ସଫଳ ସେବକ

ଦୁଃସ୍ଥ, ନିପୀଡ଼ିତ ଜନତାର ସେବାହିଁ ଶ୍ରେଷ୍ଠ ସେବା, ସେଇଥି ପାଇଁ କୁହାଯାଇଥାଏ ନର ସେବା ନାରାୟଣଙ୍କ ସେବା ସହିତ ସମାନ। ସେବାକୁ ଶ୍ରେଷ୍ଠ ଧର୍ମ ବୋଲି କୁହାଯାଇଥାଏ ମଧ୍ୟ। ସଂସାରରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟଠାରୁ ଆହାଃ ପଦଟିଏ ଶୁଣିବାକୁ, ଅନ୍ୟର ସାହାଯ୍ୟ ସହଯୋଗ ଆଶା କରିଥାନ୍ତି ତିଷ୍ଠି ରହିବାପାଇଁ। ସେମାନଙ୍କୁ ଯେଉଁମାନେ ସେବା ଯୋଗାଇ ଦେଇଥାନ୍ତି ସେମାନେ ସେବକ (ଲୋକସେବକ) ଭାବରେ ବିଦିତ।
ଏହା କୁହାଯାଇଥାଏ ଯେ ଲୋକସେବକମାନଙ୍କ କ୍ଷେତ୍ରରେ ନିଷ୍ଠାର ଅଭାବ ରହିଥାଏ- ଏଭଳି କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ନିଷ୍ଠା ନ ହେଲେ ସେବକ ସେବା କ୍ଷେତ୍ରକୁ କାହିଁକି ବା କିଏ ଆଦରି ନେଇଥାନ୍ତେ? ପ୍ରାଚୀନ କାଳରୁ ଆରମ୍ଭ କରି ଅଦ୍ୟାବଧି ଇତିହାସରେ ଆମେ ଯେଉଁସବୁଲୋକସେବକମାନଙ୍କୁ ଜାଣିଛୁ କିମ୍ବା ଜାଣିବାକୁ ପାଉଛୁ, ସେମାନେ ସେବା କ୍ଷେତ୍ରରେ ଶୀର୍ଷତମ ସ୍ଥାନକୁ ଯାଇଛନ୍ତି। ଅନନ୍ୟ ସେବାବଳରେ ନିଜର ନାମ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି। ସେବା ସମ୍ପର୍କରେ ଭଗବାନ ବୁଦ୍ଧ ଓ ତାଙ୍କର ଜଣେ ଶିଷ୍ୟଙ୍କ ସମ୍ପର୍କିତ ନିମ୍ନୋକ୍ତ ରୋଚକ ପ୍ରସଙ୍ଗ।
ତଥାଗତ ସେଦିନ କୌତୂହଳୀ ହୋଇ ଶିଷ୍ୟଙ୍କୁ ପଚାରି ଥିଲେ- ତୁମେ ଧର୍ମ ପ୍ରଚାର କାର୍ଯ୍ୟରେ ନିୟୋଜିତ ହେଇଛି। ଲୋକମାନଙ୍କ କର୍ତ୍ତବ୍ୟପାଳନ ପରିପ୍ରେକ୍ଷୀରେ ଲୋକେ ଯଦି ତୁମର ବାଣୀ ନ ଶୁଣନ୍ତି ତେବେ ତୁମେ କ’ଣ କରିବ?
ମୁଁ ତାଙ୍କ ନିକଟରେ ଅତି କୃତଜ୍ଞ ରହିିବି ଯେ ସେ ମୋ କଥା ଶୁଣି ନାହାନ୍ତି ମାତ୍ର, କିନ୍ତୁ ଗାଳି ଦେଇ ନଥିବା ଯୋଗୁଁ- ଶିଷ୍ୟ କହିଲେ। ଯଦି ତୁମକୁ ସେ ଗାଳିଗୁଲଜ କରନ୍ତି- ତଥାଗତ ପ୍ରଶ୍ନ କରିଥ​‌​ି​‌େ​‌​‌ଲ ତଥାପି ମୁଁ ତାଙ୍କ ନିକଟରେ କୃତଜ୍ଞ ରହିବି ଏଇଥିପାଇଁ ସେ ମୋତେ ମାଡ଼ ମାରି ନାହାନ୍ତି କ୍ରୋଧର ଆବେଶରେ।
ଶିଷ୍ୟର ନିଷ୍ଠା, ଏକାଗ୍ରତା ପରୀକ୍ଷା କରିବାକୁ ଚାହୁଁଥିଲେ ତଥାଗତ। ପୁନଃ ପ୍ରଶ୍ନ କରିଥିଲେ- ସେ ଯଦି ତୁମକୁ ମାଡ଼ ମାରନ୍ତି….?
ତଥାପି ମୁଁ ତାଙ୍କ ପ୍ରତି କୃତଜ୍ଞ ରହିବି ଏଇଥିପାଇଁ ଯେ ସେ ମୋତେ ଜୀବନରୁ ମାରି ଦେଇ ନାହାନ୍ତି ବୋଲି। ଅନ୍ତତଃ ମୋର ଜୀବନ ରକ୍ଷା ହୋଇଥିବାରୁ ମୁଁ ତାଙ୍କ ପ୍ରତି ଗଭୀର କୃତଜ୍ଞ ରହିବି।
ଯଦି ତୁମକୁୁ ସେ ଜୀବନରୁ ମାରି ଦିଅନ୍ତି- ତଥାଗତ ପୁନଃ ପ୍ରଶ୍ନ କରିଥିଲେ।
ଏହା ଶୁଣି ଶିଷ୍ୟ କହିଥିଲେ- ‘ଏ କ୍ଷେତ୍ରରେ ମଧ୍ୟ ସେ ମୋର ଅଶେଷ ଉପକାର ସାଧନ କରିବେ ଏଇଥିପାଇଁ ଯେ ସେ ମୋତେ ଜରା ବ୍ୟାଧି, ଦୁଃଖଯନ୍ତ୍ରଣାମୟ ସଂସାରରୁ ମୁକ୍ତି ଦେଇଦେଲେ ବୋଲି। ମୃତ୍ୟୁରେ ତ ସଂାସାରିକ ଯାତନାର ସମାପ୍ତି ହୋଇଯାଇଥାଏ। ଯଦି ସେ ଏହା କରନ୍ତି ତା’ ହେଲେ ମୁଁ ଅଚିରେ ଦୁଃଖମୟ ସଂସାରରୁ ନିଷ୍କୃତି ପାଇଯିବି।’ ଯଦି ସେବାକୁ ଧର୍ମ ଭାବରେ ପାଳନ କରୁଥିବା ବ୍ୟକ୍ତିବିଶେଷ, ଅନୁଷ୍ଠାନର ସଦସ୍ୟମାନେ ଏହିଭଳି ଅଙ୍ଗୀକାରବଦ୍ଧତାସହ କାର୍ଯ୍ୟ କରନ୍ତି ତେବେ ସଫଳ ସେବକ ହୋଇପାରିବେ ଓ ସେବାଧର୍ମର ମହତ୍ତ୍ବ ପ୍ରକଟିତ ହେବ।

Comments are closed.