ସର୍ବାଧିକ ଗୋଲ ସ୍କୋରର ଦୌଡ଼ରେ ଗୋଭର୍ସ ଓ ଆଲେକଜାଣ୍ଡାର ହେଣ୍ଡ୍ରିକସ୍‍

0

ଭୁବନେଶ୍ବର: ଚଳିତ ପୁରୁଷ ହକି ବିଶ୍ୱକପରେ ଏଥିମଧ୍ୟରେ ଲିଗ୍‍, କ୍ରସ ଓଭର ଓ କ୍ୱାର୍ଟର ଫାଇନାଲ ସହ ୩୨ଟି ମ୍ୟାଚ ଶେଷ ହୋଇଛି। ଗୋଲ ସ୍କୋରିଂ ମାମଲାରେ ଅଷ୍ଟ୍ରେଲିଆର ବିଶ୍ୱବିଖ୍ୟାତ ପେନାଲ୍ଟି ସ୍ପେସାଲିଷ୍ଟ ବ୍ଲେକ ଗୋଭର୍ସ ଓ ଆର୍ଜେଣ୍ଟିନାର ଗୋଞ୍ଜାଲୋ ପିଲାଟ୍‍ ୬ଟି ଲେଖାଏଁ ଗୋଲ ଦେଇ ମିଳିତ ଭାବେ ଶୀର୍ଷରେ ରହିଛନ୍ତି। ପିଲାଟ୍‍ ସ୍ପେନ, ନ୍ୟୁଜିଲାଣ୍ଡ ଓ ଜର୍ମାନୀ ବିପକ୍ଷରେ ଦୁଇଟି ଲେଖାଏଁ ଗୋଲ ଦେଇଛନ୍ତି। ସେହିପରି ବ୍ଲେକ ଗୋଭର୍ସ ଚୀନ ବିପକ୍ଷରେ ହାଟ୍ରିକ ଅର୍ଜନ କରିଥିବା ବେଳେ ଆୟରଲାଣ୍ଡ, ଇଂଲଣ୍ଡ ଓ ଫ୍ରାନ୍ସ ବିପକ୍ଷରେ ଗୋଟିଏ ଗୋଲ ଦେଇଛନ୍ତି। ବେଲଜିୟମର ଆଲେକ୍‍ଜାଣ୍ଡାର ହେଣ୍ଡ୍ରିକସ୍‍ ୫ଟି ଗୋଲ ଦେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଲେକଜାଣ୍ଡାର ଦକ୍ଷିଣଆଫ୍ରିକା ବିପକ୍ଷରେ ୨ଟି, ଭାରତ ବିପକ୍ଷରେ ଗୋଟିଏ ଓ କ୍ୱାର୍ଟର ଫାଇନାଲରେ ଜର୍ମାନୀ ବିପକ୍ଷରେ ଦୁଇଟି ଗୋଲ ସ୍କୋର କରିଥିଲେ। ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବାବେଳେ ପିଲାଟ୍‍ ମ୍ୟାଚ ଆଉ ଖେଳିବେନି। ବେଲ୍‍ଜିୟମ ଓ ଅଷ୍ଟ୍ରେଲିଆ ଆଉ ଦୁଇଟି ଲେଖାଏଁ ମ୍ୟାଚ ଖେଳିବାର ଥିବାରୁ ଗୋଭର୍ସ ଓ ଆଲେକଜାଣ୍ଡାର ମଧ୍ୟରେ ସର୍ବାଧିକ ଗୋଲ ସ୍କୋରର ହେବା ପାଇଁ ଟକ୍କର ହେବ।

Leave A Reply