା ପୃଥିବୀରେ ଦେଖାଯାଉଚି ଯେ ‘ପପୁଲିଷ୍ଟ’ ନେତୃବୃନ୍ଦଙ୍କ ଦୃଷ୍ଟିଭଙ୍ଗୀ ସାଧାରଣତଃ ଅନୁଦାର। ଦକ୍ଷିଣପନ୍ଥୀ ପପୁଲିଷ୍ଟଙ୍କ ପାଇଁ ନବ୍ୟ ରାଷ୍ଟ୍ରବାଦ/ଉଗ୍ର ରାଷ୍ଟ୍ରବାଦ ପାଲଟିଚି ଜନମତକୁ ପ୍ରଭାବିତ କରିବାର ଏକ ଅମୋଘ ଅସ୍ତ୍ର। ଏଥିରୁ ଉଦ୍ଭବ ହୋଇଛି ‘ଆମେ’ ବନାମ ‘ସେମାନେ’/ ‘ପ୍ରକୃତ ଲୋକ’ ବନାମ ‘ନକଲି(ବାହାର) ଲୋକ’/ ରାଷ୍ଟ୍ରପ୍ରେମୀ ବନାମ ରାଷ୍ଟ୍ରଦ୍ରୋହୀ ଭଳି ଉତ୍ତେଜକ/ବିଭାଜକ ସ୍ଲୋଗାନ। ବହୁକଥିତ ‘ବସୁଧୈବ କୁଟୁମ୍ବକମ୍’ର ଅସାରତାକୁ ପ୍ରମାଣ କରିବା ନିମନ୍ତେ ଏମାନେ ସତେଯେମିତି ବଦ୍ଧପରିକର! ଉଦାରବାଦ କ’ଣ କେବଳ ସମ୍ଭ୍ରାନ୍ତ/ଅଭିଜାତ ବୁଦ୍ଧିଜୀବୀଙ୍କ ବୌଦ୍ଧିକ ବିଳାସ? ତାହା କ’ଣ ସାଧାରଣ ଜନତା ଓ ରାଷ୍ଟ୍ର ପାଇଁ ହୋଇପଡ଼ିଛି ଅବାଞ୍ଛିତ? ଉଦାରବାଦର କ୍ରମଅପ୍ରାସଙ୍ଗିକତା କ’ଣ ପୃଥିବୀରେ ଅନୁଦାର ଗଣତନ୍ତ୍ରର ଜନକ? ଏସବୁଠୁ ବି ଅଧିକ ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନ, ଏକ ‘ଅନୁଦାର ଗଣତନ୍ତ୍ର’ ପ୍ରକୃତ ‘ଗଣତନ୍ତ୍ର’ କି? ଆସନ୍ତୁ ଚିନ୍ତା କରିବା।